ଲାଠିପଡ଼ାରେ ରାଜନୈତିକ ହିଂସା ; ସଂଘବଦ୍ଧ ଆକ୍ରମଣରେ ବିଜେପି କର୍ମୀ ନିହତ
ଭଞ୍ଜନଗର : ଯାହା ଆଶଙ୍କା କରାଯାଉଥିଲା ତାହା ସତ୍ୟ ହୋଇଛି । ସମ୍ବେଦନଶୀଳ ଭଞ୍ଜନଗର ନିର୍ବାଚନମଣ୍ଡଳୀ ପରେ ବୁଧବାର ସୋରଡା ନିର୍ବାଚନମଣ୍ଡଳୀରେ ରାଜନୈତିକ ହିଂସା ସୃଷ୍ଟି ହୋଇଛି । ବିରୋଧୀ ଗୋଷ୍ଠୀର ସଂଘବଦ୍ଧ ଆକ୍ରମଣରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଛି । ସୋରଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଲାଠିପଡ଼ା ପଞ୍ଚାୟତର କଦଳୀଝୋଲା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନିର୍ବାଚନୀ ହିଂସାରେ ସନ୍ତୋଷ ପତି ନାମରେ ଜଣେ ଯୁବକଙ୍କୁ ଅତି ଜଘନ୍ୟ ଭାବେ ହତ୍ୟା କରାଯାଇଛି। ସନ୍ତୋଷ ପତି ଜଣେ ବିଜେପି ସମର୍ଥକ ବୋଲି ଶୁଣିବାକୁ ମିଳୁଛି । ସନ୍ତୋଷଙ୍କ ବିରୋଧୀ ଗୋଷ୍ଠୀ ହିଁ ତାଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି। ବୁଧବାର ସନ୍ଧ୍ୟାରେ ବିରୋଧୀ ଗୋଷ୍ଠୀର କିଛି ଯୁବକ ସନ୍ତୋଷଙ୍କ ମୁଣ୍ଡକୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଗୁରୁତ ଆହତ ହେବା ଯୋଗୁ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ରାତି ୧୦ ବେଳେ ଡାକ୍ତର ସନ୍ତୋଷଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଉତ୍ତେଜନା ଲାଗି ରହିଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଗ୍ରାମରେ ପୁଲିସ ମୁତୟନ ହୋଇଛନ୍ତି।
ସୂଚନାଯୋଗ୍ୟ, ସୋରଡା ନିର୍ବାଚନମଣ୍ଡଳୀରେ ୧୮ ତାରିଖ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ସମଗ୍ର ଅଞ୍ଚଳରେ ବିଜେଡି ଓ ବିଜେପି ମଧ୍ୟରେ ମୁହାଁମୁହିଁ ଟକ୍କର ଦେଖିବାକୁ ମିଳିଛି। ବୁଧବାର ଦିନତମାମ ରାଜନୈତିକ ଛକାପଞ୍ଝା ଲାଗି ରହିଥିବା ବେଳେ ସନ୍ଧ୍ୟାରେ ଏଭଳିି ଅବାଭନୀୟ ଘଟଣା ଘଟିଥିଲା।
Comments are closed.