ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର ଶେଷ

୩୧ରେ ସକାଳ ୭ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ମତଦାନ, ୨୨୮ ପୁଲିଂ ଅଧିକାରୀ, ୯୭୦ ସୁରକ୍ଷା କର୍ମଚାରୀ ନିଯୁକ୍ତ, ଝାରସୁଗୁଡ଼ା ଇଞ୍ଜିନିୟରିଂ କଲେଜରେ ଷ୍ଟ୍ରଙ୍ଗରୁମ୍‌, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର : ବ୍ରଜରାଜନଗର ଉପନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ରବିବାର ସନ୍ଧ୍ୟା ୬ଟାରେ ସରିଛି। ଆସନ୍ତା ୩୧ରେ ମତଦାନ ଥିବାବେଳେ ଏଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି।
ଏହି ପରିପ୍ରେକ୍ଷୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଲୋହାନୀ ୨୭୯ ବୁଥ୍‌ରେ ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ବୋଲି କହିଥିଲେ। ସମସ୍ତ ପୁଲିଂ ଦଳ ଆବଶ୍ୟକ ନିର୍ବାଚନ ସାମଗ୍ରୀ ଧରି ବୁଥ୍‌କୁ ଯାଇଛନ୍ତି। ସଂରକ୍ଷିତ କର୍ମଚାରୀଙ୍କୁ ମିଶାଇ ମୋଟ ୧୨୨୮ ପୁଲିଂ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ବୁଥ୍‌ଗୁଡ଼ିକରେ ୯୭୦ ସୁରକ୍ଷା କର୍ମଚାରୀ ଏବଂ ତିନି କମ୍ପାନୀ କେନ୍ଦ୍ରୀୟ ପୁଲିସ ଦଳଙ୍କୁ ନିୟୋଜିତ କରାଯାଇଛି। ଉପନିର୍ବାଚନରେ ୧୧୦୦୫୦ ପୁରୁଷ, ୧୦୪ ୪୮୭୮ ମହିଳା ଓ ୧୭ ଜଣ ତୃତୀୟ ଲିଙ୍ଗୀ ଭୋଟର ମତଦାନ ସାବ୍ୟସ୍ତ କରିବେ। ପୁଲିସ ପ୍ରଶାସନ ପକ୍ଷରୁ ୬୦ଟି ଉତ୍ତେଜନାପ୍ରବଣ ବୁଥ୍‌ ଚିହ୍ନଟ ହୋଇଥିବାବେଳେ ସେଠାରେ ଶୃଙ୍ଖଳିତ ମତଦାନ ନିମନ୍ତେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେସବୁ ବୁଥ୍‌ରେ ୫୦ ମାଇକ୍ରୋ ଅବଜରଭର, ଅତିରିକ୍ତ କେନ୍ଦ୍ରୀୟ ପୁଲିସ ବଳଙ୍କୁ ନିଯୁକ୍ତ ସହ ୱେବ୍‌କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ୫୦ ପ୍ରତିଶତ ବୁଥ୍‌ରେ ୱେବ୍‌ କାଷ୍ଟିଂ କରାଯିବ। ଭୋଟରଙ୍କ ସୁବିଧା ନିମନ୍ତେ ୩୦ ମଡେଲ ଓ ୫ ପିଙ୍କ୍‌ ବୁଥ୍‌ ସ୍ଥାପନ କରାଯାଇଛି। ପିଙ୍କ୍‌ ବୁଥ୍‌ରେ କେବଳ ମହିଳା କର୍ମଚାରୀ ଭୋଟ୍‌ ଗ୍ରହଣ କାର୍ଯ୍ୟ ସମ୍ପାଦନ କରିବେ। ବରିଷ୍ଠ ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ନିମନ୍ତେ ସମସ୍ତ ବ୍ୟବସ୍ଥା ବୁଥ୍‌ରେ କରାଯାଇଛି। ୮୦ ବର୍ଷରୁ ଊର୍ଦ୍ଧ୍ବ ଭୋଟର, ଯେଉଁମାନେ ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଦେବା ପାଇଁ ପସନ୍ଦ କରିଥିଲେ ସେମାନଙ୍କ ମଧ୍ୟରୁ ୩୧୨ ଯୋଗ୍ୟ ଭୋଟର ମତଦାନ କରିଛନ୍ତି। ସେ ସବୁ ଭୋଟ୍‌କୁ ଷ୍ଟ୍ରଙ୍ଗରୁମ୍‌ରେ ସୁରକ୍ଷିତ ଭାବେ ରଖାଯାଇଛି। ପ୍ରଚାର ଶେଷ ହୋଇଥିବାରୁ ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା, ତାରକା ପ୍ରଚାରକ, ଯେଉଁମାନେ ନିର୍ବାଚନମଣ୍ଡଳୀର ଭୋଟର ନୁହନ୍ତି ସେମାନେ ରହିପାରିବେ ନାହିଁ। ସମସ୍ତ ମଦ ଦୋକାନ ମୁଦ୍ଦ (ସିଲ୍‌) ପାଇଁ ଜିଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି। ସେହିପରି ଝାରସୁଗୁଡ଼ା ଇଞ୍ଜିନିୟରିଂ କଲେଜରେ ଷ୍ଟ୍ରଙ୍ଗ୍‌ରୁମ୍‌ କରାଯାଇ ଥିବାରୁ ସେଠାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.