ଭୁବନେଶ୍ବର : ଦେଶରେ ଜାତିଭିତ୍ତିକ ଜନଗଣନା କରାଯିବ ବୋଲି କେନ୍ଦ୍ର ସରକାର କ୍ୟାବିନେଟ୍ରେ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଦେଖିଲେ ଶିକ୍ଷା, ନିଯୁକ୍ତି ଏବଂ ରାଜନୀତିରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ସାଧାରଣ ନିର୍ବାଚନ-୨୦୨୪ ଯେମିତି ହୋଇଥିଲା ତାହାର କେତେ ଗୁଣା ବଡ଼ ନିର୍ବାଚନ ଭାରତ ଆସନ୍ତା ୨୦୨୯ରେ ଦେଖିବାକୁ ଯାଉଛି। ଭାରତର ଇତିହାସ, ରାଜନୀତି, ଭୂଗୋଳ ଏବଂ ଲୋକପ୍ରତିନିଧିଙ୍କ ପରିଚୟ ବଦଳିବ। ଆସନ୍ତା ବର୍ଷ ହେବାକୁ ଥିବା ଜନଗଣନା ଏସବୁର ମୂଳ ଆଧାର ପାଲଟିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି।
୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ଆସିବା ପରେ ବ୍ରିଟିଶ ଶାସନ ସମୟରୁ ଚାଲୁଥିବା ଅନେକ ଔପନିବେଶିକ ଆଇନକୁ ପ୍ରତ୍ୟାହାର ବା ସଂଶୋଧନ କରାଯାଇଛି। ଏହି ପ୍ରକ୍ରିୟାରେ ପ୍ରାୟ ୧୫୦୦ରୁ ଅଧିକ ଅପ୍ରଚଳିତ ଆଇନ ପ୍ରତ୍ୟାହାର କରିଛନ୍ତି ମୋଦୀ ସରକାର। ୨୦୨୩ରେ ଆପରାଧିକ ଆଇନ ସଂଶୋଧନ କରି ଭାରତୀୟ ନ୍ୟାୟ ଓ ବିଚାର ଆଇନରେ ସ୍ବଦେଶୀ ଆଭିମୁଖ୍ୟକୁ ଯୋଡ଼ିଛନ୍ତି କେନ୍ଦ୍ର ସରକାର। ୨୦୨୪, ଜୁଲାଇ ୧ରୁ କାର୍ୟ୍ୟକାରୀ ହୋଇଥିବା ଏହି ନୂଆ ଆଇନଗୁଡ଼ିକ ହେଉଛି ଭାରତୀୟ ନ୍ୟାୟ ସଂହିତା (ବିଏନଏସ), ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସଏସ) ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ (ବିଏସଏ)। ୨୦୧୯ରେ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରରୁ ଧାରା-୩୭୦ ଏବଂ ୩୫-ଏ ପ୍ରତ୍ୟାହାର କରି ଏକ ମହତ୍ତ୍ବପୂର୍ଣ୍ଣ ପରିବର୍ତ୍ତନ ଆଣିଥିଲେ। ଫଳରେ ଜମ୍ମୁ ଓ କାଶ୍ମୀରକୁ ଭାରତର ଅନ୍ୟ ରାଜ୍ୟଗୁଡ଼ିକ ସହ ସମାନ କରାଯାଇଛି। ୨୦୨୪ରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପୁଣି ଥରେ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ଦେଶର ନିର୍ବାଚନ, ପ୍ରତିନିଧି ସଂଖ୍ୟାରେ ପରିବର୍ତ୍ତନ ପାଇଁ ଅଙ୍କକଷା ଆରମ୍ଭ ହୋଇଛି। ଏଥିଲାଗି ସାମ୍ବିଧାନିକ ଆବଶ୍ୟକତା ଅନୁସାରେ ଭାରତର ଜନଗଣନା ରିପୋର୍ଟକୁ ଅପେକ୍ଷା କରାଯାଇଛି। ୨୦୨୧ରେ କରୋନା କଟକଣା ହେତୁ ବନ୍ଦ ଥିବା ଜନଗଣନା କାର୍ୟ୍ୟକ୍ରମ ଆସନ୍ତାବର୍ଷ ଆରମ୍ଭ ହୋଇପାରେ। ପୁଣି ସ୍ବାଧୀନ ଭାରତରେ ପ୍ରଥମଥର ପାଇଁ ଜାତିଭିତ୍ତିକ ଜନଗଣନା ହେବ। ଏହି ଜନଗଣନା ୨୦୨୯ ସାଧାରଣ ନିର୍ବାଚନରେ ଅନେକ ପରିବର୍ତ୍ତନ ଆଣିପାରେ।
ଏହି ପରିବର୍ତ୍ତନରେ ବଡ଼ ଲାଭବାନ୍ ହେବେ ଦେଶର ମହିଳା, ପଛୁଆ ବର୍ଗ ଏବଂ ସାଧାରଣ ଜନତା। ଲୋକସଭାରେ ଆସନ ସଂଖ୍ୟା ବୃଦ୍ଧି ପାଇବ ଏବଂ ସାରା ଭାରତରେ ଅଧିକ ଜନପ୍ରତିନିଧିଙ୍କୁ ଲୋକେ ସଦସ୍ୟ ଭାବେ ଲୋକସଭାକୁ ପଠାଇବେ। ଏହାଦ୍ୱାରା ଲୋକଙ୍କ ସମସ୍ୟାକୁ ଶୁଣିବା ଲାଗି ଅଧିକ ଲୋକପ୍ରତିନିଧି ଆସିପାରିବେ। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗଙ୍କ ଲାଗି ସଂସଦ ଓ ବିଧାନସଭାରେ ଆସନ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି ଠିକ୍ ସେହିପରି ପଛୁଆବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ହେବ। ୨୦୨୬ରେ ଜନଗଣନା ରିପୋର୍ଟ ଆସିବା ପରେ ଯେଉଁ ସଂଖ୍ୟାରେ ଯେଉଁ ଜାତି ଥିବେ ସେହି ଆଧାରରେ ସଂରକ୍ଷଣ ବ୍ୟବସ୍ଥା ମିଳିପାରେ। ପୂର୍ବରୁ ବିଭିନ୍ନ ଚାକିରି ଓ ଶିକ୍ଷାନୁଷ୍ଠାନରେ ପଛୁଆବର୍ଗଙ୍କ ଲାଗି ୨୭ପ୍ରତିଶତ ଆରକ୍ଷଣ ବ୍ୟବସ୍ଥା ସୁପାରିସ ହୋଇଥିଲା। ଆଗକୁ ରାଜନୀତିକ କ୍ଷେତ୍ରରେ ଅର୍ଥାତ୍ ପ୍ରତିନିଧିତ୍ୱ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ସଂସଦ ଓ ବିଧାନସଭାରେ ୨୭ ପ୍ରତିଶତ ପଛୁଆବର୍ଗଙ୍କୁ ଦେଖିବାକୁ ମିଳିପାରେ। ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ରହିବ। ନାରୀଶକ୍ତି ବନ୍ଦନା ଆଇନ-୨୦୨୩ ଅନୁସାରେ ଏହି ବ୍ୟବସ୍ଥା ଘୋଷଣା କରାଯାଇଛି। ଏହାଦ୍ବାରା ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ଏକ ତୃତୀୟାଂଶ ଆସନରେ ରହିବ। ସେହିପରି ସୀମା ପୁନଃନିର୍ଦ୍ଧାରଣରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ଏହାଦ୍ୱାରା ଲୋକସଭା ଆସନ ସଂଖ୍ୟା ବଢ଼ିପାରେ। ନୂଆ ସଂସଦରେ ଏହି ବର୍ଦ୍ଧିତ ସଂଖ୍ୟାକୁ ଧାରଣ କରିବା ଲାଗି ୮୮୮ଆସନ ଲୋକସଭାରେ ରହିଛି। ସରକାର ଜନସଂଖ୍ୟା ରିପୋର୍ଟ ଆଧାରରେ ସୀମା ପୁନଃ ନିର୍ଦ୍ଧାରଣ କରିବାକୁ ସ୍ଥିର କରିଥିବାରୁ ପଞ୍ଚାୟତ ପ୍ରତିନିଧିଠାରୁ ଆରମ୍ଭ କରି ସାଂସଦଙ୍କ ପର୍ୟ୍ୟନ୍ତ ପ୍ରତିନିଧିଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି କୁହାଯାଉଛି।



