ଅତିରିକ୍ତ ସଚିବଙ୍କ ବୌଦ୍ଧ ଜିଲାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା

ବୌଦ୍ଧ: ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଓରମାସ ଏବଂ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଗୁହା ପୁନମ ତାପସ କୁମାର ଦୁଇ ଦିନିଆଁ ବୌଦ୍ଧ ଜିଲା ଗୃରେ ଆସି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହିତ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ଗସ୍ତ ସମୟରେ ଶ୍ରୀମତୀ ଗୁହା ପୁନମ ପିପଳକଟା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ରାଧାନଗର ପଞ୍ଚାୟତ କାର୍ଯ୍ୟାଳୟ, କୃଷି ବିଭାଗର କୃଷି ଓ କୃଷକ ପରାମର୍ଶ କେନ୍ଦ୍ର, ରାଧାନଗର ମିଶନ ଶକ୍ତି ଗୃହ, ରାଧାନଗର ଗ୍ରାମ୍ୟ ହାଟ,ଗ୍ରାମୀଣ ଆବାସ, ମଥୁରା ପଞ୍ଚାୟତର ଖଜୁରୀପଡ଼ାସ୍ଥିତ ଯାଯାବର ରେଷ୍ଟୁରାଣ୍ଟ୍‌‌, ବୀରନରସିଂହପୁର ପଞ୍ଚାୟତର ନୂଆପଡ଼ା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଲୁଣିବାହାଲ ଦୁଗ୍ଧ ଶିତଳୀକରଣ କେନ୍ଦ୍ର, ମା ଭୈରବୀ ସ୍ୱୟଂସହାୟିକା ଗୋଷ୍ଠୀ ଦ୍ୱାରା ହୋଇଥିବା ଛତୁଚାଷ, ବଡବନ୍ଧ କନ୍ୟାଶ୍ରମ, ପୁରୁଣାକଟକ ରୂପାନ୍ତରୀତ ବିଦ୍ୟାଳୟ ଓ ବୌଦ୍ଧ ବ୍ଲକର ତେଲିବନ୍ଧ ପଞ୍ଚାୟତ ଜଳ ବିଶୋଧନାଗାର ପରିଦର୍ଶନ କରିଥିଲେ।

ଶ୍ରୀମତୀ ଗୁହା ପୁନମ ଦ୍ୱିତୀୟ ଦିବସରେ ୩ ଶହ ଶଯ୍ୟା ବିଶିଷ୍ଟ ନୂତନ ଚିକିତ୍ସାଳୟର ନିର୍ମାଣାଧିନ ପ୍ରକଳ୍ପ ପରିଦର୍ଶନ କରିବା ସହିତ ଧାର୍ଯ୍ୟ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ସାରିବାକୁ ପରାମର୍ଶ ଦେବା ସହିତ ଅଗ୍ନି ନିରାପତା ଉପରେ ବିଶେଷ ଧ୍ୟାନ ଦେବା ସହିତ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କ ସହିତ ପରାମର୍ଶ କରି ନିର୍ମାଣାଧିନ ଚିକିତ୍ସାଳୟର ବିଭିନ୍ନ ବିଭାଗ ଆବଶ୍ୟକତା ଅନୁଯାୟୀ ନିର୍ମାଣ କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ଜିଲା ମୁଖ୍ୟଚିକିତ୍ସାଳୟର ସମସ୍ତ ବିଭାଗ ପରିଦର୍ଶନ କରିଥିଲେ। ମୁଖ୍ୟ ଚିକିତ୍ସାଳୟରେ ଆନେସ୍ଥେସିଆ, ନେଫ୍ରେଲୋଜି, ଶିଶୁ ରୋଗ ବିଶେଷଜ୍ଞ ଆଦି ପଦବୀ ତୁରନ୍ତ ପୂରଣ କରିବାକୁ ସରକାରଙ୍କୁ ଚିଠି ଲେଖିବାକୁ ପରାମର୍ଶ ଦେଇଥିଲେ। ଏହାବ୍ୟତୀତ ଚିକିତ୍ସାଳୟର ଖାଲିଥିବା ପଦବୀ ପୂରଣ କରିବାକୁ ପରାମର୍ଶ ଦେବା ସହିତ ଡାଏଲୋସିସ କେନ୍ଦ୍ର ବୁଲି ଦେଖିଥିଲେ। ବଂଶଗତ କିଡନୀ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସାଳୟ ନିର୍ମାଣ ପାଇଁ ପଦକ୍ଷେପ ନେଇଥିବାରୁ ଜିଲାପାଳଙ୍କୁ ପ୍ରଶଂସା କରିବା ସହିତ ନିରାମୟ କେନ୍ଦ୍ର ବୁଲି ଦେଖିଥିଲେ ଏବଂ କର୍ମଚାରୀମାନଙ୍କୁ ପ୍ରଶଂସା କରିଥିଲେ। ପରେ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର କେୟାର ୟୁନିଟ ବୁଲି ଦେଖିଥିଲେ। ବିଭିନ୍ନ ଚିକିତ୍ସା ସେବା ନାମରେ ଠକ,ଦଲାଲ,କ୍ୱାକ୍‌‌ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସହାୟତାରେ ହୋଇଥିବା ୩୦ ଶଯ୍ୟା ବିଶିଷ୍ଟ ୱାର୍ଡ ଓ ୧୦ ଶଯ୍ୟା ବିଶିଷ୍ଟ ଶିଶୁ ୱାର୍ଡ ବୁଲି ଦେଖିଥିଲେ। ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଏକ ସମୀକ୍ଷା ବୈଠକ କରି ନିର୍ମାଣାଧିନ ପ୍ରକଳ୍ପ ଗୁଡିକର କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ପରାମର୍ଶ ଦେଇଥିଲେ। ଅପରାହ୍ନରେ ଅତିରିକ୍ତ ସଚିବ ଶ୍ରୀମତୀ ଗୁହା ପୁନମ କଣ୍ଟୁଆଣୀଠାରେ ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ଦ୍ୱାରା ମାଛଚାଷ ପ୍ରଣାଳୀ, ଖୁଣ୍ଟବନ୍ଧ ଗ୍ରାମୀଣ ପାଠାଗାର, ଗୁଢିଆଳୀ ଅଙ୍ଗନବାଡି କେନ୍ଦ୍ର, ଭୁର୍କିପଡ଼ା ଠାରେ ଉଦ୍ୟାନ ବିଭାଗ ଦ୍ୱାରା ପିଜୁଳି ଚାଷ, ଖବରମାଳ ମେଗା ଉଠାଜଳସେଚନ ପ୍ରକଳ୍ପ, ଗୁଡଭେଲିପଦର ଗ୍ରାମରେ ତମ୍ବା କାରିଗରୀ କୌଶଳ ବୁଲି ଦେଖିଥିଲେ। ପରେ ସେ ବୌଦ୍ଧ ଜିଲା ସଂଗ୍ରହାଳୟ ବୁଲି ଦେଖିବା ସହିତ ଭୂୟସୀ ପ୍ରଶଂସା କରିଥିଲେ ଏବଂ ଏହାର ପ୍ରଚାର ପ୍ରସାର କଲେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହୋଇପାରିବ ବୋଲି ପରାମର୍ଶ ଦେଇଥିଲେ।

Comments are closed.