ପୁଷ୍କର କ୍ଷେତ୍ରରେ ବାସ କରୁଥିଲେ ଜଣେ ସାଧୁ। ଦିନେ ଏକାନ୍ତ ଅନୁରକ୍ତ ଜଣେ ଭକ୍ତ ତାଙ୍କ ନିକଟକୁ ଆସି କହିଥିଲେ- ‘ମହାତ୍ମନ୍! ମୁଁ ତୀର୍ଥ ଯାତ୍ରାରେ ଯାଉଛି। ସ୍ବର୍ଣ୍ଣମୁଦ୍ରା ଥିବା ଏହି ଥଳିଟି ଆପଣଙ୍କ ନିକଟରେ ମୁଁ ଫେରିବା ପର୍ଯ୍ୟନ୍ତ ରଖନ୍ତୁ।’ ସନ୍ଥ ଏହା ଶୁଣି କହିଥିଲେ- ‘ବତ୍ସ! ମୁଁ ସଂସାର ବୈରାଗୀ ଜଣେ ସନ୍ଥ, ପାର୍ଥିବ ସମ୍ପଦରେ ଆମର ଯାଏ, ଆସେ କେତେ? ଏହାର ରକ୍ଷଣାବେକ୍ଷଣ ତ କେବଳ ସଂସାରୀ ଲୋକଙ୍କ ଦ୍ବାରା ସମ୍ଭବ।’ ଶିଷ୍ୟ ଏହା ଶୁଣି କହିଥିଲେ- ‘ଆପଣଙ୍କ ବ୍ୟତିରେକ କୌଣସି ବି ବିଶ୍ବସନୀୟ ସ୍ଥାନ ମୋତେ ଦିଶୁନାହିଁ। ଶଠତା, ପ୍ରବଞ୍ଚନା, ବିଶ୍ବାସଘାତକତାରେ ଭରା ଏ ଦୁନିଆରେ କାହା ଉପରେ ଭରସା କରିବି?’ ସନ୍ଥ ଏହା ଶୁଣି କୁଟୀରର ଏକ କୋଣକୁ ଅଙ୍ଗୁଳି ନିର୍ଦେଶ କରି କହିଥିଲେ- ଯଦି ଏଭଳି ଭାବୁଛ ତା’ହେଲେ ତୁମ ‘ଧନ’ ସେଠାରେ ଗୋଟିଏ ଗାତ କରି ପୋତି ଦିଅ। ଶିଷ୍ୟ ଗୁରୁଙ୍କ ନିର୍ଦେଶ ମାନି ନିର୍ଦିଷ୍ଟ ସ୍ଥାନରେ ପୋତି ଦେଇ ତୀର୍ଥଯାତ୍ରାରେ ବାହାରି ଯାଇଥିଲେ। ତୀର୍ଥାଟନରୁ ଫେରି ତାଙ୍କର ତଥାକଥିତ ‘ଧନ’ ପୂର୍ବବତ୍ ଥିବା ଦେଖି ସାଧୁଙ୍କୁ ଖୁବ୍ ପ୍ରଶଂସା କରିଥିଲେ। ସାଧୁ କିନ୍ତୁ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନଥିଲେ। ଘରକୁ ଯାଇ ପତ୍ନୀଙ୍କ ହାତରେ ଥଳିଟି ଧରାଇଦେଇ କାେର୍ଯ୍ୟାପଲକ୍ଷେ ଦୁଇଦିନ ପାଇଁ ଅନ୍ୟତ୍ର ଚାଲି ଯାଇଥିଲେ।
ପତିଙ୍କ ତୀର୍ଥ ଭ୍ରମଣଜନିତ ଖୁସିରେ ବିଶେଷ ଖାଦ୍ୟ ପ୍ରସ୍ତୁତ କରି ପଡ଼ୋଶୀଙ୍କୁ ବାଣ୍ଟିବା ନିମନ୍ତେ ଥଳିରୁ ଏକ ସ୍ବର୍ଣ୍ଣ ମୁଦ୍ରା ନେଇ ଏହାକୁ ବିକ୍ରି କରି ପତ୍ନୀ ଆନୁଷଙ୍ଗିକ ଦ୍ରବ୍ୟ କିଣିଥିଲେ। ଗୃହସ୍ବାମୀ ଦୁଇଦିନ ପରେ ପ୍ରତ୍ୟାବର୍ତ୍ତନ କରି ସ୍ବର୍ଣ୍ଣମୋହର ସବୁକୁ ଗଣିବାରୁ ଏହା ଗୋଟିଏ କମ୍ଥିବା ଜାଣି ନିଶ୍ଚିତ ହୋଇଯାଇଥିଲେ ଯେ ଏସବୁ ସନ୍ଥଙ୍କ କାରନାମା। ସେ ନିଶ୍ଚୟ ଚୋରି କରିଛନ୍ତି। କ୍ରୋଧ ଜର୍ଜରିତ ହୋଇ ତାଙ୍କ ନିକଟରେ ପହଞ୍ଚି ଗାଳି ଦେଇଥିଲେ ନାନା ଅପଶବ୍ଦ ପ୍ରୟୋଗ କରି। ଚୋରିର ଆରୋପ ଲଗାଇ ଭଣ୍ଡ ବୋଲି କହିବାକୁ କୁଣ୍ଠା କରି ନଥିଲେ।
ଜଣେ ଶିଷ୍ୟଠାରୁ ଏଭଳି କଟୁକଥା ଶୁଣିବା ପରେ ନିର୍ବିକାର ଥିଲେ ସନ୍ଥ। ଘରେ ପହଞ୍ଚି ସାଧୁଙ୍କୁ ଚୋର ବୋଲି ଅଭିହିତ କରିଥିଲେ ପତ୍ନୀଙ୍କ ଆଗରେ। ସାଧୁଙ୍କୁ ଅଯଥା ଦୋଷାରୋପ କରାଯାଉଥିବା ଜାଣି ପତ୍ନୀ ସତକଥା କହିଥିଲେ। ସତ୍ୟ ଜାଣିବା ପରେ ଶିଷ୍ୟ ଲଜ୍ଜିତ ହୋଇ ସାଧୁଙ୍କ ନିକଟକୁ ଯାଇ ନିଜ ଆଚରଣ ନିମନ୍ତେ ତାଙ୍କ ପାଦତଳେ ପଡ଼ି କ୍ଷମା ପ୍ରାର୍ଥନା କରିଥିଲେ ବିନା କାରଣରେ ଦୁର୍ବ୍ୟବହାର କରିଥିବା ହେତୁ। ନିର୍ବିକାର ସାଧୁ ବାମ ଓ ଡାହାଣ ଦୁଇ ହାତରେ ଦୁଇମୁଠା ଧୂଳି ଧରି ଶିଷ୍ୟଙ୍କ ଉଦ୍ଦେଶ୍ୟରେ କହିଥିଲେ- ‘ମୋ ପାଇଁ ପ୍ରଶଂସା ଓ ନିନ୍ଦା ଠିକ୍ ଏଇ ଧୂଳି ସଦୃଶ। ତୁମର ପ୍ରଶଂସା ଓ ନିନ୍ଦା ମୁଁ କିଛି ହେଲେ ଗ୍ରହଣ କରିନାହିଁ। ଏବେ ତୁମେ ଯାଇପାର।’



