ଡେସ୍କ: କଂଗ୍ରେସ ଅଭିଯୋଗ କରିଛି ଯେ ମୁଖ୍ୟ ନିର୍ବାଚନ ଆୟୋଗ ଏବଂ ଅନ୍ୟାନ୍ୟ ନିର୍ବାଚନ ଆୟୋଗଙ୍କ ନିଯୁକ୍ତିକୁ ନିୟନ୍ତ୍ରଣ କରିବା ନିମନ୍ତେ ଆଗତ ନୂଆ ବିଧେୟକ ଦେଶର ନିର୍ବାଚନୀ ସଂସ୍ଥାକୁ ପଙ୍ଗୁ କରିଦେବାକୁ ଏକ ପ୍ରୟାସ। ପ୍ରଧାନମନ୍ତ୍ରୀ ନିର୍ବାଚନ ଆୟୋଗକୁ ନିଜ ଅଧୀନରେ ରଖିବାକୁ ଚାହୁଁଥିବା କଂଗ୍ରେସ କହିଛି। ଏ ନେଇ ସମସ୍ତଙ୍କୁ ପ୍ରସ୍ତାବିତ ଆଇନକୁ ବିରୋଧ କରିବାକୁ କଂଗ୍ରେସ ଆହ୍ୱାନ ଦେଇଛି। ତେବେ ବିଜେଡି ଏବଂ ୱାଇଏସଆରସିପି ଏହି ବିଧେୟକକୁ ବିରୋଧ କରିବେ କି ନାହିଁ ବୋଲି କଂଗ୍ରେସ ପଚାରିଛି।
କଂଗ୍ରେସ ସଂଗଠନ ସାଧାରଣ ସଂପାଦକ କେ ସି ବେଣୁଗୋପାଲ ଏହି ବିଲ୍ ଉପରେ ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ଏହି ବିଧେୟକ ମଞ୍ଜୁରୀ ଲାଭ କଲେ ନିର୍ବାଚନ କମିଶନ ପ୍ରଧାନମନ୍ତ୍ରୀଙ୍କ ହାତରେ କଣ୍ଢେଇ ସଦୃଶ ହେବ। ବେଣୁଗୋପାଲ କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ, ନିର୍ବାଚନ କମିଶନଙ୍କ ନିଯୁକ୍ତି ଏକ ନିରପେକ୍ଷ କମିଟି ଦ୍ୱାରା କରାଯିବ। ପ୍ରଧାନମନ୍ତ୍ରୀ କାହିଁକି ପକ୍ଷପାତୀ ନିର୍ବାଚନ କମିଶନର ନିଯୁକ୍ତ କରିବାର ଆବଶ୍ୟକତା ଅନୁଭବ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
ତେବେ ଏହି ବିଧେୟକ ଚଳିତ ବର୍ଷ ମାର୍ଚ୍ଚରେ ସୁପ୍ରିମକୋର୍ଟ ଦେଇଥିବା ରାୟର ବିପରୀତ ଅଟେ ଯେଉଁଥିରେ ଏହି କମିଟିରେ ପ୍ରଧାନମନ୍ତ୍ରୀ, ଲୋକସଭାର ବିରୋଧୀ ଦଳ ନେତା ଏବଂ ଭାରତର ପ୍ରଧାନ ବିଚାରପତି ସଦସ୍ୟ ରହିବେ। ଆସନ୍ତା ବର୍ଷ ପ୍ରାରମ୍ଭରେ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ଫେବୃଆରୀ ୧୪ରେ ଅବସର ଗ୍ରହଣ କରିବେ।



