www.samajalive.in
Sunday, December 7, 2025
18.1 C
Bhubaneswar

ରଥଯାତ୍ରା ପାଇଁ ବୌଦ୍ଧରେ ପ୍ରସ୍ତୁତି ଜୋରଦାର

ବୌଦ୍ଧ: କରୋନା ମହାମାରୀରେ ସାରା ବିଶ୍ୱ କବଳିତ ହେବାପରେ ଏହାର ପ୍ରଭାବରୁ ଠାକୁର ମଧ୍ୟ ବର୍ତ୍ତି ପାରିନଥିଲେ । ମନ୍ଦିର ଗୁଡିକୁ ପ୍ରବେଶ ନେଇ ଦୀର୍ଘ ସମୟ ଧରି ଭକ୍ତଙ୍କ ଉପରେ କଟକଣା ଲାଗୁ କରାଯିବା ସହିତ  ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ ସବୁଆଡେ ଲଗାତାର ଦୁଇବର୍ଷ ତିନିଠାକୁରଙ୍କ ରଥଯାତ୍ରା ବନ୍ଦ କରାଯାଇଥିଲା । ଏଥର କିନ୍ତୁ ଭକ୍ତଙ୍କୁ ଆଉ ନିରାଶ ହେବାକୁ ପଡିବନାହିଁ । ଦୁଇବର୍ଷ ପରେ ପୁଣିଥରେ ରାଜ୍ୟସାରା ତିନିଠାକୁରଙ୍କ ରଥଯାତ୍ରା ମହାସମାରୋହରେ ପାଳନ କରାଯିବ । ବୌଦ୍ଧରେ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲୁଛି । ରଥଯାତ୍ରାକୁ ଆଉ ମାସେ ସମୟ ରହିଥିବାବେଳେ ରଥ ମରାମତି କାର୍ଯ୍ୟ ଦ୍ରୁତ ଗତିରେ ଚାଲୁଥିବା ଦେଖାଯାଇଛି । ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପରେ ବୌଦ୍ଧ ରଥଯାତ୍ରାର ପ୍ରସିଦ୍ଧି ଓ ବିଶେଷତ୍ୱ ରହିଛି । ଶାସକ ରାଜାମାନଙ୍କ ପୃଷ୍ଠପୋଷକତାରେ କେଉଁ ଆବାହମାନ କାଳରୁ ଏଠାରେ ରଥଯାତ୍ରା ପାଳିତ ହୋଇଆସୁଥିଲା ।

ଦେଶ ସ୍ୱାଧୀନ ହେବାପରେ ଏହି ଯାତ୍ରାର ଦାୟିତ୍ୱ ରାଜ୍ୟ ଦେବତ୍ତୋର ବିଭାଗ ତୁଲାଇ ଆସୁଅଛି । ବୌଦ୍ଧ ଅଞ୍ଚଳରେ ବୈଷ୍ଣବ ଧର୍ମର ପ୍ରଭାବ ମୂଳରୁହିଁ ରହିଆସିଛି । ଏଠାକାର ଶାସକ ରାଜାମାନେ ଶ୍ରୀଜଗନ୍ନାଥଙ୍କୁ ପରମ ବିଷ୍ଣୁ ଭାବରେ ମାନିଆସିଛନ୍ତି । ତେଣୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଏହି ଅଞ୍ଚଳରେ ପ୍ରଗାଢ ଭକ୍ତି ଭାବନା ଦେଖାଯାଇଥାଏ । ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ତିନି ଠାକୁରଙ୍କ ରଥ ନିର୍ମାଣ ପାଇଁ ପ୍ରାୟ ସମସ୍ତ କାଠ ବୌଦ୍ଧ ଜିଲା ଯୋଗାଇଦେଇଥାଏ । ପୁରୀ ରଥ ନିର୍ମାଣ ପାଇଁ କାଠ ଅଭାବ ଦେଖାଯିବା ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଉଦ୍ୟମକ୍ରମେ ବନ ବିଭାଗ ପକ୍ଷରୁ ବୌଦ୍ଧରେ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ସୃଷ୍ଟି ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏଠାକାର ଲୋକମାନେ ମଧ୍ୟ ଏହି ନିଷ୍ପତିକୁ ନିଜର ସ୍ୱଭାଗ୍ୟ ବୋଲି ବିବେଚନା କରିବା ସହିତ ଶହ ଶହ ଏକର ଅଞ୍ଚଳରେ ହୋଇଥିବା ଶ୍ରୀଜଗନ୍ନାଥ ବନ ପ୍ରକଳ୍ପକୁ ଧର୍ମୀୟ ଭାବନା ନେଇ ଜଗି ରହିଛନ୍ତି । ଏହି ବନ ପ୍ରକଳ୍ପ ସୃଷ୍ଟି ଦ୍ୱାରା ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ସହିତ ବୌଦ୍ଧ ବାସୀଙ୍କ ସଂପର୍କ ଆହୁରି ନିବିଡ ହୋଇପାରିଛି । କିନ୍ତୁ ପରିତାପର ବିଷୟ ଏହିଯେ ବୌଦ୍ଧର ପ୍ରସିଦ୍ଧ ରଥଯାତ୍ରା ପାଇଁ ସବୁବେଳେ ସମ୍ବଳର ଅଭାବ ରହିଛି ।  ପ୍ରତିବର୍ଷ ରାଜ୍ୟ ସରକାର ବୌଦ୍ଧର ରଥଯାତ୍ରା ପାଇଁ ଅନୁଦାନ ଯୋଗାଇଦେଉଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ପାଣି । ତେଣୁ ଜିଲା ପ୍ରଶାସନ ଓ ସ୍ଥାନୀୟ ବିଭିନ୍ନ ସଂଗଠନର ପ୍ରତିନିଧି ଓ ସହରର ବୁଦ୍ଧଜୀବୀ ମାନେ ମିଳିତ ଭାବରେ ରଥଯାତ୍ରାର ସମସ୍ତ ଦାୟିତ୍ୱ ସଂପାଦନ କରିଥାନ୍ତି ।

- Advertisement -

ଆଗାମୀ ରଥଯାତ୍ରା ପାଇଁ ବୌଦ୍ଧ ଏବେଠାରୁ ଚଳଚଞ୍ଚଳ ହେଲାଣି । ବଡଦାଣ୍ଡର ଖାଲ ଖମା ମରାମତି ଆରମ୍ଭ ହେବା ସହିତ ଏହାକୁ ପ୍ରଶସ୍ତ ଓ ସୌନ୍ଦର୍ଯ୍ୟକରଣ ଉପରେ ଧ୍ୟାନ ଦିଆଯାଉଅଛି । ସେହିପରି ଏଠାରେ ପରମ୍ପରା ଅନୁଯାୟୀ ତିନି ଠାକୁର ଗୋଟିଏ ରଥରେ ବସି ଗୁଣ୍ଡିଚା ଯାତ କରୁଥିବାବେଳେ ରାଜାଙ୍କ ପୃଷ୍ଠପୋଷକତାର ନିର୍ମିତ ରଥକୁ ପ୍ରତିବର୍ଷ କେବଳ ମରାମତି କାଯାଇଥାଏ । ଉଚ୍ଚତାରେ ପୁରୀ ପରେ ବୌଦ୍ଧ ରଥ ଦ୍ୱିତିୟରେ ରହିଥିବା କୁହାଯାଉଥିବାବେଳେ  ବଡଦାଣ୍ଡ ସଙ୍କୁଚିତ ହେବା ସହିତ ଏହି ରଥର ଆକାର ମଧ୍ୟ କମି କମି ଚାଲିଛି । ୧୬ ଚକରୁ ଅଭଙ୍ଗ ରଥଟି ୧୦ ଚକରେ ପରିଣତ ହୋଇସାରିଥିବା ବେଳେ ସେହି ଅନୁପାତରେ ଉଚ୍ଚତା ମଧ୍ୟ ପ୍ରାୟ ୮ ଫୁଟ କମି ସାରିଥିବା ବୟସ୍କ ଲୋକମାନେ ପ୍ରକାଶ କରିଥାନ୍ତି । ତେବେ ଦୁଇବର୍ଷ ହେଲା ରଥଯାତ୍ରା ହୋଇନଥିବାରୁ ଖୋଲା ଆକାଶ ତଳେ ବର୍ଷ ତମାମ ଖରାବର୍ଷାରେ ପଡି ରହିଥିବା ଏହି ରଥ ପାଇଁ ଚଳିତବର୍ଷ ଅଧିକ ମରାମତିର ଆବଶ୍ୟକତା ଦେଖାଦେଇଛି ।

ପ୍ରଶାସନ ପକ୍ଷରୁ ମଧ୍ୟ ଚଳିତବର୍ଷ ରଥ ମରାମତି କାମ ଆଗୁଆ ଆରମ୍ଭ କରାଯାଇଛି । ମହାରଣାମାନଙ୍କ ସୂଚନା ଅନୁଯାୟୀ ଦୁଇବର୍ଷ ରଥ ଟଣା ହୋଇନଥିବାରୁ ଚଳିତବର୍ଷ ଟିକିନିଖି ଭାବରେ ସମସ୍ତ ମରାମତିକୁ ଧ୍ୟାନ ଦିଆଯାଉଅଛି । ରଥର ସମସ୍ତ ୧୦ ଗୋଟି ଚକର ମରାମତି କରାଯିବା ସହିତ ଉପର ଭାଗର ମଧ୍ୟ ଆବଶ୍ୟକୀୟ ମରାମତି କରାଯିବ । ତେଣୁ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ବନ ବିଭାଗ ପକ୍ଷରୁ ଆଗୁଆ କାଠ ଯୋଗାଇଦିଆଯାଇଛି । ରଥ ମରାମତି କାର୍ଯ୍ୟ ଜୋରସୋରରେ ଚାଲିଥିବାବେଳେ ଅନ୍ୟ ନିତିକାନ୍ତି କିପରି ଶୃଙ୍ଖଳିତ ଭାବରେ ପାଳନ ହେବ ତାହାର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି । ଦୁଇବର୍ଷ ପରେ ଏଥର ରଥଯାତ୍ରାରେ ବଡଦାଣ୍ଡରେ ଠାକୁରଙ୍କ ରଥ ଗଡିବ, ତେଣୁ ଭକ୍ତଙ୍କ ମନରେ ମଧ୍ୟ ଅନେକ ଉତ୍କଣ୍ଠା ପ୍ରକାଶ ପାଇଛି । ଯାତ୍ରାକୁ ଶୃଙ୍ଖଳିତ ଭାବରେ ପାଳନ ପାଇଁ ଲୋକଙ୍କ ସହଯୋଗ କାମନା କରାଯାଇଥିବାବେଳେ ମନ୍ଦିର ପରିଚାଳନା ଠାରୁ ଆରମ୍ଭ କରି ଗୁଣ୍ଡିଚା ମନ୍ଦିରରେ ଠାକୁରଙ୍କ ନିତିକାନ୍ତି ଠିକ୍‌ ଭାବରେ କିପରି ହୋଇପାରିବ ସେଥିପାଇଁ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories