ନୂଆଦଲ୍ଲୀ: ଅନଲାଇନ୍ ମେସେଜିଂ ଆପ୍ ହ୍ବାଟ୍ସଆପ ଚଳିତବର୍ଷଠାରୁ ଏହାର ଗୋପନୀୟତା ନୀତିକୁ ପ୍ରତ୍ୟାହାର କରିବା ଲାଗି କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି। ଏ ନେଇ ସରକାରଙ୍କ ପକ୍ଷରୁ ହ୍ବାଟ୍ସଆପ ମୁଖ୍ୟ ଉଇଲ୍ କ୍ୟାଥକାର୍ଟଙ୍କୁ ଚିଠି ଲେଖିଛନ୍ତି। ଭାରତୀୟ ବ୍ୟବହାରକାରୀଙ୍କ ସୂଚନାଭିତ୍ତିକ ନିରାପତ୍ତା ଏବଂ ତଥ୍ୟର ସୁରକ୍ଷାକୁ ସମ୍ମାନ ଜଣାଇ ଗୋପନୀୟତା ନୀତି ପ୍ରତ୍ୟାହାର କରିବା ଲାଗି ସରକାର ଚିଠିରେ କହିଛନ୍ତି।
ଗତ ଜାନୁୟାରୀ ୪ରେ ହ୍ବାଟ୍ସଆପ ଏହାର ଗୋପନୀୟତା ନୀତିକୁ ପରିବର୍ତ୍ତନ କରିଥିଲା। ଫେସବୁକ ଏବଂ ଅନ୍ୟ ପ୍ଲାଟଫର୍ମରେ ହ୍ବାଟ୍ସଆପ ବ୍ୟବହାରକାରୀଙ୍କ ତଥ୍ୟ ଶେୟାର କରିବା ଲାଗି ହ୍ବାଟ୍ସଆପ ନୂଆ ନୀତିରେ ସର୍ତ୍ତ ରଖିଛି। ଏହାଦ୍ବାରା ବ୍ୟବହାରକାରୀଙ୍କ ଗୋପନୀୟତା ପ୍ରତି ବିପଦ ସୃଷ୍ଟି ହୋଇଛି। ଅନେକ ବ୍ୟବହାରକାରୀ ହ୍ବାଟ୍ସଆପ ଛାଡ଼ି ସିଗନାଲ ଏବଂ ଟେଲିଗ୍ରାମ ଭଳି ପ୍ଲାଟଫର୍ମକୁ ପ୍ରବେଶ କରିଥିଲେ। ବିଭିନ୍ନ ମହଲରେ ହ୍ବାଟ୍ସଆପର ଏହି ନୀତିକୁ ବିରୋଧ କରାଯିବା ସହିତ ଏ ନେଇ କୋର୍ଟରେ ମାମଲା ଚାଲିଛି। କେନ୍ଦ୍ର ସରକାର ପୂର୍ବରୁ ମଧ୍ୟ ଏହି ଗୋପନୀୟତା ନୀତିକୁ ପ୍ରତ୍ୟାହାର କରିବା ଲାଗି କମ୍ପାନୀକୁ ନିର୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଭାରତ ହେଉଛି ହ୍ବାଟ୍ସଆପର ସବୁଠୁ ବଡ଼ ବ୍ୟବସାୟିକ ପେଣ୍ଠସ୍ଥଳ। ଯେଉଁଠି ୪୦ କୋଟି ବ୍ୟବହାରକାରୀ ହ୍ବାଟ୍ସଆପ ସହିତ ଜଡ଼ିତ ଅଛନ୍ତି।



