ସିବିଏସ୍‍ଇର ୧୩୦ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦେଶ

0

ନୂଆଦିଲ୍ଲୀ : ଦଶମ ତଥା ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାଙ୍କନ କରିଥିବା ଦେଶର ୧୩୦ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ। ଏ ନେଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ପକ୍ଷରୁ ନିର୍ଦେଶ ଦିଆଯାଇଛି। ଭୁବନେଶ୍ୱରର ୭ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ବୋଲି ଜଣାପଡିଛି। ସେହିଭଳି ପାଟନାର ସର୍ବାଧିକ ୪୫ ଜଣ, ଚେନ୍ନାଇର ୧୪ଜଣ, ଆହ୍ଲାବାଦର ୧୧ଜଣ, ଦିଲ୍ଲୀର ୬ ଜଣ, ଗୌହାଟୀର ୨ ଜଣ, ତ୍ରିଭାନ୍ଦ୍ରମ୍‍ର ଜଣେ ଏବଂ ଆଜମେର ଓ ପଞ୍ଚକୁଳାର ୮ ଜଣ ଲେଖାଏଁ ଶିକ୍ଷକ ଶିକ୍ଷୟିତ୍ରୀ ଏହି ତାଲିକାରେ ଅଛନ୍ତି। ସିବିଏସ୍‍ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ମୋଟ ନମ୍ବର ପ୍ରକାଶ କରିବାରେ ଏମାନେ ବିଫଳ ହୋଇଥିବା ଅଭିଯୋଗ ରହିଛି। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଏହି ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ନିଲମ୍ବିତ କରାଯାଇପାରେ। ଇତିମଧ୍ୟରେ ଅଭିଯୁକ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରିବାକୁ ସିବିଏସ୍‍ଇର ଡେରାଡୁନ୍‍ ଏବଂ ଦିଲ୍ଲୀ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏହା ଅଧୀନ ସ୍କୁଲ୍‍ଗୁଡିକୁ ଚିଠି ଜାରି କରାଯାଇଛି। ମେ’ ଶେଷ ସପ୍ତାହରେ ସିବିଏସ୍‍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳାଫଳ ପ୍ରକାଶ ପରେ ଅସନ୍ତୁଷ୍ଟ କିଛି ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ପୁନଃ-ମୂଲ୍ୟାଙ୍କନ ପାଇଁ ଆବେଦନ କରିଥିଲେ। ଏହାକୁ ଭିତ୍ତି କରି ଜୁନ୍‍ ୧ରୁ ସିବିଏସ୍‍ଇ ପକ୍ଷରୁ ପୁନଃ ଖାତାଦେଖା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ଅଧିକାଂଶ ଛାତ୍ରଛାତ୍ରୀ ପୂର୍ବାପେକ୍ଷା ଅଧିକ ୫୦ରୁ ୫୫ ଲେଖାଏଁ ଅଙ୍କ ଲାଭ କରିଥିଲେ। ସିବିଏସ୍‍ଇ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଖାତା ଦେଖା ବେଳେ ତ୍ରୁଟିପୂର୍ଣ୍ଣ ମୂଲ୍ୟାଙ୍କନ କରିଥିବା ଶିକ୍ଷକ ଶିକ୍ଷକୟତ୍ରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଏହି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ନିରୀହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି ହୋଇଥିବା ବେଳେ ବୋର୍ଡର ଭାବମୂର୍ତ୍ତି ହାନି ହୋଇଛି ବୋଲି ସିବିଏସ୍‍ଇ ପକ୍ଷରୁ କୁହାଯାଇଛି। ଆଗାମୀ ଦିନରେ ସିବିଏସ୍‍ଇ ଅଧୀନ ଯେଉଁ ସ୍କୁଲ୍‍ ବିରୋଧରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାଙ୍କନ ଅଭିଯୋଗ ମିଳବ ସେଠାକାର ଶିକ୍ଷକ ଏବଂ ସଂଯୋଜକଙ୍କ ବିରୋଧରେ ଆଞ୍ଚଳିକ କାର୍ଯ୍ୟାଳୟଗୁଡିକ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

Leave A Reply