ଚର୍ଚ୍ଚାରେ ମନିଷା ପ୍ରିୟଦର୍ଶନୀ ; ନଡ଼ିଆ ଖୋଳପାରେ ଆକର୍ଷଣୀୟ ଚିତ୍ରକଳା

ରାଉରକେଲା : ଗତବର୍ଷ ରାଉରକେଲାର ଝିଅ ଭାଗ୍ୟଶ୍ରୀ ପଥରରେ ଆକର୍ଷଣୀୟ ଚିତ୍ର କଳା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମରେ ସ୍ଥାନ ପାଇ ଚର୍ଚ୍ଚାର ବିଷୟ ପାଲଟିଥିଲେ। ଏବେ ରାଉରକେଲାର ଜଣେ ଝିଅଙ୍କ ଚିତ୍ର କଳା ପ୍ରତିଭା ଚର୍ଚ୍ଚାକୁ ଆସିଛି। ସେ ହେଉଛନ୍ତି ମନିଷା ପ୍ରିୟଦର୍ଶନୀ। ବାସନ୍ତୀ କଲୋନୀରେ ରହୁଥିବା ରାଉରକେଲା ରେଳଷ୍ଟେସନର ଅଧୀକ୍ଷକ ରଜତ କୁମାର ରଥ ଓ କିରଣ ବାଳାଙ୍କ କନ୍ୟା ମନିଷା। ସୁଶୀଳାବତୀ ମହିଳା ମହାବିଦ୍ୟାଳୟର +୩ ଶେଷ ବର୍ଷ ଛାତ୍ରୀ। ୭ମ ଶ୍ରେଣୀରୁ ଚିତ୍ରକଳା ପ୍ରତି ତାଙ୍କର ଅହେତୁକ ଆଗ୍ରହ ସୃଷ୍ଟି ହୋଇଥିଲା। କୌଣସି ଚିତ୍ର କଳା ବିଦ୍ୟାଳୟକୁ ଯାଇନଥିଲେ ମଧ୍ୟ ବିଭିନ୍ନ ଚିତ୍ର କଳାକୁ ଦେଖି ସେ ଆକର୍ଷଣୀୟ ଚିତ୍ର ଅଙ୍କନ କରିଥାନ୍ତି। ଏହା ସହିତ ଚିତ୍ରକଳା ସମ୍ବନ୍ଧୀୟ ୱେବସାଇଟ ପିଣ୍ଟ୍‍ରେଷ୍ଟ ତାଙ୍କୁ ଅନେକ ସହାୟକ ହୋଇଛି। ବିଶେଷ କରି ନଡ଼ିଆ ଖୋଳ ଉପରେ ଶ୍ରୀଜଗନ୍ନାଥଙ୍କ ଆକର୍ଷଣୀୟ ଚିତ୍ର ଓ ଅଶ୍ୱତ୍‍ଥ ପତ୍ର ଉପରେ ଶ୍ରୀଗଣେଶଙ୍କର ଆକର୍ଷଣୀୟ ଚିତ୍ର ଅଙ୍କନ କରୁଛନ୍ତି।

ଆଗକୁ ଆସୁଛି ରଥ ଯାତ୍ରା। ଏହାରି ଉପରେ ଚିତ୍ରକଳା କରିବା ପାଇଁ ସେ ପ୍ରସ୍ତୁତ ହେଉଛନ୍ତି। ସାମାଜିକ ଗଣମାଧ୍ୟମରେ ଏହି ଚିତ୍ରକଳାକୁ ଅଧିକ ସ୍ୱୀକୃତି ମିଳିବା ପରେ ସେ ବହୁ ଉତ୍ସାହିତ। ବିଦ୍ୟାଳୟରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଏହି ଅପୂର୍ବ ଚିତ୍ରକଳା ପାଇଁ ସେ ଅନେକ ପ୍ରଶଂସା ଓ ସମ୍ମାନ ପାଇଛନ୍ତି। ତେବେ ଜାତୀୟ ସ୍ତରର କେମଲିନ ଚିତ୍ର ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ତାଙ୍କ ପାଇଁ ସବୁଠାରୁ ବଡ଼ ଉପଲବ୍ଧି ବୋଲି ମନିଷା କୁହାନ୍ତି। ତାଙ୍କର ଏହି ସଫଳତା ପଛରେ ମାଆ ହେଉଛନ୍ତି ଶ୍ରେଷ୍ଠ ପ୍ରେରଣା। ମାଆଙ୍କ ଭିତରେ ଏହି ଇଛା ତାଙ୍କରି ମାଧ୍ୟମରେ ପରିପ୍ରକାଶ କରିବାର ସ୍ୱପ୍ନ ଦେଖିଥିବାରୁ ସେ ଆଜି ସଫଳ ହୋଇଥିବା କହିଛନ୍ତି। ଭବିଷ୍ୟତରେ ଜଣେ ଶିକ୍ଷୟିତ୍ରୀ ହେବା ସହିତ ଚିତ୍ରକଳାକୁ ଅଧିକ ପ୍ରଚାର ପ୍ରସାର କରିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି। ସରକାରୀ ସ୍ତରରେ ଏଥି ପାଇଁ ପ୍ରୋତ୍ସାହନ ମିଳିଲେ ଏହି ଚିତ୍ରକଳା ପ୍ରତି ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ସେ ତାଲିମ ପ୍ରଦାନ କରିବେ ବୋଲି କହିଛନ୍ତି। ଚିତ୍ରକଳା ସହିତ ନୃତ୍ୟକଳାରେ ମଧ୍ୟ ମନିଷାଙ୍କର ପ୍ରତିଭା ପ୍ରତିପାଦିତ ହୋଇଛି। ଆଗକୁ ସେ ଚିତ୍ରକଳାରେ ନୂଆ ସଫଳତା ଆଣିବେ ବୋଲି ଆଶା କରାଯାଉଛି।
୧୩ବର୍ଷର ବାଳକର କମାଲ : ତିଆରି କଲେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନୋରମ ରଥ

ରାଉରକେଲା : ବୟସ ମାତ୍ର ୧୩। ସେକ୍ଟର-୨୧ସ୍ଥିତ ଗୁରୁନାନକ ପବ୍ଲିକ ସ୍କୁଲର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ପ୍ରୋନିତ ପଣ୍ଡା ଅବ୍ୟବହୃତ ସାମଗ୍ରୀରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ତିଆରି କରି ବିସ୍ମୟ ସୃଷ୍ଟି କରିଛନ୍ତି। ଝିରପାଣିରେ ରହୁଥିବା ପ୍ରମୋଦ କୁମାର ପଣ୍ଡା ଓ ପ୍ରଦୀପ୍ତା ପଣ୍ଡାଙ୍କ ପୁତ୍ର ପ୍ରୋନିତଙ୍କ ଏହି ରଥ ତିଆରି ପଛରେ ରହିଛି ଏକ ଆଧ୍ୟାତ୍ମିକ ପୃଷ୍ଠଭୂମି। ଅଜାଙ୍କ ଘର ହେଉଛି ଶ୍ରୀକ୍ଷେତ୍ର ପୁରୀରେ। ବାପା ମାଆଙ୍କ ସହିତ ନିମୟିତ ପୁରୀ ଯିବା ଓ ପ୍ରଭୁ ଶ୍ରୀଜଗନ୍ନାଙ୍କ ଦର୍ଶନ ଭିତରେ ଜଗନ୍ନାଥଙ୍କ ପ୍ରତି ପିଲାଟି ଦିନୁ ତାଙ୍କର ଅନାବିଳ ଭକ୍ତିଭାବ ଏହି ଭଳି କିଛି କାମ କରିବା ପାଇଁ ଉତ୍ସାହିତ କରିଥାଏ। ଏହା ସହିତ ଝିରପାଣିରେ ଘର ପାଖରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିର ତାଙ୍କର ଭକ୍ତିର ପରିବେଶ ସୃଷ୍ଟି କରିଛି। ସେବାୟତଙ୍କ ସହିତ ମିଶିବା ଓ ଜଗନ୍ନାଥଙ୍କ ସେବା କାର୍ଯ୍ୟରେ ରୁଚି ରଖିବା ଆଦି କାର୍ଯ୍ୟ ରଥ ତିଆରି ପାଇଁ ପ୍ରୋତ୍ସାହନ ସୃଷ୍ଟି କରିଥିଲା। ଘରେ ବସିବା ବେଳେ କାଗଜରେ ରଥ ତିଆରି କରିବାରେ ବ୍ୟସ୍ତ ରହିଥାନ୍ତି। ପରବର୍ତୀ ଅବସ୍ଥାରେ ବାଉଶ କାଠିରେ ରଥ ତିଆରି କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗତବର୍ଷ ପତଳା କାଠରେ କଣ୍ଟା ବାଡେଇ ରଥ ତିଆରି କରିବା ସହିତ ଏହାକୁ ଘର ଭିତରେ ଟାଣିଥିଲେ। ତେବେ ଚଳିତବର୍ଷ ବିନା ଭକ୍ତରେ ପୁରୀରେ ରଥଯାତ୍ରା ହେବ ଓ ଅନ୍ୟ କେଉଁ ସ୍ଥାନରେ ରଥ ଯାତ୍ରା ହେବ ନାହିଁ ବୋଲି ଖବର ତାଙ୍କ ମନକୁ ବ୍ୟଥିତ କରିଥିଲା। ପୁରୀ ଯାଇ ପାରିବେ ନାହିଁ ବୋଲି ଭାବି ମନୁ ଦୁଃଖରେ ଥିବା ବେଳେ କୁନି ଭାଇ ପ୍ରଗ୍ନୟର ଦୁଇ ପଦ କଥା ତାଙ୍କୁ ଜଗନ୍ନାଥଙ୍କ ଭାବ ଓ ରଥ ତିଆରି ଆଡ଼କୁ ଟାଣି ନେଇଥିଲା। ଭାଇ ଏଥର କଣ ରଥ ତିଆରି ହେବ ନାହିଁ ବୋଲି ସାନଭାଇ ପ୍ରଶ୍ନ କରିବା ମାତ୍ରେ ସେ ଏଥର ଭିନ୍ନ ଢଙ୍ଗରେ ଆରମ୍ଭ କରିଥିଲେ ରଥ ତିଆରି। ନିଜ ପାଠ ପଢ଼ା ସହିତ ଅବକାଶ ସମୟରେ ଆଇସିକ୍ରିମ କାଠି, କାର୍ଡ଼ ବୋଡ଼, ଥର୍ମୋ କୁଲ୍‍ ଓ କିଛି ଫେବ୍ରିକଲର ଧରି ରଥ ତିଆରି ଆରମ୍ଭ କରିଥିଲେ।

ଏହି ତିଆରି ଭିତରେ କିଛି ଭୂଲ ଲାଗିଲେ କିମ୍ବା କିଛି ନଜାଣି ପାରିଲେ ପାଖରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପାଖକୁ ଯାଆନ୍ତି। ସେଠାରେ ନୀଳଚକ୍ରକୁ ଚାହିଁ ପ୍ରାର୍ଥନା କରନ୍ତି ଓ ସେଠାରୁ ତାଙ୍କୁ ମିଳୁଥିବା ଆଧ୍ୟାତ୍ମିକ ଶକ୍ତି ଏହି ରଥ ତିଆରିରେ ସହାୟକ ହୋଇଥାଏ। ମାସକ ପରେ ଏହି ରଥ ତିଆରି ଏବେ ଶେଷ ହୋଇଛି। ଏହାର କାରୁକାର୍ଯ୍ୟ ଅତ୍ୟନ୍ତ ମନୋରମ ହୋଇଛି। ଶ୍ରଦ୍ଧାଳୁ ଏହାକୁ ଦେଖି ୧୩ ବର୍ଷ ପିଲାର ଭଗବାନଙ୍କ ପ୍ରତି ଭକ୍ତି ଭାବର ପ୍ରଶଂସା କରୁଛନ୍ତି। ଏହା ସବୁ ଜଗନ୍ନାଥଙ୍କ କୃପା ବୋଲି ପରିବାର କହିଛନ୍ତି। ପିଲାଟି ବେଳୁ ଜଗନ୍ନାଥଙ୍କ ପ୍ରତି ଭଲ ପାଇବା ସହିତ ଝିରପାଣି ଜଗନ୍ନାଥ ମନ୍ଦିର ପ୍ରତି ପରିବାରର ସମ୍ପୃକ୍ତି ଓ ଏହାର ଅନନ୍ୟ ଆଧ୍ୟାତ୍ମିକ ପରିବେଶ ପ୍ରୋନିତଙ୍କ ଏହି ଆଧ୍ୟାତ୍ମିକ କଳାକୃତିକୁ ନୂଆ ରୁପ ଦେଇଥିବା ଆଲୋଚନା ହେଉଛି।

Comments are closed.