ଭଞ୍ଜନଗର : ଗଞ୍ଜାମ ଜିଲାରେ ଏବେ କାକପୋଇ ଗଛକୁ ନେଇ ବ୍ୟବସାୟ ଆରମ୍ଭ ହୋଇଛି। ଜଙ୍ଗଲ ବିଭାଗ ୧୯୮୦ ଆଇନ ପ୍ରକାରେ କାକପୋଇ ଗଛ ସମେତ ସୁନ୍ଦରକଣି, ବାଡିବାଉଁଶ, ବୋଲାଙ୍ଗି ବାଉଁଶ, ସାନ ଚାକୁଣ୍ଡା, ଝାଉଁ, ସୁଲିଭିର ଓକା, ନୀଳଗିରି, ଆକାଶିଆ ଓ ସୁବାବୁଲ ଗଛକୁ ମାଗଣା ବିକ୍ରି କରାଯାଇପାରିବାର ସୁଯୋଗ ଉଠାଇଛନ୍ତି ବ୍ୟବସାୟୀ। ଏକଦା ଗଞ୍ଜାମ ଜିଲାରେ କାକପୋଇ ଗଛ ବହୁଳ ମାତ୍ରାରେ ଦେଖିବାକୁ ମିଳୁଥିଲା। ଗାଁ ଗାଁର ବାଡି, ଖଳା ଓ କ୍ଷେତ ହୁଡାରେ ଶହଶହ ସଂଖ୍ୟାରେ ବିରାଟ ବରାଟ ଗଛ ଶୋଭାବର୍ଦ୍ଧନ କରୁଥିଲା। ଏହି ବୃକ୍ଷ ଏବେ ଶୂନ୍ୟ ହେବାକୁ ବସିଲାଣି। ଗତ ୫ ବର୍ଷ ମଧ୍ୟରେ ଗଞ୍ଜାମ ଜିଲାରୁ ୫୦ ହଜାରରୁ ଅଧିକ ଏହି ପ୍ରକାର ଗଛକୁ ଛେଦନ କରି ଦିଆଯାଇଥିବା ଆକଳନ କରାଯାଇଛି। ଗାଁ ଗାଁରୁ କାକପୋଇ ଗଛ ଶୂନ୍ୟ ହେଉଥିବା ପରସ୍ଥିତିି ଦେଖି ଗ୍ରମାଞ୍ଚଳର କିଛି ବୟୋଜ୍ୟେଷ୍ଠ ବ୍ୟକ୍ତି ପ୍ରମାଦ ଗଣିଲେଣି। ରାଜ୍ୟ ତଥା କେନ୍ଦ୍ର ସରକାର ସ୍ୱଚ୍ଛ ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଥିବା ବେଳେ ବୃକ୍ଷଶୂନ୍ୟ ପରିବେଶ ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯାନ ପ୍ରତି ଘୋର ଅନ୍ତରାୟ ସୃଷ୍ଟି କରିଛି।
କାକପୋଇ ଗଛ ଗ୍ରାମାଞ୍ଚଳର ସ୍ୱଚ୍ଛତା ଓ ସ୍ୱଚ୍ଛ ପରିବବେଶକୁ ଅଧିକ ସଦୃଢ କରୁଥିଲା। ପ୍ରାୟ ୪୦/୫୦ ବର୍ଷ ତଳେ ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ଜଳେଣୀ ଗ୍ୟାସ ଘୋର ଅଭାବ ଥିଲା। ଫଳରେ ଲୋକେ କୌଣସି ମତେ ଜଙ୍ଗଲରୁ କାଠ ବୋହି ଆଣି ଜାଳେଣୀ କାଠ ଭାବେ ବ୍ୟବହାର କରୁଥିଲେ। ଜଙ୍ଗଲର ଅବକ୍ଷୟ ରୋକିବା ନିମନ୍ତେ ୧୯୮୦ ମସିହାରେ ରାଜ୍ୟ ଜଙ୍ଗଲ ବିଭାଗ ତରଫରୁ ବ୍ୟାପକ ଭାବେ କାକପୋଇ ଗଛ ରୋପଣ କରି ଏହାର କାଠକୁ ଜଳେଣୀ ଭାବେ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା। ଫଳରେ ଲୋକେ ନିଜ ନିଜର ଖଳା ଓ କ୍ଷେତରେ ବହୁଳ ପରିମାଣରେ ଏହି ପ୍ରକାର ଗଛ ଲଗାଇ ଏହାର ଡାଳକୁ ହାଣି ଜଳେଣୀ ଭାବ ବ୍ୟବହାର କରୁଥିଲେ।
ରାଜ୍ୟ ଜଙ୍ଗଲ ବିଭାଗ ତରଫରୁ ଏହାର କାରବାର ଉପରେ କଟକଣା ଉଠାଇ ଦିଆଯାଇଥିଲା। ଜଙ୍ଗଲ ସଂପଦର ସୁରକ୍ଷା ପାଇଁ ଏହି ଗଛକୁ ମାଗଣା ବ୍ୟବହାର ତଥା ଜଳେଣୀ କାଠ ଓ ଘର ସାମଗ୍ରୀ ତିଆରି ପାଇଁ ଅନୁମତି ପ୍ରଦାନ କରାଯାଇଥିଲା। ଏହି ନିୟମ ପ୍ରଣୟନ ହେବାର ଦୀର୍ଘ ୪୦ ବର୍ଷ ପରେ ମଧ୍ୟ ଏହାର ସଂଶୋଧନ ହୋଇ ପାରି ନାହିଁ।
ଯଦ୍ବାରା ଗ୍ରମାଞ୍ଚଳର ଲୋକେ କାକପୋଇ ଗଛର କାଠକୁ ଆଉ ଜଳେଣୀ ଭାବେ ବ୍ୟବହାର କରୁ ନାହାନ୍ତି। ଏବେ ଘରେ ଘରେ ଗ୍ୟାସକୁ ଜାଳେଣି ଭାବେ ବ୍ୟବହାର କରାଯାଉଛି। ଏପରି ଯେ ଜଙ୍ଗଲାଞ୍ଚଳର ଲୋକେ ବି ଗ୍ୟାସ ବ୍ୟବହାର କରୁଛନ୍ତି। ଗ୍ରାମାଞ୍ଚଳରୁ କାକପୋଇ ଗଛ ଲୋପ ହେବାକୁ ବସିଲାଣି। ବ୍ୟବସାୟୀମାନେ ଗାଁ ଗାଁ ବୁଲି ଖଳା ଓ ବାରିରୁ କାକପୋଇ ଗଛ କିଣି ତାକୁ ସାଇଜ କରି ବ୍ରହ୍ମପୁର ଓ ରାଜ୍ୟର ବିଭନ୍ନ ସହରକୁ ଚାଲାଣ କରୁଛନ୍ତି। ଦୈନିକ ଟ୍ରକ ଟ୍ରକ କାକପୋଇ ଗଛ ରାଜରାସ୍ତାରେ ଚାଲାଣ ହେଉଛି। ଏହା ଫ୍ରି ସେଲ ହୋଇଥିବାରୁ ଅବାଧରେ ଚାଲାଣ ହେଉଛି। ୩୦ରୁ ୫୦ ବର୍ଷର ପୁରୁଣା ଗଛର ମୂଳୋତ୍ପାଟନ ଯୋଗୁ ଏବେ ପରିବେଶ ପ୍ରତି ଘୋର ବିପଦ ସୃଷ୍ଟି କରିଛି। ଚଳିତ ବର୍ଷର ମହାମାରୀ କରୋନା ପରିସ୍ଥିତି ଯୋଗୁ ଗ୍ରମାଞ୍ଚଳର ଲୋକଙ୍କ ପାଖରେ ଅର୍ଥର ଘୋର ଅଭାବ ରହିଥିଲା। ଏହାର ସୁଯୋଗ ନେଇ କାଠ ବ୍ୟବସାୟୀମାନେ ବେଶ୍ ଚତୁରତାର ସହ ଏହି ବ୍ୟବସାୟକୁ ଜୋରଦାର ଚଳାଇଛନ୍ତି। ଗ୍ରାମାଞ୍ଚଳ ଏବେ ବୃକ୍ଷ ଶୂନ୍ୟ ହେବାକୁ ବସିଛି। ରାଜ୍ୟ ସରାକାରଙ୍କ ଜଙ୍ଗଲ ବିଭାଗ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।



