ବାରିପଦା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ବାରିପଦାବାସୀଙ୍କୁ ୧୫୦କୋଟି ଟଙ୍କାର ଭେଟି ଦେଇଛନ୍ତି। ସେଠାରେ ମୁଖ୍ୟମନ୍ତ୍ରୀ ୧୧ଟି ପ୍ରକଳ୍ପର ଉଦଘାଟନ କରିବା ସହ ୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସ୍ଥାନୀୟ ଛଉ ପଡିଆ ଠାରେ ଅନୁଷ୍ଠିତ ମିଶନ ଶକ୍ତି ମହାସମାବେଶରେ ମୁଖ୍ୟମନ୍ତ୍ରୀ ୨୦,୨୯୫ ମହିଳା ସ୍ବୟଂସହାୟକ ଗୋଷ୍ଠୀକୁ ୧୫ହଜାର ଟଙ୍କା ଲେଖାଏଁ ସିଡ୍ ମନି ସହାୟତା, ୨୬ଟି ବ୍ଲକସ୍ତରୀୟ ମହାସଂଘକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା, ଡିଜିଟାଲ ସଶକ୍ତିକରଣ ନିମନ୍ତେ ୩୯୪୧୮ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ୩ହଜାର ଟଙ୍କା ଲେଖାଏଁ ସହାୟତା, ମୟୂରଭଞ୍ଜ ଜିଲାରେ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ମହାସଂଘଗୁଡିକୁ ସମୁଦାୟ ୪୯ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ବାରିପଦା ପାଇଁ ୪ଟି ବଡ ଘୋଷଣା ମଧ୍ୟ କରିଛନ୍ତି। ଛଉ ନୃତ୍ୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା, ବନ୍ୟାରୁ ରକ୍ଷା ପାଇଁ ବାରିପଦାରେ ରିଙ୍ଗ୍ ରୋଡ୍, ମୟୂରଭଞ୍ଜ ଆୟୁର୍ବେଦିକ କଲେଜକୁ ସରକାରୀ ମାନ୍ୟତା, ବାରିପଦାରେ କୋ-ଅପରେଟିଭ ବ୍ୟାଙ୍କର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ରାଜ୍ୟ ସରକାର ଏଥିପାଇଁ ଅର୍ଥ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ରସରକାରଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି।
ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ପ୍ରକଳ୍ପ :
ଉଦଳା ବ୍ଲକର ରାଜ୍ୟ ରାଜପଥ-୧୯ରେ ଚମ୍ପା ନଦୀ ଉପରେ ହାଇଲେଭଲ ସେତୁ
ଉଦଳା ଉପଖଣ୍ଡ ଚିକିତ୍ସାଳୟର ୫୦ଶଯ୍ୟା ବିଶିଷ୍ଟ ନବନିର୍ମିତ ମାତୃ ଓ ଶିଶୁ ଚିକିତ୍ସାକେନ୍ଦ୍ର
ବାରିପଦା ମହିଳା ମହାବିଦ୍ୟାଳୟ ଏବଂ ଏମ୍.ପି.ସି ଜୁନିଅର କଲେଜର ୩୦୦ସିଟ୍ ବିଶିଷ୍ଟ ଛାତ୍ରୀ ନିବାସ
ତକତପୁର ଠାରେ ଏମ୍.ପି.ସି ସ୍ବୟଂଶାସିତ କଲେଜର ୪୦୦ ସିଟ୍ ବିଶିଷ୍ଟ ଛାତ୍ରୀନିବାସ
ମୋରଡା ବ୍ଲକର ଗଡିଆ-କେନ୍ଦୁଡିହ ରାସ୍ତାର ଜମ୍ଭିରା ନାଳ ଉପରେ ହାଇଲେଭଲ ସେତୁ
ଉଦଳା ବ୍ଲକର ଉଦଳା-ଦିମାଗଡିଆ ରାସ୍ତାରେ ସୋନ ନଦୀ ଉପରେ ହାଇଲେଭଲ ସେତୁ
ବଡସାହି ବ୍ଲକର ବର୍ତ୍ତନା-ନିଶ୍ଚିନ୍ତପୁର ରାସ୍ତାରେ ବୁଢାବଳଙ୍ଗ ନଦୀ ଉପରେ ହାଇଲେଭଲ ସେତୁ
ଶୁଳିଆପଦା ବ୍ଲକର ଫଣିଆ, ମୋରଡା ବ୍ଲକର ଜୁଆଳିଭଙ୍ଗା ଏବଂ ଶାମାଖୁଣ୍ଡା ବ୍ଲକର ଜ୍ୟୋତିପୁର ଠାରେ ୩ଟି ପାଇପ ଜଳଯୋଗାଣ ପ୍ରକଳ୍ପ
ବାରିପଦା ବ୍ଲକର ନବନିର୍ମିତ ଜିଲା ପଞ୍ଚାୟତ ସମ୍ବଳ କାର୍ଯ୍ୟାଳୟ
ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ପ୍ରକଳ୍ପ :
ବଡସାହି-ବାରିପଦା ବ୍ଲକର ବୁଢାବଳଙ୍ଗ ନଦୀ ଉପରେ ହାଇଲେଭଲ ସେତୁ
ବାରିପଦା-ପ୍ରତାପପୁର-ବଡସାହି-ମାଣତ୍ରୀ ରାସ୍ତାର ଉରା ନାଳ ଉପରେ ହାଇଲେଭଲ ସେତୁ
କପ୍ତିପଦା ବ୍ଲକର ବଡଗୁଡୁଗୁଡିଆ ଏବଂ ଶୁଳିଆପଦା ବ୍ଲକର ଧାତିକା ଠାରେ ୨ଟି ପାଇପ ଜଳଯୋଗାଣ ପ୍ରକଳ୍ପ
ଶାମାଖୁଣ୍ଟା ବ୍ଲକର ବାଲିଡିହ ଜଳସେଚନ ପ୍ରକଳ୍ପ ଉନ୍ନତିକରଣ କାର୍ଯ୍ୟ
ରାସଗୋବିନ୍ଦପୁର ବ୍ଲକର ରାହିଡିହା-କୁଶଡିହା ମଧ୍ୟରେ ଜମ୍ଭିରା ନଦୀର ଉଭୟ ପାର୍ଶ୍ବରେ ତଟ ସୁରକ୍ଷା ବନ୍ଧ



