ଭୁବନେଶ୍ବର : ମହାନ ଜନନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଆଜି ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି । କଳିଙ୍ଗ ସମ୍ରାଟ ବିଜୁ ପଟ୍ଟନାୟକ ୧୯୧୬ ମାର୍ଚ୍ଚ ୫ରେ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କ ଔରଷ ଓ ଆଶାଲତା ଦେବୀଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିଥିଲେ। କଟକସ୍ଥିତ ତୁଳସୀପୁରର ଆନନ୍ଦ ଭବନରେ ଜନ୍ମ ଗ୍ରହଣ କରିଥିବା ବିଜୁବାବୁ ନିଜର ଅସାଧାରଣ ପ୍ରତିଭା ବଳରେ ରାଜ୍ୟ ତଥା ଦେଶ ବିଦେଶରେ ସୁନାମ ଅର୍ଜନ କରି ପାରିଥିଲେ। ଜଣେ ଦୂରଦ୍ରଷ୍ଟା ରାଜନେତା ଭାବେ ତାଙ୍କୁ ବିବେଚନା କରାଯାଏ। ଜାତୀୟ ରାଜନୀତିରେ ଜଣେ ପ୍ରଭାବଶାଳୀ ନେତା ଭାବେ ସେ ପରିଚିତ ଥିଲେ।
ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୬ତମ ଜୟନ୍ତୀ ଅବସରରେ ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ବହୁ ଦଳୀୟ ନେତା ଯୋଗ ଦେଇଥିଲେ।



