ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ‘ଫନୀ’ ଦ୍ୱାରା ପ୍ରଭାବିତ ହୋଇନଥିବା ଓଡ଼ିଶାର ଜିଲାଗୁଡ଼ିକର ୬ ଲକ୍ଷ ଚିହ୍ନଟ କରାଯାଇଥିବା ଯୋଗ୍ୟ ପରିବାରଗୁଡ଼ିକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ ଜଣାଇଛନ୍ତି। ଏଗୁଡ଼ିକ କେବିକେ ଜିଲା ଅନ୍ତର୍ଗତ ଜନଜାତି ଅଧ୍ୟୁଷିତ ଜିଲା ଅଟେ। ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ୮.୧୭ ଲକ୍ଷ ଗୃହ ପାଇଁ ଅନୁମୋଦନ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ ଚିହ୍ନିତ ଯୋଗ୍ୟ ପରିବାରମାନଙ୍କ ତଥ୍ୟ ବ୍ୟବହାର ଉଦେଶ୍ୟରେ ଏକ ମାସ ପାଇଁ ସମଗ୍ର ରାଜ୍ୟରେ ଆବାସଣ୍ଟ ୱିନ୍ଡୋ ଉନ୍ମୁକ୍ତ ରଖିବା ପାଇଁ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରାଳୟକୁ ନିର୍ଦେଶ ଦେବା ନିମନ୍ତେ ଅନୁରୋଧ କରିବା ସହ ‘ସମସ୍ତଙ୍କ ପାଇଁ ସୁରକ୍ଷିତ ଗୃହ’ ଲକ୍ଷ୍ୟ ହାସଲ ଦିଗରେ ଏହା ବାସ୍ତବ ପଦକ୍ଷେପ ହେବ ବୋଲି ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ମନୁଷ୍ୟ ଜୀବନ ଓ ଜୀବିକା ପାଇଁ ବୃକ୍ଷର ଅବଦାନ ଅତୁଳନୀୟ ବୋଲି କହିଛନ୍ତି। ସୁସ୍ଥ ଓ ସୁନ୍ଦର ସବୁଜିମା ସୃଷ୍ଟି ପାଇଁ ଚାରା ରୋପଣ ସହ ବର୍ତ୍ତମାନର କଠିନ ସ୍ଥିତିରେ କୋଭିଡ୍ ନିୟମର କଡ଼ା ଅନୁପାଳନ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତ ଚାରିବର୍ଷ ମଧ୍ୟରେ ନିରନ୍ତର ଉଦ୍ୟମ କରି ରାଜ୍ୟ ସରକାର ବହୁସଂଖ୍ୟକ ବାଲ୍ୟବିବାହ ରୋକି ପାରିଛନ୍ତି । ‘ବାଲ୍ୟବିବାହ ସମାପ୍ତି ନିମନ୍ତେ ଓଡ଼ିଶା ରଣନୀତିକ କାର୍ଯ୍ୟ ଯୋଜନା’ ଅଧୀନରେ ସଚେତନତା ବୃଦ୍ଧି ଏବଂ ଉନ୍ନତ ଯୋଗାଯୋଗ ଦ୍ୱାରା ଏହି ସକାରାତ୍ମକ ପରିବର୍ତ୍ତନ ଆସିପାରିଛି ବୋଲି ସେ ପ୍ରକାଶ କରିଛନ୍ତି।



