ବେଟୀ ବଚାଓ-ବେଟୀ ପଢ଼ାଓ ୧୦ବର୍ଷ ପୂର୍ତ୍ତି, ଲିଙ୍ଗଗତ ତାରତମ୍ୟ ହ୍ରାସ ପାଇଁ ଆହ୍ୱାନ

କେନ୍ଦୁଝରଗଡ଼଼: ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାରହଲଠାରେ ଜିଲା ପ୍ରଶାସନ ଓ ଜିଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ‘ବେଟୀ ବଚାଓ-ବେଟୀ ପଢ଼ାଓ’ ଯୋଜନାର ୧୦ବର୍ଷ ପୂର୍ତ୍ତି ଉପଲକ୍ଷେ ଶୁକ୍ରବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଜକୁ ୧୦ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଦୂରଦୃଷ୍ଟିସମ୍ପନ୍ନ ବିଚାର ବଳରେ ଯେଉଁ ଉଦ୍ଦେଶ୍ୟ ରଖି ‘ବେଟୀ ବଚାଓ ବେଟୀ ପଢ଼ାଓ’ ଅଭିଯାନର ଶୁଭାରମ୍ଭ କରିଥିଲେ ତାହା ଆଜି ଫଳବତୀ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ।

କନ୍ୟାରତ୍ନ ମାନଙ୍କ ପାଇଁ ଶିକ୍ଷା ଓ ସୁରକ୍ଷା ସୁନିଶ୍ଚିତ କରିବା ସହ ବାଲ୍ୟବିବାହ, କନ୍ୟାଭୃଣ ହତ୍ୟା ଆଦି ରୋକିବା ପାଇଁ ସାମୁହିକ ପ୍ରୟାସ କରି ଲିଙ୍ଗଗତ ତାରତମ୍ୟ ହ୍ରାସ ପାଇଁ ବିଧାୟକ ଶ୍ରୀ ନାଏକ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ମନ୍ଦରଧର ମହାଳିକ, ଜିଲା ସମାଜ ମଙ୍ଗଳ ଅଧିକାରୀ ମିତା ନାଏକ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ବିଭୂତି ଭୂଷଣ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରୁପମା ସାହୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ବକ୍ତବ୍ୟ ରଖିଥିଲେ। ସକାଳେ ଅତିରିକ୍ତ ଜିଲାପାଳ ଶ୍ରୀ ମହାଳିକ କନ୍ୟାମାନଙ୍କୁ ନେଇ ଅନୁଷ୍ଠିତ ସାଇକେଲ ଶୋଭାଯାତ୍ରାକୁ ଉଦଘାଟନ କରିଥିଲେ।

Comments are closed.