ବିଭିନ୍ନ ଦାବିରେ ପାଣ-ଗଣ୍ଡା ସମାଜ ପକ୍ଷରୁ ବୌଦ୍ଧ ତହସିଲ କାର୍ଯ୍ୟାଳୟ ଘେରାଉ

ବୌଦ୍ଧ: ବିଭିନ୍ନ ଦାବି ନେଇ ବୌଦ୍ଧଜିଲା ପାଣ-ଗଣ୍ଡା ସମାଜ ପକ୍ଷରୁ ବୌଦ୍ଧ ତହସିଲଦାରଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ପାଣ-ଗଣ୍ଡା ସମାଜର ଜିଲା ସଭାପତି ବଟକୃଷ୍ଣ ପ୍ରଧାନ ଓ ସାଧାରଣ ସଂପାଦକ ସୁଧାଂଶୁ କୁମାର ଡାଙ୍ଗଙ୍କ ନେତୃତ୍ୱରେ ଏକ ହଜାର ରୁ ଊର୍ଦ୍ଧ୍ବ ଜାତି ସମାଜ ସଦସ୍ୟଙ୍କ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିବାପରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପାଣ ଗଣ୍ଡା ସମାଜ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ଏକ ଦାବିପତ୍ର ଜିଲାପାଳଙ୍କ ଉଦ୍ଦେଶ୍ୟରେ ବୌଦ୍ଧ ତହସିଲଦାର ଦେବୀ ପ୍ରସାଦ ଦାଶଙ୍କ ଜରିଆରେ ପ୍ରଦାନ କରାଯାଇଥିଲା।

ଦାବି ଗୁଡିକ ମଧ୍ୟରେ ବୌଦ୍ଧ ବ୍ଲକର ସମସ୍ତ ଭୂମିହୀନଙ୍କୁ ଦୁଇ ଏକର ଚାଷ ଜମି ପ୍ରଦାନ,ଭୂମିହୀନଙ୍କୁ ୧୦ ଡେସିମିଲ ଘରଡିହ ପ୍ରଦାନ ଏବଂ ସମସ୍ତ ଦଳିତ ବସ୍ତିକୁ ସରକାରୀ ରାସ୍ତା ପାଇଁ ଦାବି କରାଯାଇଛି। ଦେଶ ସ୍ୱାଧୀନ ହେବାର ୭୫ ବିତି ଯାଇଥିଲେ ମଧ୍ୟ ଶହଶହ ଦଳିତ ପରିବାର ଉପରୋକ୍ତ ସୁବିଧା ସୁଯୋଗ ଏବଂ ପ୍ରାପ୍ୟରୁ ବଞ୍ଚିତ ରହିଛନ୍ତି। ହଜାର ହଜାର ହେକ୍ଟର ଜମି ମୁଷ୍ଟିମେୟ ବ୍ୟକ୍ତିଙ୍କ ଦ୍ୱାରା ଜବରଦଖଲରେ ରହିଥିବାବେଳେ ଜିଲାର ଶହଶହ ଭୂମିହୀନ ପରିବାରଙ୍କ ପାଇଁ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ମଧ୍ୟ ନାହିଁ। ଜବରଦଖଲ କରିଥିବା ବେଆଇନ ସରକାରୀ ଜମିରୁ ଜବରଦଖଲକାରୀଙ୍କୁ ଉଛେଦ କରିବାସହ ଭୂମିହୀନ ଦଳିତ ପରିବାରକୁ ଦୁଇ ଏଳର ଲେଖାଏଁ ଚାଷ ଜମି ଏବଂ ୧୦ ଡିସିମିଲ ଘରଡିହ ଯୋଗାଇଦେବାକୁ ଦାବି କରାଯାଇଛି। ସେହିପରି ଜିଲାର।ତାଧିକ ଦଳିତ ବସ୍ତିକୁ ରାସ୍ତା ନଥିବାରୁ ଲୋକଙ୍କ ଡିହ ଏବଂ ଜମି ହୁଡା ଦେଇ ଯିବା ଆସିବା କରୁଛନ୍ତି। ଶତାଧିକ ବସ୍ତିରେ ନଳକୂଅ ନଥିବାରୁ ପାନୀୟଜଳର ଘୋର ସମସ୍ୟା ଦେଖାଦେଇଛି। ବୌଦ୍ଧ ବ୍ଲକର ସମସ୍ତ ଗତ୍ପାସାହିରେ କମ୍ୟୁନିଟି ସେଣ୍ଟର,ନଳକୂଅ,କଂକ୍ରିଟ ରାସ୍ତା ଏବଂ ଜିଲାର ପ୍ରତି ବ୍ଲକରେ ଅତି କମରେ ତିନୋଟି ଅନୁସୂଚିତ ଜାତି ଆବାସିକ ଉଚ୍ଚ ବିଦ୍ୟାଳୟ ଏବଂ ଦୁଇଗୋଟି ମହାବିଦ୍ୟାଳୟ ସ୍ଥାପନ ପାଇଁ ମଧ୍ୟ ଦାବି କରାଯାଇଛି।

ଏହି ବିକ୍ଷୋଭ ସମାବେଶରେ ସଂଗଠନର କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡି, ଉପସଭାପତି ମକରଧ୍ୱଜ ମହାନନ୍ଦିଆ, ସଂଗଠନ ସଂପାଦକ ଦେବଦତ୍ତ ସାଗର,ବରିଷ୍ଠ ସମାଜସେବୀ ସେବତୀ ବେହେରାଙ୍କ ସମେତ ୨୩ ଗୋଟି ପଞ୍ଚାୟତର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Comments are closed.