ଆସ୍ଥା ଭୋଟ୍‌ରେ ନୀତୀଶ ବିଜୟୀ

ପାଟନା: ନୀତୀଶ କୁମାରଙ୍କ ନେତୃତ୍ବ ବିହାରର ମହାମେଣ୍ଟ ସରକାର ବୁଧବାର ବିଧାନସଭାରେ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିଜୟ କୁମାର ଚୌଧୁରୀଙ୍କ ଅନୁରୋଧ କ୍ରମେ ଉପ ବାଚସ୍ପତି ମାହେଶ୍ବରୀ ହଜାରି ବାଚନିକ ଭୋଟ କରାଇଥିଲେ। ଯେଉଁଥିରେ ସରକାର ସପକ୍ଷରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପ୍ରମାଣିତ ହୋଇଥିଲା। ସରକାରଙ୍କ ସପକ୍ଷରେ ପ୍ରାୟ ୧୬୦ଟି ଭୋଟ ପଡିଥିବାବେଳେ ବିରୋଧରେ କୌଣସି ଭୋଟ ପଡି ନଥିଲା।

କାରଣ ଭୋଟ ପୂର୍ବରୁ ବିରୋଧୀ ଦଳ ବିଜେପି କକ୍ଷ ତ୍ୟାଗ କରିଥିଲା। ଗୃହରେ ଉପସ୍ଥିତ ଏକମାତ୍ର ବିରୋଧୀ ଏଆଇଏମଆଇଏମ୍‌ ବିଧାୟକ ଅଖତରୁଲ୍ ଇମାନ ଆସ୍ଥା ଭୋଟକୁ ସମର୍ଥନ କରିଥିଲେ। ଆସ୍ଥା ଭୋଟ ପରେ ବିଧାନସଭାକୁ ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ଶୁକ୍ରବାର ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଆଜିର ବିଧାନସଭା ଅଧିବେଶନ ଆରମ୍ଭ ପୂର୍ବରୁ ବିଜେପି ନେତା ବିଜୟ କୁମାର ସିହ୍ନା ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ।

ନୂଆ ସରକାରର ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବା ଲାଗି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଯାଇଥିଲା। ଅଧିବେଶନ ଆରମ୍ଭରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଉପସ୍ଥିତ ସଦସ୍ୟଙ୍କୁ ସମ୍ବୋଧନ କରିଥିଲେ। ନୀତୀଶ ତାଙ୍କ ଭାଷଣରେ ବିରୋଧୀ ବିଜେପିକୁ ପରୋକ୍ଷ ସମାଲୋଚନା କରିଥିଲେ। ଜେଡିୟୁରେ ବିଭାଜନ ନିମନ୍ତେ ବିଜେପି କିପରି ଯୋଜନା କରିଥିଲା ତାହା ସେ କହିଥିଲେ।

ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡୱାଣୀ ଓ ମୁରଲୀ ମନୋହର ଜୋଷୀଙ୍କ ସମୟର ବିଜେପି ଓ ବର୍ତ୍ତମାନର ବିଜେପି ମଧ୍ୟରେ ନୀତୀଶ ପାର୍ଥକ୍ୟ ଦର୍ଶାଇଥିଲେ। ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କହିଥିଲେ ଆମେ କ୍ରିକେଟ ଖେଳାଳି। ଏହି ଖେଳରେ ଆରଜେଡି-ଜେଡିୟୁ ହେଉଛନ୍ତି ଅବିଭାଜିତ ପାର୍ଟନର। ଏହା ବଡ ଇନିଂସ ଖେଳିବାକୁ ଯାଉଛନ୍ତି। ଉଭୟ ମିଶି ବିହାରର ବିକାଶ ଦିଗରେ କାର୍ଯ୍ୟ କରିବେ।

Comments are closed.