କଟକ: କ୍ରିକେଟ୍ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ ଅପେକ୍ଷା। ଏହି ଐତିହାସିକ ଷ୍ଟାଡିୟମ୍ରେ ମଙ୍ଗଳବାର ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି୨୦ ମ୍ୟାଚ। ୫ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ ବାରବାଟୀରେ ଖେଳାଯିବ। ଏଥିପାଇଁ ନୂଆ ରୂପରେ ସଜେଇ ହୋଇଛି ବାରବାଟୀ। ଦୁଲୁକୁଛି କଟକ। ଉଲ୍ଲାସରେ ଭରିଛି ସାରା ଓଡ଼ିଶା। ବଢ଼ିଚାଲିଛି ପ୍ରଶଂସକଙ୍କ ହୃଦସ୍ପନ୍ଦନ। ରାତି ୭ଟାରୁ ଖେଳାଯିବ ମ୍ୟାଚ।
ଫ୍ଲଡ୍ଲାଇଟ ସହ ୪୦ ହଜାରରୁ ଅଧିକ ଦର୍ଶକରେ ଉଛୁଳିବ ବାରବାଟୀ। ମଙ୍ଗଳବାର ମଧ୍ୟାହ୍ନରୁ କଟକର ସହରର ସମସ୍ତ ରାସ୍ତା ବାରବାଟୀ ଆଡ଼କୁ ମୁହାଁଇବ। ୧୦ ମାସ ପରେ ପରେ ବାରବାଟୀରେ ଖେଳାଯିବ ଆଉ ଏକ ଅନ୍ତର୍ଜାତୀୟ ମ୍ୟାଚ। ଏହାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ବଢ଼ିବାରେ ଲାଗିଛି। ଭାରତ ଦିନିକିଆ ଶୃଙ୍ଖଳା ବିଜୟୀ ହେବା ପରେ ଟ୍ବେଣ୍ଟି୨୦ ଶୃଙ୍ଖଳାର ଗୁରୁତ୍ବ ବଢ଼ିଯାଇଛି। ଶୃଙ୍ଖଳା ବାରବାଟୀରୁ ଆରମ୍ଭ ହେବାକୁ ଥିବାରୁ କ୍ରିକେଟପ୍ରେମୀ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ନେଇ ଅାଶା ରଖିଛନ୍ତି। ମ୍ୟାଚକୁ ନେଇ ଓଡ଼ିଶା କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ଅନ୍ଲାଇନ୍ରେ ଟିକଟ କିଣିବାରୁ ଆରମ୍ଭ କରି ଟିକଟ ବିକ୍ରିରେ ପ୍ରତିଫଳିତ ହୋଇସାରିଛି।
ବାରବାଟୀରେ ଏହା ହେବ ଚତୁର୍ଥ ଅନ୍ତର୍ଜାତୀୟ ଟ୍ବେଣ୍ଟି୨୦ ମ୍ୟାଚ। ପୂର୍ବରୁ ଭାରତ ଉକ୍ତ ଗ୍ରାଉଣ୍ଡରେ ୩ଟି ମ୍ୟାଚ ଖେଳି ଗୋଟିଏ ଜିତିଛି ଓ ଦୁଇଟିରେ ପରାଜିତ ହୋଇଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଦୁଇଟି ମ୍ୟାଚ ଖେଳି ଦୁଇଟିଯାକ ବିଜୟୀ ହୋଇଛି। ଦକ୍ଷିଣ ଆଫ୍ରିକା ଦୁଇଟିଯାକ ମ୍ୟାଚରେ ଭାରତକୁ ପରାସ୍ତ କରିଛି। ଉଭୟ ଦଳ ବାରବାଟୀରେ ତୃତୀୟ ଥର ମୁହଁାମୁହିଁ ହେବାକୁ ଯାଉଛନ୍ତି। ଦକ୍ଷିଣ ଆଫ୍ରିକା ସପକ୍ଷରେ ରେକର୍ଡ ରହିଥିଲେ ମଧ୍ୟ ମ୍ୟାଚକୁ ନେଇ ପୂର୍ବାନୁମାନ କରିବା କଷ୍ଟକର ହୋଇଛି। ପ୍ରଥମଥର ବାରବାଟୀରେ ନାଲି ମାଟି ପିଚରେ ମ୍ୟାଚ ଖେଳାଯିବାକୁ ଥିବାରୁ ହାଇସ୍କୋରିଂ ହେବା ନେଇ ଯଥେଷ୍ଟ ସମ୍ଭାବନା ରହିଛି। ମ୍ୟାଚ ପାଇଁ ସୋମବାର ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ ଜୋରଦାର ଅଭ୍ୟାସ କରିଥିଲେ।
ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧିନ ଭାରତୀୟ ଦଳ ଅପରାହ୍ଣ ୧ଟାରୁ ୪ଟା୩୦ ପର୍ଯ୍ୟନ୍ତ ୩ ଘଣ୍ଟାରୁ ଅଧିକ ସମୟ ନେଟ୍ ପ୍ରାକ୍ଟିକ୍ସ କରିଥିଲା। ସେହିପରି ଐଡେନ ମାର୍କରାମଙ୍କ ନେତୃତ୍ବାଧୀନ ଦକ୍ଷିଣ ଆଫ୍ରିକା ଦଳ ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅଭ୍ୟାସ କରିଥିଲା। ନେଟ୍ସ ସମୟରେ ଭାରତୀୟ ଦଳର ଯୁବ ତାରକା ଅଭିଷେକ ଶର୍ମା. ଶୁଭମନ ଗିଲ୍ ଓ ଯଶପ୍ରୀତ ବୁମ୍ରା ଆକର୍ଷଣ ରହିଥିଲେ। ଆହତ ସମସ୍ୟାରୁ ମୁକୁଳିବା ପରେ ହାର୍ଦିକ ଓ ଉପଅଧିନାୟକ ଶୁଭମନ ଗିଲ୍ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଦକ୍ଷିଣ ଆଫ୍ରିକା ମଧ୍ୟ କୌଣିସ ଗୁଣରେ କମ୍ ନୁହେଁ। ଦଳରେ ମାର୍କରାମ, ଟ୍ରିଷ୍ଟାନ ଷ୍ଟବ୍ସ, ଡେଭିଡ ମିଲର, କ୍ବିଣ୍ଟନ ଡିକକଙ୍କ ଭଳି ମ୍ୟାଚ ବିଜେତା ରହିଛନ୍ତି। ଉଭୟ ଦଳ ଶକ୍ତିଶାଳୀ ଥିବାରୁ ମ୍ୟାଚକୁ ନେଇ ପୂର୍ବାନୁମାନ କରିବା କଷ୍ଟକର ହୋଇଛି। ଦୁଇ ମାସ ପରେ ଟ୍ବେଣ୍ଟି୨୦ ବିଶ୍ବକପ ଖେଳାଯିବାକୁ ଥିବାରୁ ଉଭୟ ଦଳ ଉକ୍ତ ଶୃଙ୍ଖଳାରେ ପରୀକ୍ଷାନିରୀକ୍ଷା କରିବେ। ମ୍ୟାଚକୁ ତ୍ରୁଟିଶୂନ୍ୟ ପରିଚାଳନା ନେଇ ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହାଛଡ଼ା କମିଶନରେଟ ପୁଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରୀଯାଇଛି।



