କୋଚି : କେରଳ ନନ୍ ବଳାତ୍କାର ମାମଲାରେ ଅଭିଯୁକ୍ତ ଜଳନ୍ଦର ବିଶପ୍ ଫ୍ରାଙ୍କୋ ମୁଲାକ୍କାଲଙ୍କୁ ରାଜ୍ୟ ପୁଲିସ ଶୁକ୍ରବାର ଗିରଫ କରିଛି। ୨୦୧୪ରୁ ୨୦୧୬ ମଧ୍ୟରେ ୧୩ ଥର ଅଭିଯୋଗକାରିଣୀ ନନ୍ଙ୍କୁ ବଳାତ୍କାର କରିବା ନେଇ ତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଥିଲା। ଥ୍ରିପୁନିଥୁରାଠାରେ କ୍ରାଇମ ବ୍ରାଞ୍ଚ ପୁଲିସ ମୁଖ୍ୟାଳୟରେ କ୍ରମାଗତ ତୃତୀୟ ଦିନ ପାଇଁ ଜେରା ନିମନ୍ତେ ମୁଲାକ୍କାଲ ହାଜର ହେବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ମୁଲାକ୍କାଲଙ୍କୁ ଗିରଫ ଦାବିରେ ନନ୍ଙ୍କ ସମର୍ଥକମାନେ ଗତ ଦଶ ଦିନ ହେବ ଧାରଣାରେ ବସିଥିବା ବେଳେ ଏହି ଖବର ସେମାନଙ୍କୁ କିଛି ପରିମାଣରେ ଆଶ୍ୱସ୍ତି କରିଛି। କ୍ରାଇମ ବ୍ରାଞ୍ଚ ପୁଲିସ ଗୁରୁବାର ତାଙ୍କ ୮ ଘଣ୍ଟା ଧରି ତାଙ୍କୁ ଜେରା କରିବା ପରେ ଶୁକ୍ରବାର ପୂର୍ବାହ୍ଣ ୧୦ଟା ୩୦ ମିନିଟରେ ହାଜର ହେବାକୁ ନିର୍ଦେଶ ଦେଇଥିଲା। କୋଚିସ୍ଥିତ ଏକ ପଞ୍ଚତାରକା ହୋଟେଲରେ ରହୁଥିବା ମୁଲାକ୍କାଲ ପୂର୍ବାହ୍ଣ ୧୦ଟା ୪୦ରେ କାର୍ଯ୍ୟାଳୟରେ ପହଞ୍ଚିବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ନନ୍ ବିରୋଧରେ ଏକ ଅଭିଯୋଗର ତଦନ୍ତ ନିର୍ଦେଶ ଦେବା କାରଣରୁ ତାଙ୍କୁ ଫଶାଇବାକୁ ଉଦ୍ୟମ ହୋଇଥିବା ଦର୍ଶାଇ ମୁଲାକ୍କାଲ ବଳାତ୍କାର ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ଅନ୍ୟପଟେ ଭାଟିକାନ ପକ୍ଷରୁ ତାଙ୍କୁ ସାମୟିକ ଭାବେ ଗୁରୁବାର ଜଳନ୍ଧର ଡିଓସିସ୍ ଦାୟିତ୍ୱରୁ ମୁକ୍ତ କରାଯାଇଥିଲା।
Popular Categories



