ନୂଆଦିଲ୍ଲୀ: କରୋନା ମହାମାରୀ ବିରୋଧରେ ଲଢ଼େଇ ପାଇଁ ଔଷଧ ପ୍ରସ୍ତୁତ କରିଛି ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ(ଡିଆରଡିଓ)। ଏହାର ନାମ ହେଉଛି ୨-ଡିଅକ୍ସି-ଡି-ଗ୍ଲୁକୋଜ (୨-ଡିଜି)। ଏହାର କ୍ଲିନିକାଲ ପରୀକ୍ଷଣ ସଫଳତାର ସହ ଶେଷ ହେବା ପରେ କୋଭିଡ ରୋଗୀଙ୍କ କ୍ଷେତ୍ରରେ ଏହି ଔଷଧର ଜରୁରୀ ବ୍ୟବହାର ଲାଗି ଡିସିଜିଆଇ ଶନିବାର ଅନୁମତି ପ୍ରଦାନ କରିଛି।
କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏହି ଔଷଧ ବ୍ୟବହାର କରାଯିବ। ଡିଆରଡିଓର ଇନଷ୍ଟିଚ୍ୟୁଟ୍ ଅଫ ନ୍ୟୁକ୍ଲିୟର ମେଡିସିନ ଆଣ୍ଡ ଆଲାଏଡ ସାଇନ୍ସେସ୍ (ଆଇଏନଏମଏଏସ) ହାଇଦ୍ରାବାଦ ସେଣ୍ଟର ଫର ସେଲ୍ୟୁଲାର ଆଣ୍ଡ ମଲିକୁଲାର ବାୟୋଲୋଜି (ସିସିଏମବି) ସହିତ ମିଶି ଏହି ଔଷଧ ପ୍ରସ୍ତୁତ କରିଛି। ଏହାର ମାନୁଫାକ୍ଚରିଂ ଦାୟିତ୍ଵ ହାଇଦ୍ରାବାଦସ୍ଥିତ ଡା. ରେଡ୍ଡୀ ଲାବରେଟୋରିଜକୁ ଦିଆଯାଇଛି।
ମିଳିଥିବା ସୂଚନା ଅନୁସାରେ, ଔଷଧର କ୍ଲିନିକାଲ ଟ୍ରାଏଲ ସଫଳ ହୋଇଛି। ଯେଉଁ କରୋନା ରୋଗୀଙ୍କଠାରେ ଏହି ଔଷଧ ପ୍ରୟୋଗ କରାଯାଇଛି ସେମାନଙ୍କଠାରେ ଦ୍ରୁତ ଆରୋଗ୍ୟ ପରିଲକ୍ଷିତ ହୋଇଛି। ଅନ୍ୟ କରୋନା ରୋଗୀଙ୍କ ତୁଳନାରେ ଏହି ଔଷଧ ବ୍ୟବହାର କରିଥିବା କରୋନା ରୋଗୀ ଶୀଘ୍ର ସୁସ୍ଥ ହୋଇଛନ୍ତି। ଏହା ସହିତ ରୋଗୀଙ୍କୁ ଅମ୍ଳଜାନ ଉପରେ କମ୍ ନିର୍ଭର କରିବାକୁ ପଡ଼ିବ ବୋଲି କୁହାଯାଇଛି।


