ସୁପ୍ରିମକୋର୍ଟରେ ଫେରାଦ ହେଲେ କେନ୍ଦ୍ର ସରକାର, ସୁରକ୍ଷାରେ ବାଧା ସୃଷ୍ଟି କରୁଛନ୍ତି ମମତା ସରକାର

ଡେସ୍କ: ଅଗଷ୍ଟ ୯ ତାରିଖରେ କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ଡାକ୍ତରଙ୍କୁ ନିର୍ମମ ଭାବେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ବେଳେ ପଶ୍ଚିମବଙ୍ଗ ସରକାର ସୁରକ୍ଷା ଟିମକୁ ଗମନାଗମନ ସହାୟତା ଯୋଗାଇବାରେ ସହଯୋଗ କରୁନଥିବା ଅଭିଯୋଗ କରି କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ – ସିଆଇଏସଏଫ ଯବାନଙ୍କୁ ସେଠାରେ ନିୟୋଜିତ କରିବା ନେଇ କେନ୍ଦ୍ର ସରକାର ମଙ୍ଗଳବାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି।

ଏହି ଆବେଦନରେ ସିଆଇଏସଏଫ ଯବାନମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକ ଉପରେ କୁହାଯାଇଛି, ଯେଉଁଥିରେ ପର୍ଯ୍ୟାପ୍ତ ବାସସ୍ଥାନ, ସୁରକ୍ଷା ଉପକରଣ ଅଭାବ ଏବଂ ପରିବହନ ବ୍ୟବସ୍ଥା ଅନ୍ତର୍ଭୁକ୍ତ ରହିଛି, ଯାହା ସେମାନଙ୍କ କର୍ତ୍ତବ୍ୟକୁ ପ୍ରଭାବଶାଳୀ ଭାବରେ ସମ୍ପାଦନ କରିବାରେ ବାଧା ସୃଷ୍ଟି କରୁଛି ବୋଲି କେନ୍ଦ୍ର କହିଛି। ସିଆଇଏସଏଫକୁ ସମ୍ପୂର୍ଣ୍ଣ ସହଯୋଗ କରିବା ଏବଂ ଅଗଷ୍ଟ ୨୦ରେ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ କରିବାକୁ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ସରକାର ତାଙ୍କ ଆବେଦନରେ ଦାବି କରିଛନ୍ତି।

ଜଣେ ପ୍ରଶିକ୍ଷଣର୍ଥୀ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାରେ ସୁପ୍ରିମକୋର୍ଟ ଡାକ୍ତରଖାନାରେ ସିଆଇଏସଏଫ ଯବାନଙ୍କୁ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Comments are closed.