www.samajalive.in
Tuesday, December 9, 2025
23.1 C
Bhubaneswar

ସତର୍କତା ବଢ଼ାଅ : କେନ୍ଦ୍ର

ନୂଆଦିଲ୍ଲୀ : କରୋନାର ନୂଆ ପ୍ରଜାତିର ଭୂତାଣୁ ଓମିକ୍ରନ (ବି.୧.୧.୨୯୫)କୁ ନେଇ ଆତଙ୍କ ଦେଖାଯାଇଥିବାବେଳେ ଏହାକୁ ନେଇ କେନ୍ଦ୍ର ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଗୁଡିକୁ ଜାରି ମାର୍ଗଦର୍ଶିକାରେ ନୂଆ ପ୍ରଜାତିର ଭୂତାଣୁକୁ ନେଇ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ବିଶେଷ କରି କୋଭିଡ୍ ନମୁନା ପରୀକ୍ଷା ବଢାଇବା ସହିତ ସଂକ୍ରମଣ ପ୍ରବଣ ଅଞ୍ଚଳ (ହଟ୍‌ସ୍ପଟ୍‌)କୁ ନିୟନ୍ତ୍ରଣ କରିବା ଲାଗି କୁହାଯାଇଛି। ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ଅଞ୍ଚଳକୁ ନିୟମିତ ଅନୁଧ୍ୟାନ କରିବାକୁ ପରାମର୍ଶ ଦିଆଯାଇଛି। ନୂଆ ପ୍ରଜାତି ଭୂତାଣୁ ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ଦେଶରୁ ଆସୁଥିବା ଯାତ୍ରୀଙ୍କୁ ଯାଞ୍ଚ, ସ୍ବାସ୍ଥ୍ୟ ପରୀକ୍ଷା ଓ ୧୪ ଦିନ ପାଇଁ ସଂଗରୋଧରେ ରଖିବାକୁ କୁହାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଲେଖି ଏହି ମାର୍ଗଦର୍ଶିକାକୁ ଅନୁପାଳନ କରିବାକୁ କହିଛନ୍ତି। ସମ୍ବେଦନଶୀଳ ଦେଶରୁ ଆସୁଥିବା ଯାତ୍ରୀଙ୍କ ନମୁନା ପଜିଟିଭ୍ ଆସିଲେ ତାକୁ ଜିନୋମ୍ ସି‌େକ୍ବନ୍ସ ପରୀକ୍ଷା ନିମନ୍ତେ ନିର୍ଦ୍ଧାରିତ ଆଇଏନ୍‌ଏସଏସିଓଜି ପରୀକ୍ଷାଗାରକୁ ପଠାଇବାକୁ କୁହାଯାଇଛି। ଏହି ଜିନୋମ ସି‌େକ୍ବନ୍ସ ପରୀକ୍ଷାକୁ ନିଶ୍ଚିତ କରାଇବା ଦିଗରେ ବାୟୋଟେକ୍ନୋଲୋଜି ବିଭାଗ ଓ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ନିଶ୍ଚିତ କରାଇବେ। ନୂଆ ପ୍ରଜାତିର ଭୂତାଣୁ କୌଣସିଠାରେ ଚିହ୍ନଟ ହେଲେ ତୁରନ୍ତ ଏହାକୁ ନିଷିଦ୍ଧାଞ୍ଚଳ ଘୋଷଣା କରିବା ପୂର୍ବକ ଏଠାରେ ନମୁନା ପରୀକ୍ଷା କରାଇବାକୁ କୁହାଯାଇଛି। ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାର ଅଧିକରୁ ଅଧିକ ନମୁନା ପରୀକ୍ଷା କରାଇବା ସହିତ ସଂକ୍ରମିତଙ୍କୁ ଯଥାଶୀଘ୍ର ଚିହ୍ନଟରେ ସହାୟକ ହେବେ। ଫଳରେ ସଂକ୍ରମଣ ବ୍ୟାପକ ହୋଇପାରିବ ନାହିଁ। ନୂଆ ପ୍ରଜାତିର ଭୂତାଣୁକୁ ନେଇ ତୃତୀୟ ଲହର ଆସିବାର ଆଶଙ୍କା ବୃଦ୍ଧି ପାଇଥିବାବେଳେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ପ୍ରସ୍ତୁତ ରଖିବା ଲାଗି ମଧ୍ୟ ରାଜ୍ୟଗୁଡିକୁ କୁହାଯାଇଛି। ସେହିପରି ଭୂତାଣୁ ସଂକ୍ରମଣ ନେଇ ଗୁଜବକୁ ରୋକିବା ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ଲୋକଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି ନିୟମିତ ଭାବେ ଲୋକଙ୍କ ସଚେତନ କରାଇବାକୁ କୁହାଯାଇଛି। ସମସ୍ତ ବିମାନ ବନ୍ଦର ଓ ବନ୍ଦର ସ୍ବାସ୍ଥ୍ୟ ଅଧିକାରୀଙ୍କୁ ସମ୍ବେଦନଶୀଳ ହେବାକୁ କୁହାଯାଇଛି। ବିଦେଶରୁ ଆସୁଥିବା ଯାତ୍ରୀଙ୍କ ନମୁନା ପରୀକ୍ଷାକୁ ନିଶ୍ଚିତ କରିବାକୁ କୁହାଯାଇଛି। ଦୈନିକ ସଂକ୍ରମଣ ହାର ୫%ରୁ କମ୍ ରଖିବାକୁ ରାଜ୍ୟ ସରକାରଗୁଡିକୁ କୁହାଯାଇଛି।
ଓମିକ୍ରନ ଭୂତାଣୁର ଆତଙ୍କକୁ ନେଇ ରବିବାର ସ୍ବରାଷ୍ଟ୍ର ସଚିବ ଅଜୟ ଭାଲାଙ୍କ ନେତୃତ୍ବରେ ଜରୁରୀ ବୈଠକ ହୋଇଛି। ​‌େ​‌ବୖଠକରେ ନିତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍‌, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ଡାକ୍ତର ବିଜୟ ରାଘବନଙ୍କ ସମେତ ସ୍ବାସ୍ଥ୍ୟ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ଡିସେମ୍ବର ୧୫ରୁ ଆରମ୍ଭ ହେବାକୁ ଥିବା ଆନ୍ତର୍ଜାତିକ ବିମାନ ଚଳାଚଳ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ କୁହାଯାଇଛି। ଓମିକ୍ରନ ଭୂତାଣୁ ଏବେ ଅଧିକରୁ ଅଧିକ ଦେଶକୁ ବ୍ୟାପିବାରେ ଲାଗିଛି। ରବିବାର ଏହି ଭୂତାଣୁ ନେଦରଲ୍ୟାଣ୍ଡସ୍‌, ଜର୍ମାନୀ ସମେତ ଆଉ କେତେକ ରାଷ୍ଟ୍ରକୁ ବ୍ୟାପିଛି। ନେଦରଲ୍ୟାଣ୍ଡସ୍‌ର ୧୩ଜଣଙ୍କ ଠାରେ ଓମିକ୍ରନ ଭୂତାଣୁ ଠାବ କରାଯାଇଛି। ସଂକ୍ରମିତଙ୍କ ମଧ୍ୟରୁ କେତେକ ଦକ୍ଷିଣ ଆଫ୍ରିକା ଫେରନ୍ତା ରହିଛନ୍ତି। ଜର୍ମାନୀକୁ ଓମିକ୍ରନ ଭୂତାଣୁ ବ୍ୟାପିଥିବା ନେଇ ରବିବାର ଦେଶର ସାମାଜିକ ବ୍ୟାପାର ମନ୍ତ୍ରୀ କାଇ କ୍ଲୋସେ କହିଛନ୍ତି। କ୍ଲୋସେ କହିଛନ୍ତି ଯେ ଦେଶର ୩ଜଣଙ୍କ ଠାରେ ଓମିକ୍ରମ ଭୂତାଣୁ ଠାବ ହୋଇଛି। ପୂର୍ବରୁ ଏହି ଭୂତାଣୁ ବୋସୁଆନା, ହଂକଂ, ଇସ୍ରାଏଲ୍‌, ଇଂଲଣ୍ଡ ଆଦି ରାଷ୍ଟ୍ରକୁ ବ୍ୟାପିସାରିଛି।

Hot this week

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

Related Articles

Popular Categories