ସମ୍ବଲପୁର: ସମ୍ବଲପୁର ମହାନଗର ନିଗମରେ ନୂତନ କମିଶନର ରୂପେ ଯୋଗ ଦେଇଥିବା ରେହାନ ଖତ୍ରୀ ଅଚାନକ ୩୭ ନମ୍ବର ୱାର୍ଡ ଧନୁପାଲି ଛକରୁ ମହାବୀର ପଡା ଅଂଚଳ ପରିଦର୍ଶନ କରିଛନ୍ତି । ନାଳ, ନର୍ଦ୍ଦମା, ସଫେଇ ଓ ରାସ୍ତାରେ ଆଲୁଅ ସହ ଅନ୍ୟାନ୍ୟ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ବୁଧବାର ସକାଳୁ ମହାନଗର ନିଗମ ଅଧିକାରୀ ଓ ସଫେଇ କର୍ମଚାରୀଙ୍କ ତତ୍ପରତା ଦେଖି ସ୍ଥାନୀୟ ଲୋକମାନେ କମିଶନରଙ୍କୁ ଭେଟି ଧନୁପାଲି ଛକର ସଙ୍କୁଚିତ ଅବସ୍ଥା, ରାସ୍ତା ଉପରେ ବଜାର ବସିବା, ରାସ୍ତାକଡ ନାଳିରେ ପାଣି ନିଷ୍କାସନ ନହେବା, ଦୀର୍ଘ ଦିନ ଧରି ଧନୁପାଲି ଛକରୁ କଟକ ରୋଡ଼ରେ ଭତରକ୍ଷ ପର୍ଯ୍ୟନ୍ତ ଓ ଅନ୍ୟ ମୁଖ୍ୟ ରାସ୍ତାମାନଙ୍କରେ ମାସ ମାସ ଧରି ଷ୍ଟ୍ରୀଟ ଲାଇଟ ନଜଳିବା ଭଳି ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ।
ଆଲୋଚନା ସମୟରେ ଅଂଚଳ ର ବରିଷ୍ଠ ନାଗରିକ ରାଜେନ୍ଦ୍ର ପଣ୍ଡା, ପ୍ରଦୀପ ଧର, କାହ୍ନୁ ଶର୍ମା, ପିଭି ନାଇଡୁ, ପ୍ରକାଶ ନାୟକ, ଡେନି ପଟେଲ, ଜଗା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି କମିଶନର ଙ୍କୁ ବିଭିନ୍ନ ସମସ୍ୟା ଉପରେ ଅବଗତ
କରେଇଥିଲେ। ନିଗମର ବିଭିନ୍ନ ବିଭାଗର ଅଧିକାରୀ ଙ୍କ ସହ କମିଶନର ବୁଲି ଲୋକଙ୍କୁ ରାସ୍ତା ଘାଟ ରେ ଆବର୍ଜନା ନ ପକେଇବା ସହ ପ୍ଲାଷ୍ଟିକ ବ୍ୟବହାର ଉପରେ କଡା ଚେତାବନୀ ଦେଇ କିଛି ବ୍ୟବସାୟୀଙ୍କୁ ତାଗିତ କରିବା ସହ ଜୋରିମାନା ମଧ୍ୟ ଆଦାୟ କରିଥିଲେ।



