ନୂଆଦିଲ୍ଲୀ: ଏକ ଦୁଇ ଦିନିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମସ୍କୋ ଗସ୍ତରେ ଯାଇଛନ୍ତି। ଧର୍ମେନ୍ଦ୍ରଙ୍କ ସହ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳିର ନେତୃତ୍ୱ କରି ମସ୍କୋ ଗସ୍ତରେ ଯାଇଛନ୍ତି। ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିରେ ଧର୍ମେନ୍ଦ୍ରଙ୍କର ଏହା ପ୍ରଥମ ବିଦେଶ ଗସ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଚମ ବାର୍ଷିକ ପୂର୍ବାଞ୍ଚଳ ଆର୍ଥିକ ଫୋରମରେ ଯୋଗ ଦେବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଋଷର ଶକ୍ତି ମନ୍ତ୍ରୀ ଆଲେକଜାଣ୍ଡର୍ ନୋଭାକ୍ଙ୍କ ସହିତ ଶକ୍ତି କ୍ଷେତ୍ରରେ ସହଯୋଗର ସମୀକ୍ଷା କରିବେ। ଏହି ବୈଠକ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ଋଷ ସହ ବିଂଶତମ ବାର୍ଷିକ ଦ୍ୱିପାକ୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ଗସ୍ତ କାଳରେ ଭାରତ ଋଷ ମଧ୍ୟରେ ତୈଳ ଓ ଗ୍ୟାସ ସମେତ ଶକ୍ତି କ୍ଷେତ୍ର, ଇସ୍ପାତ ତଥା କୋଇଲା କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା କରାଯିବ। ଭାରତର ଇସ୍ପାତ କ୍ଷେତ୍ରରେ କଞ୍ଚାମାଲ ଯୋଗାଣକୁ ସୁରକ୍ଷିତ କରିବା ପାଇଁ ସବୁ ଅଂଶୀଦାରଙ୍କ ସହ ସମ୍ପର୍କ ସ୍ଥାପନ ଉପରେ ଭାରତ ଗୁରୁତ୍ୱ ଦେଉଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଗସ୍ତ ସମୟରେ ଋଷିଆ ଫେଡେରେସନର ଉପ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଧର୍ମେନ୍ଦ୍ର ଋଷିଆର ଶକ୍ତି ମନ୍ତ୍ରୀଙ୍କ ସହ ଭାରତୀୟ ତୈଳ, ଗ୍ୟାସ ଓ ଇସ୍ପାତ କମ୍ପାନୀମାନଙ୍କର ବାର୍ତାଳାପ ମାଧ୍ୟମରେ ଉଭୟ ଦେଶ ମଧ୍ୟରେ ଶିଳ୍ପ ଓ ବାଣିଜ୍ୟ ସମ୍ପର୍କ ସମ୍ବନ୍ଧରେ ଆଲୋଚନା କରିବେ।



