ପିପିଲି : ପିପିଲି ବ୍ଲକ ଅନ୍ତର୍ଗତ ବୀରପୁରୁଷୋତ୍ତମପୁର ପଞ୍ଚାୟତର ସମିତିସଭ୍ୟ ଆସନର ଭୋଟ୍ ଗଣତିରେ ତୃଟିପୂର୍ଣ୍ଣ ଓ ଜାଲିଆତି କରାଯାଇଥିବା ନେଇ ବିଜେପି ପକ୍ଷରୁ ଗୁରୁତର ଅଭିଯୋଗ ହୋଇଛି। ଭୋଟ ଗଣତିରେ ଜାଲିଆତି କରାଯାଇ ଉଦ୍ଦେଶ୍ୟମୂଳକ ଭାବେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ହରାଇ ଦିଆଯାଇଛି ବୋଲି ଅଭିଯୋଗ କରି ବୁଧବାର ପୁରୀ ଜିଲା ବିଜେପି ସଭାପତି ଆଶ୍ରୀତ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ପିପିଲି ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ବ୍ଳକ କାର୍ଯ୍ୟାଳୟକୁ ଘେରାଓ କରିଥିଲେ। ଫଳରେ ବିଡିଓ ନିଜ କାର୍ଯ୍ୟାଳୟ ମଧ୍ୟରେ ଏକ ପ୍ରକାର ଅଟକ ହୋଇ ରହିଥିଲେ। ଭୋଟ ଗଣତିର ତୃଟି ସଂଶୋଧନ କରି ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ବିଜେତା ଘୋଷଣା କରିବାକୁ ସେମାନେ ଦାବି କରିଛନ୍ତି । ଏହାକୁ ନେଇ ବ୍ଳକ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଘଟଣାସ୍ଥଳରେ ପୁଲିସ ମୂତୟନ କରାଯାଇଛି । ତେବେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ପରେ ଦୀର୍ଘ ୯ ଘଣ୍ଟା ପରେ ରାତି ୮ ଟାରେ ବିଜେପିର ଧାରଣା ପ୍ରତ୍ୟାହୃତ ହୋଇଛି।
ପୁରୀ ଜିଲା ବିଜେପି ସଭାପତି ଆଶ୍ରୀତ ପଟ୍ଟନାୟକଙ୍କ ଅଭିଯୋଗ ଅନୁଯାଇ, ବୀରପୁରୁଷୋତ୍ତମପୁର ପଞ୍ଚାୟତର ସମିତିସଭ୍ୟ ଆସନର ଭୋଟ ଗଣତିରେ ଜାଲିଆତି କରାଯାଇଛି । ଉକ୍ତ ପଞ୍ଚାୟତର ୧୪ନଂ ୱାର୍ଡର ସମିତିସଭ୍ୟ ଆସନର ଭୋଟ ଗଣତିରେ ବିଜେପି ସମର୍ଥିତ ପ୍ରାର୍ଥୀ ଶୁଭାଶିଷ ମିଶ୍ର ୧୯୧ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାହାକୁ ଓଲଟପାଲଟ କରି ୧୩୪ ଖଣ୍ଡ ବୋଲି ଦର୍ଶାଯାଇଛି। ଏଥିସହ ଗତ ୨୮ ତାରିଖ ରାତିରେ ଭୋଟ୍ ଗଣତି ସରିବା ପରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ଏଜେଣ୍ଟ ପୁନଃ ଭୋଟ୍ଗଣତି ପାଇଁ ଆବେଦନ କରିଥିବା ଓ ସେହି ରାତିରେ ପୁନଃ ଭୋଟ୍ ଗଣତି କରାଯାଇଥିବା ନେଇ ଆଶ୍ରୀତ ଅଭିଯୋଗ କରିଛନ୍ତି। ଯଦି ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଥିଲେ ତେବେ ସେ ପୁନଃ ଭୋଟ୍ ଗଣତି ପାଇଁ କାହିଁକି ଆବେଦନ କରିଥିଲେ ଓ ବ୍ଳକ ନିର୍ବାଚନ ଅଧିକାରୀ ତାଙ୍କ ଆବେଦନକୁ ଗ୍ରହଣ କରି ପୁନଃ ଭୋଟ୍ ଗଣତି କାହିଁକି କଲେ ବୋଲି ଆଶ୍ରୀତ ପ୍ରଶ୍ନ କରିଛନ୍ତି। ଶାସକ ଦଳର ହାତବାରିସୀ ସାଜି ବ୍ଲକ କତ୍ତୃପକ୍ଷ ବିଜେପି ସମର୍ଥିତ ସମିତିସଭ୍ୟ ପ୍ରାର୍ଥ୍ରୀଙ୍କୁ ହରାଇଛନ୍ତି ବୋଲି ଆଶ୍ରୀତ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଆଶ୍ରୀତଙ୍କ ନେତୃତ୍ୱରେ ବୁଧବାର ପୂର୍ବାହ୍ନ ୧୧ଟାରୁ ଶତାଧିକ ବିଜେପି କର୍ମୀ ଓ ସମର୍ଥକମାନେ ପିପିଲି ବିଡିଓ ରଶ୍ମିତା ନାଥଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଭୋଟ ଗଣତିର ତୃଟି ସଂଶୋଧନ କରି ବିଜେପି ସମର୍ଥିତ ସମିତିସଭ୍ୟ ପ୍ରାର୍ଥୀଙ୍କୁ ବିଜେତା ଘୋଷଣା କରିବାକୁ ସେମାନେ ଦାବି କରିଛନ୍ତି। ବ୍ଲକ କାର୍ଯ୍ୟାଳୟ ବାହାରେ ମଧ୍ୟ ଶତାଧିକ ସଂଖ୍ୟାରେ ବିଜେପି କର୍ମୀ ଓ ନେତାମାନେ ରୁଣ୍ଡ ହୋଇ ହୋ ହଲ୍ଲା, ନାରାବାଜି କରୁଥିବା ବେଳେ ଏହାକୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ପୁରୀର ଅତିରିକ୍ତ ଏସପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ପିପିଲି ଏସଡ଼ିପିଓ ଦେବଦତ୍ତ ବରାଳ, ପିପିଲି ତହସିଲଦାର ସପନ କୁମାର ନନ୍ଦ, ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା, ପିପିଲି ଆଇଆଇସି ଅଭିମନ୍ୟୁ ନାୟକଙ୍କ ସମେତ ଡେଲାଙ୍ଗ, ସତ୍ୟବାଦୀ, ବଳଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଆନ୍ଦୋଳନକାରୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ତେବେ, ଉକ୍ତ ପଞ୍ଚାୟତରେ ବିଜେପି ସମର୍ଥୀତ ସମିତିସଭ୍ୟ ପ୍ରାର୍ଥୀଙ୍କୁ ବିଜେତା ଘୋଷଣା ଦାବୀରେ ଆନ୍ଦୋଳନକାରୀମାନେ ଅଡି ବସିଥିଲେ। ଘଟଣାସ୍ଥଳରେ ୨ପ୍ଲାଟୁନ ପୁଲିସ ଫୋର୍ସଙ୍କୁ ମୂତୟନ କରାଯାଇଥିଲା। ସନ୍ଧ୍ୟାରେ ପିପିଲି ତହସିଲଦାର ସପନ କୁମାର ନନ୍ଦଙ୍କ କାର୍ଯ୍ୟାଳୟ ପରିସରରେ ଜିଲା ବିଜେପି ସଭାପତି ଶ୍ରୀପଟ୍ଟନାୟକଙ୍କ ସହ ଅତିରିକ୍ତ ଏସପି, ପିପିଲି ଏସଡ଼ିପିଓ ଓ ଆଇଆଇସି ଆଲୋଚନା ଜାରି ରଖିଥିବା ସୂଚନା ମିଳିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ବିଡିଓ ଶ୍ରୀମତୀ ନାଥଙ୍କ କାର୍ଯ୍ୟାଳୟକୁ ବିଜେପି କର୍ମୀ ଓ ନେତାମାନେ ଘେରାଓ କରି ରଖିଥିବା ବେଳେ ବିଡିଓ ନିଜ କାର୍ଯ୍ୟାଳୟ ମଧ୍ୟରେ ଏକ ପ୍ରକାର ଗୃହବନ୍ଦୀ ଅବସ୍ଥାରେ ଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ଅପରାହ୍ନ ୫ଟାରେ ବିଜେପି କର୍ମୀମାନେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସାତଶଙ୍ଖ ନିକଟ ବୀରପୁରୁଷୋତ୍ତମପୁର ଗ୍ରାମ୍ୟଛକ ଠାରେ ଜାତୀୟ ରାଜପଥ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ତେବେ ପୁଲିସର ହସ୍ତକ୍ଷେପ ପରେ ରାସ୍ତା ଅବରୋଧ ହଟିଲା।
ଅନ୍ୟପକ୍ଷରେ ଭୋଟ୍ ଗଣତିରେ ଏହି ଜାଲିଆତି ଅଭିଯୋଗକୁ ପିପିଲି ବିଡ଼ିଓ ରଶ୍ମିତା ନାଥ ଅସ୍ବୀକାର କରିଛନ୍ତି । ନିର୍ବାଚନ ନିୟମ ଅନୁଯାୟୀ ଭୋଟ୍ ଗଣତିରେ ସଂପୂର୍ଣ୍ଣ ସ୍ୱଛତା ଅବଲମ୍ବନ କରାଯାଇଛି ଏବଂ ଉକ୍ତ ୧୪ନଂ ୱାର୍ଡ଼ର ଭୋଟ ଗଣତି ଶେଷହେବା ପରେ ରେଜଲ୍ଟ ସିଟରେ ଉଭୟ ପ୍ରାର୍ଥୀଙ୍କ ଏଜେଣ୍ଟ ଦସ୍ତଖତ କରିଛନ୍ତି ବୋଲି ବିଡିଓ କହିଛନ୍ତି । ଭୋଟ୍ ଗଣତିରେ କୌଣସି ତୃଟି ନାହିଁ ବୋଲି ବିଡ଼ିଓ ଶ୍ରୀମତୀ ନାଥ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।



