ଚିଦାମ୍ବରମଙ୍କୁ ଝଟ୍‌କା; ଆଗୁଆ ଜାମିନ ଆବେଦନ ସୁପ୍ରିମକୋର୍ଟରେ ଖାରଜ

- ଗିରଫ କରିପାରେ ଇଡି

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ପୁଣି ଏକ ଝଟ୍‌କା ଲାଗିଛି। ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ରୁଜୁ କରିଥିବା ମାମଲାରେ ଗୁରୁବାର ସୁପ୍ରିମକୋର୍ଟ ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ଫଳରେ ଇଡି ତାଙ୍କୁ ଗିରଫ କରିବାର ସମ୍ଭାବନା ସୃଷ୍ଟି ହୋଇଛି।

ଗତ ଅଗଷ୍ଟ ୨୧ ତାରିଖରେ ସିବିଆଇ ଚିଦାମ୍ବରମଙ୍କୁ ଗିରଫ କରିବା ପରେ ପଚରାଉଚରା ଜାରି ରଖିଥିଲା। ଗୁରୁବାର ସିବିଆଇର ରିମାଣ୍ଡ ଅବଧି ଶେଷ ହେଉଛି। ଏହା ପରେ ଆର୍ଥିକ କାରବାର ମାମଲାରେ ଇଡି ଚିଦାମ୍ବରମଙ୍କୁ ପଚରାଉଚରା କରିବା ଲାଗି ଗିରଫ କରିପାରେ। ତେଣୁ ଗିରଫଦାରିକୁ ଏଡ଼ାଇବା ଲାଗି ଚିଦାମ୍ବରମ ସୁପ୍ରିମକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ଏହାର ଶୁଣାଣି କରି ଆବେଦନକୁ ଖାରଜ କରିଦେଇଛନ୍ତି। ଫଳରେ ଚିଦାମ୍ବରମଙ୍କ ପାଇଁ ଅଡୁଆ ବଢ଼ିଯାଇଛି।

Comments are closed.