ଶରତ କୁମାର ମହାନ୍ତି ଥିଲେ ମାନବବାଦର ଉଦଘୋଷକ
ଭୁବନେଶ୍ୱର: ଦର୍ଶନ, ଜୀବନ ଓ ସମାଜର ମୂଲ୍ୟବୋଧ ଥିଲା ଚିନ୍ତାନାୟକ ଶରତ କୁମାର ମହାନ୍ତିଙ୍କର ସାରସ୍ବତ ବିଭବ। ସଂସ୍କୃତି, ପରମ୍ପରା ଓ ଉର୍ଦ୍ଧ୍ବରେ ଚେତନା ବିକଶିତ ହେଲେ ମଣିଷ ସମାଜର ବିକାଶ ସମ୍ଭବ ବୋଲି ବିଶିଷ୍ଟ ସାରସ୍ବତ ସାଧକ ଶରତ କୁମାର ମହାନ୍ତି ବିଚାର କରୁଥିଲେ। ଚିନ୍ତାନାୟକ ଶରତ କୁମାର ମହାନ୍ତିଙ୍କ ୧୬ତମ ସ୍ମୃତି ଉତ୍ସବରେ ଯୋଗ ଦେଇ ବିଶିଷ୍ଟ ବକ୍ତାମାନେ ଏହି ମତ ରଖିଛନ୍ତି।
ଶରତ କୁମାର ମହାନ୍ତି ଥିଲେ ମାନବବାଦର ଉଦଘୋଷକ। ସ୍ନେହ ଓ ସଂପ୍ରିତି ମଧ୍ୟରେ ମାନବିକତାକୁ ଉପଲବଧି କରିହୁଏ ବୋଲି ସଭାପତିତ୍ୱ କରି ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ କହିଛନ୍ତି। ଆଜି ସନ୍ଧ୍ୟାରେ ଭୁବନେଶ୍ବର ଇଡକଲ ଅଡିଟୋରିୟମ ଠାରେ ଶରତ ସ୍ମୃତି ସଂସଦ ଅନୁକୂଲ୍ୟରେ ଶରତ କୁମାର ମହାନ୍ତିଙ୍କ ୧୬ତମ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ଆୟୋଜିତ ସଭାକୁ ଉଦଘାଟନ କରିଥିଲେ ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଡ. ହୃଷିକେଶ ମଲ୍ଲିକ। ଶରତ କୁମାର ମହାନ୍ତିଙ୍କ ଜୀବନ ସତ୍ୟ ଓ କରୁଣା ଉପରେ ପର୍ଯ୍ୟବସିତ ଥିଲା ବୋଲି ଏହି ଅବସରରେ ସେ କହିଥିଲେ। ମୁଖ୍ୟବକ୍ତା ଭାବେ ସାହିତ୍ୟିକ ପବିତ୍ର ପାଣିଗ୍ରାହୀ ଯୋଗ ଦେଇ ଶରତ କୁମାର ମହାନ୍ତିଙ୍କ ବ୍ୟକ୍ତିଗତ ଜୀବନ ଓ ପ୍ରାଚୀନ ନଦୀ ଉପତ୍ୟକା ନେଇ ରଚିତ ପୁସ୍ତକ ସଂପର୍କରେ କହିଥିଲେ। ସ୍ମୃତି ସଂସଦର ସଂପାଦକ ବିଜୟାନନ୍ଦ ସିଂହ ସ୍ବାଗତ ଭାଷଣ ଦେଇ ଶରତ ମହାନ୍ତି ଗାନ୍ଧୀ ଆନ୍ଦୋଳନର ଅନ୍ୟତମ ସଫଳ ସୂତ୍ରଧର ଥିଲେ ବୋଲି କହିଥିଲେ।
ସଭା ପ୍ରାରମ୍ଭରେ ସଂସଦର ପରିଚାଳନା ସଂପାଦକ ମନ୍ମଥ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ। ସଂସଦର ସଦସ୍ୟ ମଧୁମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ସ୍ମୃତି ସଂସଦର ପୂର୍ବତନ ସଂପାଦକ ତଥା ବିଶିଷ୍ଟ କବି ପ୍ରମୋଦ ମହାନ୍ତିଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।
Comments are closed.