ମୁମ୍ବଇ: ବନ୍ୟା କ୍ଷତିଗ୍ରସ୍ତଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବା ସମୟରେ ଏକ ବୋଟ୍ ବୁଡ଼ିଯିବାରୁ ୯ ଜଣଙ୍କ ମୃତ୍ୟୁ ଘଟିଛି। ଗୁରୁବାର ମହାରାଷ୍ଟ୍ରର ସାଙ୍ଗଲି ଜିଲା ଅନ୍ତର୍ଗତ ଭାମନାଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ପ୍ରବଳ ବର୍ଷା ଯୋଗୁ ମହାରାଷ୍ଟ୍ରର ବିଭିନ୍ନ ଜିଲାରେ ବନ୍ୟା ସୃଷ୍ଟି ହୋଇଛି। ପ୍ରଶାସନ ପକ୍ଷରୁ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ବର୍ତ୍ତମାନ ସୁଦ୍ଧା ବନ୍ୟା ଯୋଗୁ ୧୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧ ଲକ୍ଷ ୩୨ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଗୁରୁବାର ସାଙ୍ଗଲି ଜିଲାର ଭାମନାଲ ନିକଟ ଅଞ୍ଚଳରୁ ଉଦ୍ଧାରକାରୀ ଟିମ୍ ଡଙ୍ଗାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେଉଥିବା ବେଳେ ତାହା ଓଲଟି ପଡ଼ିଥିଲା। ସେଥରେ ପ୍ରାୟ ୩୦ ଜଣ ଥିଲେ। ବର୍ତ୍ତମାନ ସୁଦ୍ଧା ୯ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଏଥିରେ ୧୦ରୁ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ବୋଲି ମହାରାଷ୍ଟ୍ର ପୁଲିସର ସ୍ବତନ୍ତ୍ର ଆଇଜି ମିଲିନ୍ଦ ଭରାମ୍ବେ କହିଛନ୍ତି।
ସୂଚନାଯୋଗ୍ୟ, ମହାରାଷ୍ଟ୍ରର କୋହ୍ଲାପୁର ଏବଂ ସାଙ୍ଗଲି ଜିଲା ବନ୍ୟା ଦ୍ବାରା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଜିଲାର ବିଭିନ୍ନ ରାସ୍ତାଘାଟ ନଷ୍ଟ ହୋଇଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୁଣେ, ସତାରା ଏବଂ କୋହ୍ଲାପୁର ଜିଲାରେ ଗୁରୁବାର ଅତି ପ୍ରବଳ ବର୍ଷା ହେବ ବୋଲି ସତର୍କ କରାଯାଇଛି।



