www.samajalive.in
Wednesday, December 10, 2025
17.1 C
Bhubaneswar

ରାସନ କାର୍ଡ ନଦେଇ ରାଜ୍ୟ ସରକାର ଗରିବ ମାରଣ ନୀତି ଆପଣାଇଛନ୍ତି : ବିଜେପି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ମହାମାରୀ ସମୟରେ ୮୦ କୋଟି ଲୋକଙ୍କୁ ମାଗଣାରେ ରାସନ ଦେବା ପାଇଁ ବ୍ୟବସ୍ଥା କରିଥିଲେ। କିନ୍ତୁ ରାଜ୍ୟରେ ବିଜେଡି ସରକାର ଏହି ଯୋଜନାରେ ବ୍ୟାପକ ହେରଫେର କରିବା ସହ ଖୋଦ୍‍ ମୁଖ୍ୟମନ୍ତ୍ରୀ ନିଜର ଆତ୍ମପ୍ରଚାର କରି ଓଡିଶାବାସୀଙ୍କୁ ଭ୍ରମିତ କରୁଛନ୍ତି। ରାଜ୍ୟ ସରକାର ରାଜ୍ୟରେ ଭୂତ ରାସନକାର୍ଡଧାରୀଙ୍କ ସଂଖ୍ୟା ବୃଦ୍ଧି କରି କେନ୍ଦ୍ରୀୟ ଅନୁଦାନକୁ ଲୁଟ୍‍ କରୁଛନ୍ତି ବୋଲି ବିଜେପି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ଅଭିଯୋଗ କରିଛନ୍ତି।
ସରକାରୀ ତଥ୍ୟ ଅନୁଯାୟୀ ରାଜ୍ୟରେ ୯୨ ଲକ୍ଷ ୭୬ ହଜାର ୯୩୪ ରାସନକାର୍ଡ ଧାରୀ ଥିବାବେଳେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚଳିତ ବର୍ଷ ମେ ମାସରେ ମାତ୍ର ୮୭ ଲକ୍ଷ ୩୯ ହଜାର ୪୯୪ ଜଣ ରାସନ ନେଇଛନ୍ତି। ରାଜ୍ୟ ସରକାରଙ୍କ ସୂଚୀରୁ ୫ ଲକ୍ଷ ୪୩ ହଜାର ୬୯୯ ଜଣ ମାଗଣାରେ ରାସନ ନେଇ ନାହାଁନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ସେହି ମେ ମାସରେ ଜାତୀୟ ଖାଦ୍ୟ ସୁରକ୍ଷାରେ ୧ ଟଙ୍କା ଦେଇ ୮୮ଲକ୍ଷ ୭୬ ହଜାର ୧୬୨ଜଣ ରାସନ ନେଇଛନ୍ତି। ଏହି ଯୋଜନାରେ ମଧ୍ୟ ୪ ଲକ୍ଷ ୦୭ ହଜାର ୦୩୧ଜଣ ରାସନ ନେଇ ନାହାଁନ୍ତି। ସେହିପରି ଜୁନ୍‍ ୨୦୨୧ରେ ୯୨ ଲକ୍ଷ ୭୭ ହଜାର ୪୮୫ ରାସନକାର୍ଡ ଧାରୀଙ୍କ ମଧ୍ୟରୁ ୮୮ ଲକ୍ଷ ୨୩ ହଜାର ୦୩୪ ଜଣ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାସନ ଉଠାଇଛନ୍ତି। ଜୁନ୍‍ ମାସରେ ୪ଲକ୍ଷ ୫୪ହଜାର ୪୫୧ଜଣ ରାସନ ନେଇ ନାହାଁନ୍ତି। ଜୁନ୍‍ ୨୦୨୧ରେ ଜାତୀୟ ଖାଦ୍ୟ ସୁରକ୍ଷାରେ ୯୨ ଲକ୍ଷ ୭୭ ହଜାର ୪୮୫ ରାସନକାର୍ଡ ଧାରୀଙ୍କ ମଧ୍ୟରୁ ୮୮ଲକ୍ଷ ୭୨ ହଜାର ୮୨୭ଜଣ ୧ ଟଙ୍କା ଦେଇ ରାସନ ନେଇଛନ୍ତି। ସେଥିରେ ମଧ୍ୟ ୪ ଲକ୍ଷ ୦୪ ହଜାର ୬୫୮ଜଣ ରାସନ ସଂଗ୍ରହ କରି ନାହାଁନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ରାଜ୍ୟ ସରକାର ପାଖପାଖି ୫ ଲକ୍ଷ କାର୍ଡଧାରୀଙ୍କୁ ଗରିବ କଲ୍ୟାଣ ଯୋଜନାରେ ରାସନ ବାଂଟି ପାରିନାହାଁନ୍ତି। ଏହି ବଳକା ଭୂତ ରାସନକାର୍ଡଧାରୀ କେଉଁମାନେ ଏବଂ କେନ୍ଦ୍ର ଦେଉଥିବା ବଳକା ରାସନ ଯାଉଛି କୁଆଡେ ଏବଂ ଭୂତ କାର୍ଡଧାରୀଙ୍କ ରାସନ କିଏ ଖାଉଛି ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡିଶାରେ ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଡଧାରୀଙ୍କ ମଧ୍ୟରେ ପାର୍ଥକ୍ୟ କାହିଁକି ଦେଖାଦେଉଛି ? ମାଗଣାରେ କମ୍‍ ସଂଖ୍ୟାରେ ହିତାଧିକାରୀ ରାସନ ନେଉଥିବା ସମୟରେ ୧ ଟଙ୍କା ଦେଇ କିପରି ଅଧିକ ସଂଖ୍ୟାରେ ହିତାଧିକାରୀ ରାସନ ନେଉଛନ୍ତି ? ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ରାଜ୍ୟରେ ଭୂତ ହିତାଧିକାରୀଙ୍କ ତାଲିକା ଓଡିଶା ସରକାର କେନ୍ଦ୍ରକୁ ଦେଇଛନ୍ତି ଏବଂ ଏଠି ରାଜ୍ୟରେ ରାଜ୍ୟ ସରକାର ଭୂତ ରାସନକାର୍ଡ ଧାରୀଙ୍କ ତାଲିକା ବଢାଇ ଚାଲିଛନ୍ତି।
ଓଡିଶାର କରୋନାର ପ୍ରଥମ ଲହରରେ ଉଭୟ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୃକ୍ତ ପ୍ରାୟ ୯୫ ଲକ୍ଷ ୫୧ ହଜାର କାର୍ଡଧାରୀଙ୍କୁ ସରକାର ୧ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବା ପାଇଁ ୩୦ଟି ଜିଲ୍ଲାକୁ ୯୫୫ କୋଟି ୧୬ ଲକ୍ଷ ୯୫ ହଜାର ଟଙ୍କା ଆବଂଟନ କରାଯାଇଥିଲା। କିନ୍ତୁ ଜିଲ୍ଲା ଯୋଗାଣ ଅଧିକାରୀମାନେ ରାଜ୍ୟ ସରକାରଙ୍କୁ ମାତ୍ର ୯୩୪ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର (ୟୁସି) ପ୍ରଦାନ କରିଛନ୍ତି। ବଳକା ପ୍ରାୟ ୨ ଲକ୍ଷ ୫ ହଜାର କାର୍ଡଧାରୀଙ୍କୁ ୨୧ କୋଟି ଟଙ୍କା ବର୍ତମାନ ସୁଦ୍ଧା ବଂଟନ କରାଯାଇ ପାରିଲା ନାହିଁ। ସେମାନଙ୍କ ରାସନ ନେଉଛି କିଏ ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ତ୍ରିପାଠୀ ଦାବି କରିଛନ୍ତି।
କେନ୍ଦ୍ର ସରକାର ୱାନ ନେସନ ୱାନ ରାସନ ଯୋଜନା ଆରମ୍ଭ କରିଥିବାବେଳେ ରାଜ୍ୟ ସରକାର ଏହାକୁ ଏପର୍ଯ୍ୟନ୍ତ ଲାଗୁ କରିପାରି ନାହାଁନ୍ତି। ଯାହା ଫଳରେ ରାଜ୍ୟ ବାହାରେ ନିଜର ରୋଜଗାର ପାଇଁ ଯାଇଥିବା ଲକ୍ଷ ଲକ୍ଷ ଓଡିଆ ରାସନ ପାଇବାରୁ ବଂଚିତ ରହୁଛନ୍ତି। ରାଜ୍ୟ ସରକାର କେବେ ୱାନ ନେସନ ୱାନ ରାସନ ଯୋଜନା ଲାଗୁ କରିବେ ତାହା ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ତ୍ରିପାଠୀ ଦାବି କରିଛନ୍ତି। ଏହି ଅବସରରେ ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଏବଂ ଯତୀନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories