ଆଜି ପବିତ୍ର ଶ୍ରାବଣ ଅମାବାସ୍ୟା, ଚିତଉ ଅମାବାସ୍ୟା ବା ଗେଣ୍ଡେଇଶୁଣୀ ଅମାବାସ୍ୟା। ଶ୍ରାବଣ ମାସରେ ଚାଷ ଜମିରେ ଜନ୍ମ ହୁଅନ୍ତି ଅସୁମାରି ଗେଣ୍ଡା। ମୃତ୍ତିକାର ଉପକାର ଗେଣ୍ଡା କଲେ ମଧ୍ୟ କ୍ଷେତରେ ଚାଷୀଙ୍କ ଗୋଡ଼ କାଟି ଦେଇଥାଏ। ଏଣୁ ଅରୁଆ ଚାଉଳରେ ଚିତଉ ପିଠା କରି ଚାଷୀ ଘରର ମାଆମାନେ ଧାନ ବିଲକୁ ଯାଇ ଗେଣ୍ଡେଇଶୁଣୀ ଉଦ୍ଦେଶ୍ୟରେ ପିଠା ମାଟିରେ ପୋତନ୍ତି। ଗେଣ୍ଡା ପୂଜା କରନ୍ତି। ବନ୍ୟା ଜଳରୁ ଫସଲ ସୁରକ୍ଷା ପାଇଁ ବରୁଣ ଦେବତାଙ୍କ ଉଦ୍ଦେଶ୍ୟରେ ପିଠା ଭସାଇଥାନ୍ତି।
ଗେଣ୍ଡା କୃଷକର ବନ୍ଧୁ। କ୍ଷେତର ମିତ। ଚାଷ ଜମିରେ ଥାଏ। ବର୍ଷା ଋତୁରେ ମାଟି ଉପରେ ରହେ। ଖରାଦିନେ ମାଟି ତଳେ ରହେ। ମାଟିକୁ ହାଲୁକା ଛିଦ୍ରଯୁକ୍ତ କରାଇ ଉର୍ବର କରାଏ। ଚାଷଜମି ବିଶେଷ କରି ଧାନ ଜମିରେ ରହି ଅପକାରୀ ଶୈବାଳ, ପଚା ପତ୍ର ଖାଦ୍ୟ ଭାବରେ ଖାଏ। ଏହା ମାସାଂସୀ ହୋଇଥିବା ହେତୁ କ୍ଷୁଦ୍ର ଅପକାରୀ କୀଟ ଭକ୍ଷଣ କରି ଚାଷକୁ ସୁରକ୍ଷା ଦିଏ। ବିଶେଷ କରି ଧାନ ଗଛ ମୂଳରେ ହେଉଥିବା ଚକଡା ପୋକକୁ ଭକ୍ଷଣ କରି ଥାଏ। ଚିତାଲାଗି ଅମାବାସ୍ୟାରେ ଗେଣ୍ଡାକୁ ପୂଜା କରାଯାଏ। ଚାଷୀ ଘରର ଲୋକେ ଧାନଜମିରେ ଗେଣ୍ଡାକୁ ପୂଜା କରନ୍ତି। ଚିତଉ, ଗଇଁଠା ପିଠା ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଖାଇବା ପାଇଁ ଜମିରେ ଦେଇଥାନ୍ତି ।
କାଶୀନାଥ ନାୟକ,
ବ୍ରହ୍ମଗିରି



