୪୪ ଲକ୍ଷ ନା ୪୪ ହଜାର: ସରପଞ୍ଚ ପଦ ନିଲାମ ମାମଲାରେ ନିର୍ବାଚନ ଆୟୋଗଙ୍କୁ ତଦନ୍ତ ତଥ୍ୟ ଦେଲା ପ୍ରଶାସନ
ବଲାଙ୍ଗିର: ବଲାଙ୍ଗିର ଜିଲା ପୁଇଁନ୍ତଲା ବ୍ଲକର ବିଲେଇସର୍ଡା ପଞ୍ଚାୟତରେ ସରପଞ୍ଚ ପଦ ନିଲାମକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା। ତେବେ ଅଭିଯୋଗକାରୀମାନେ ସରପଞ୍ଚ ପଦ ପାଇଁ ୪୪ଲକ୍ଷ ୧୦ହଜାର ଟଙ୍କାରେ ମୂଲଚାଲ ଛିଣ୍ଡିଥିବା କହୁଥିବା ବେଳେ ସରପଞ୍ଚ ପଦ ଆଶାୟୀ ୪୪ ହଜାର ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିବା କହିଥିଲେ। ୪୪ଲକ୍ଷ ସତ ନାଁ ୪୪ ହଜାର ସତ, ତାହା ଆଲୋଚନାର ବିଷୟ ପାଲଟିଛି। ଅନ୍ୟପଟେ ରାଜ୍ୟ ନିର୍ବାଚନ ଆୟୋଗ ବଲାଙ୍ଗିର ଜିଲା ପ୍ରଶାସନକୁ ଏହାର ତଦନ୍ତ କରି ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲା ପ୍ରଶାସନ ପକ୍ଷରୁ ଏନେଇ ସବିଶେଷ ତଥ୍ୟ ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ଜିଲାପାଳ ଚଞ୍ଚଳ ରାଣା କହିଛନ୍ତି।
ଗତ ଶନିବାର ଦିନ ୨ଟା ବେଳେ ବିଲେଇସର୍ଡା ଗାଁର ନିର୍ମାଣଧୀନ ଜଗନ୍ନାଥ ମନ୍ଦିରରେ ବୈଠକ ହୋଇଥିଲା। ଏଥିରେ ସରପଞ୍ଚ ପଦ ପାଇଁ ୨୧ ଲକ୍ଷ ଟଙ୍କାରେ ନିଲାମ ଡକା ଯାଇଥିଲା। ଶେଷରେ ୪୪ଲକ୍ଷ ୧୦ ହଜାର ଟଙ୍କାରେ ମୂଲଚାଲ ଛିଣ୍ଡିଥିଲା। ସୁଶାନ୍ତ କୁମାର ଛତ୍ରିଆ ସର୍ବାଧିକ ଟଙ୍କା ବୋଲି ଲଗାଇଥିଲେ। ତାଙ୍କୁ ଏକମାତ୍ର ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ ପାଇଁ କୁହାଯାଇଥିଲା। ଏଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ଗାଁର ଅନ୍ୟତମ ସରପଞ୍ଚ ପଦ ଆଶାୟୀ ବିରେନ୍ଦ୍ର କୁମାର ପଣ୍ଡା। ଏସଂପର୍କିତ ଖବର ଗଣମାଧ୍ୟମରେ ପ୍ରକାଶ ପରେ ନିଜ ପ୍ରତିକ୍ରିୟା ରଖିଥିଲେ ସରପଞ୍ଚ ଆଶାୟୀ ଶ୍ରୀ ଛତ୍ରିଆ। ସେ ବୈଠକ କଥାକୁ ସ୍ୱୀକାର କରିବା ସହ ତାଙ୍କୁ ଯଦି ଏକମାତ୍ର ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚିତ କରାଯାଏ ତା’ହେଲେ ସେ ମନ୍ଦିର ଉନ୍ନୟନ ପାଇଁ ଦାନ ସୂତ୍ରରେ ୪୪ ହଜାର ଟଙ୍କା ଦେବେ କହିଥିଲେ। ରାଜ୍ୟ ନିର୍ବାଚନ ଆୟୋଗ ଏସଂପର୍କରେ ଅବଗତ ହେବା ପରେ ବଲାଙ୍ଗିର ଜିଲା ପ୍ରଶାସନକୁ ତଦନ୍ତ କରି ଜବାବ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମଙ୍ଗଳବାର ଦିନ ବଲାଙ୍ଗିର ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ର ନେତୃତ୍ୱରେ ପୁଇଁନ୍ତଲା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁଧିଷ୍ଟିର ନାଏକ, ପଞ୍ଚାୟତ ନିର୍ବାଚନ ଅଧିକାରୀ ବିଲେଇସର୍ଡା ଗ୍ରାମ ପଞ୍ଚାୟତକୁ ଯାଇଥିଲେ। ଅଭିଯୋଗକାରୀ, ସରପଞ୍ଚ ଆଶାୟୀ ତଥା ବୈଠକରେ ଉପସ୍ଥିତ ମନ୍ଦିର କମିଟି ସଦସ୍ୟଙ୍କ ପ୍ରତିକ୍ରିୟା ନେଇଥିଲେ। ସେହିପରି ଏହି ପଞ୍ଚାୟତ ଅଧୀନରେ ଥିବା ବନ୍ଦନାକଟା ଓ କଶ୍ରୁପାଲି ଗାଁକୁ ଯାଇ ଲୋକଙ୍କ ମତାମତ ଲୋଡିଥିଲେ ବୈଠକ ଓ ନିଷ୍ପତ୍ତି ସଂପର୍କରେ।
ତଦନ୍ତକାରୀ ଦଳରେ ଥିବା ଅତିରିକ୍ତ ଜିଲାପାଳ ଶ୍ରୀ ମହାପାତ୍ର ବିଲେଇସର୍ଡା ସରପଞ୍ଚ ପଦ ପାଇଁ ନିଲାମ ମାମଲାରେ ତାଙ୍କ ତଥ୍ୟ ସବୁ ଜିଲାପାଳଙ୍କୁ ଦେଇ ସାରିଛନ୍ତି। ବଲାଙ୍ଗିର ଜିଲାପାଳ ଶ୍ରୀ ରାଣା ରାଜ୍ୟ ନିର୍ବାଚନ ଆୟୋଗକୁ ମଧ୍ୟ ଏସଂପର୍କିତ ସବିଶେଷ ତଥ୍ୟ ଦେଇ ସାରିଥିବା ଜଣାପଡ଼ିଛି। ଜିଲାପାଳ ଶ୍ରୀ ରାଣାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ସରପଞ୍ଚ ପଦକୁ ନେଇ ବିଭିନ୍ନ ପ୍ରକାର ତଥ୍ୟ ସାମ୍ନାକୁ ଆସିଛି। ବୈଠକ ହୋଇଥିବା ସ୍ୱୀକାର କରିଥିଲେ ବି ନିଲାମ ନେଇ ସ୍ପଷ୍ଟ କିଛି ଉତ୍ତର ମିଳି ପାରି ନାହିଁ। ଅବାଧ ଓ ସ୍ୱଚ୍ଛ ନିର୍ବାଚନ କରାଯିବା ପାଇଁ ଜିଲା ପ୍ରଶାସନ ଚାହୁଁଛି। ଯେଉଁମାନେ ଆଶାୟୀ, ସେମାନେ ନାମାଙ୍କନ ଦାଖଲ କରିପାରିବେ କହିଛନ୍ତି ଜିଲାପାଳ ଶ୍ରୀ ରାଣା। ତେବେ ଆଶାୟୀ ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ କୁମାର ଛତ୍ରିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ କି ନାହିଁ ପ୍ରଶ୍ନର ଉତ୍ତରରେ ସବୁ କଥା ଗଣମାଧ୍ୟମରେ କହିବା ଠିକ୍ ନୁହେଁ। ରାଜ୍ୟ ନିର୍ବାଚନ ଆୟୋଗ ତାର ନିଷ୍ପତ୍ତି ନେବେ ବୋଲି ଜିଲାପାଳ ମତ ଦେଇଛନ୍ତି।
Comments are closed.