ଗୁରୁଡିଝାଟିଆ: କଟକ ଜିଲ୍ଲା ଆଠଗଡ ବ୍ଲକ ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟ ପରିସରରୁ ୪ମାସର ଶିଶୁପୁତ୍ରକୁ ଅପହରଣ କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଖୁଣ୍ଟୁଣୀ ଥାନା ପୁଲିସ । ଅଭିଯୁକ୍ତମାନେ ହେଲେ ଢେଙ୍କାନାଳ ଜିଲ୍ଲା ନିହାଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଗ୍ରାମର ମାନସୀ ପ୍ରଧାନ ଓ ମିଥୁନ ନାୟକ। ପ୍ରକାଶଯୋଗ୍ୟ ବୁଧବାର ପୂର୍ବାହ୍ନରେ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଭୋଗରା ଗ୍ରାମର ସୁକାନ୍ତ ଦେଉରୀଙ୍କ ପତ୍ନୀ ମିନତୀ ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟକୁ ୪ମାସର ଶିଶୁପୁତ୍ରକୁ ନେଇ ଚିକିତ୍ସା ପାଇଁ ଯାଇଥିଲେ । ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟକୁ ଯିବା ବାଟରେ ପିଙ୍ଗୁଆ ଗ୍ରାମର ସମ୍ପର୍କୀୟ ମାଉସୀ ମାନସୀ ସହିତ ସାକ୍ଷାତ ହୋଇଥିଲା । ଅତି ଚତୁରତାର ସହିତ ମନସୀ କହିଥିଲେ ଯେ, ମୁଁ ଶିଶୁପୁତ୍ରକୁ ଧରିଛି ତୁମେ ନିରାମୟରୁ ଯାଇ ଔଷଧ ଆଣ। ସୁକାନ୍ତ ଓ ମିନତୀ ଔଷଧ ଆଣିବାକୁ ଯାଇଥିବାବେଳେ ମାନସୀ ଶିଶୁପୁତ୍ରଟିକୁ ଧରି ଖୁଣ୍ଟୁଣୀ ବଜାର ଠାରୁ ନିଜ ଗାଁ ପିଙ୍ଗୁଆ ପଳାଇଥିଲା । ଏଥିରେ ମିଥୁନ ନାୟକ ତାଙ୍କୁ ସହଯୋଗ କରିଥିଲେ । ଶିଶୁପୁତ୍ରର ମାଆ ମିନତୀ ଦିନ ଓ ରାତି ତମାମ ଖୋଜାଖୋଜି କରିଥିଲେ ହେଁ ମାନସୀଙ୍କୁ ପାଇ ନ ଥିଲେ।
ମାନସୀକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ଫୋନ ସୁଇଚଅଫ ରହିଥିଲା । ତେଣୁ ବାଧ୍ୟ ହୋଇ ଗୁରୁବାର ସକାଳେ ମିନତୀ ଖୁଣ୍ଟୁଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍ ଅନୁସନ୍ଧାନ ପୂର୍ବକ ଖୋଳତାଡ ଆରମ୍ଭ କରିଥିଲା । ଶେଷରେ ପିଙ୍ଗୁଆ ଗ୍ରାମରେ ପହଞ୍ଚିଚ ମାନସୀ ଓ ମିଥୁନକୁ କାବୁ କରିବା ସହିତ ତାଙ୍କ ଠାରୁ ଶିଶୁପୁତ୍ରକୁ ଉଦ୍ଧାର କରିଥିଲେ । ଅଜିଯୁକ୍ତ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ମାନସୀ ଓ ମିଥୁନ ବେଙ୍ଗାଲୁରୁରେ କାମ କରନ୍ତି । ତେଣୁ ଅପରହରଣ କରିନେଇଥିବା ଶିଶୁପୁତ୍ରକୁ ବାହାରେ ବିକ୍ରି କରିବାର ଯୋଜନା ରଖିଥିଲେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।
ଡାକ୍ତରଖାନା ପରିସରରୁ ଶିଶୁ ଅପହରଣ ଅଭିଯୋଗ; ୨ ଅଭିଯୁକ୍ତ ଗିରଫ ,ଶିଶୁ ଉଦ୍ଧାର
Popular Categories



