ଭୁବନେଶ୍ୱର: ରାଜ୍ୟ ସରକାର ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଗତ ୧୪ ମାସ ମଧ୍ୟରେ ୪୯,୬୭,୬୮,୫୪୮ଟଙ୍କା ଫେରସ୍ତ କରିଛନ୍ତି । ମୌସୁମୀ ଅଧିବେଶନର ଆଜି ୪ର୍ଥ ଦିନରେ ବିଧାନସଭାରେ ବିଧାୟକ ଗୌତମ ବୁଦ୍ଧଦାସଙ୍କ ଲିଖିତ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ରୋଜ୍ ଭ୍ୟାଲି ଗ୍ରୁପ୍ ଅଫ୍ କମ୍ପାନୀ, ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ଗ୍ରୁପ୍ ଅଫ୍ କମ୍ପାନୀ, ହାଇ-ଟେକ୍ ଇଷ୍ଟେଟସ୍ ଗ୍ରୁପ୍ ଅଫ୍ କମ୍ପାନୀର ଏବଂ ମାନ୍ୟବର ତଦନ୍ତ କମିଶନଙ୍କ ଅନ୍ତରୀଣ ରିପୋର୍ଟରେ ସୁପାରିଶ କରାଯାଇଥିବା ଜମାକାରୀଙ୍କୁ ମିଶାଇ ସର୍ବ ମୋଟ ୧,୩୩,୭୫୫ ଜଣ କ୍ଷତିଗ୍ରସ୍ତ ଜମାକାରୀ ଅନ୍ତର୍ଭୁକ୍ତ ହୋଇଥିଲେ । ଅନ୍ୟପଟେ ୪,୭୨,୬୫୧ ଜଣ କ୍ଷୁଦ୍ର ଜମାକାରୀକୁ କର୍ପସ ପାଣ୍ଠିରୁ ଅର୍ଥ ଫେରସ୍ତ ପାଇଁ ସୁପାରିଶ ହୋଇଥିଲା । ସେମାନଙ୍କ ମଧ୍ୟରୁ ୯୬,୮୦୧ ଜଣ କ୍ଷୁଦ୍ର ଜମାକାରୀକୁ ୪୬ କୋଟି ଟଙ୍କା କର୍ପସ ପାଣ୍ଠିରୁ ଫେରସ୍ତ କରାଯାଇଛି ।
ରାଜ୍ୟ ସରକାର କ୍ଷୁଦ୍ର ଜମାକାରୀମାନଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ୩୦୦ କୋଟି ଟଙ୍କାର ଏକ କର୍ପସ୍ ପାଣ୍ଠି ସୃଷ୍ଟି କରିଛନ୍ତି । ରାଜ୍ୟରେ ଆନୁମାନିକ ୨୪,୭୫,୭୮୨ କ୍ଷତିଗ୍ରସ୍ତ ଜମାକାରୀ ୬୮୬୦,୧୪,୪୨,୨୬୩ ଟଙ୍କା ବିଭିନ୍ନ ବେଆଇନ୍ ଆର୍ଥିକ ପ୍ରତିଷ୍ଠାନରେ ପୁଞ୍ଜି ନିବେଶ କରିଛନ୍ତି । ୩,୧୬,୦୬୩ ଜଣ ଜମାକାରୀଙ୍କୁ ମୋଟ ୧୨୩ କୋଟି ଟଙ୍କା ଫେରସ୍ତ କରାଯାଇଛି ।



