ବଣାଇ: ବଣାଇ ଉପଖଣ୍ଡ ଲହୁଣୀପଡା ଥାନା ଅନ୍ତର୍ଗତ ଠାକୁରପାଲି ଗ୍ରାମ ନିକଟରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି। ଠାକୁରପାଲି ଗ୍ରାମ ନିକଟରେ କେତେକ ମହିଳା ଚାଷ ଜମିରେ ଚାଷ କାର୍ଯ୍ୟ କରୁ ଥିବା ବେଳେ ହଠାତ କଳା ହାଣ୍ଡିଆ ମେଘ ଘୋଟି ଆସିଥିଲା। ଫଳରେ ମହିଳାମାନେ ଚାଷ କାର୍ଯ୍ୟକୁ ଅଧାରେ ରଖି ବିଲରୁ ଘର ଅଭିମୁଖେ ବାହାରିବା ବେଳେ ଘଡଘଡି ସହିତ ବଜ୍ରପାତ ହୋଇଥିଲା। ଫଳରେ ମିନାମଞ୍ଜରୀ କିଷାନ ନାମକ ଜଣେ ଯୁବତୀ ବଜ୍ରପାତରେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ ଓ ଅନ୍ୟ ତିନିଜଣ ମହିଳା ଗୁରୁତର ଆହତ ହୋଇଥିଲେ।
ଏହା ଦେଖି ନିକଟସ୍ଥ ଜମିରେ କାମ କରୁଥିବା ଯୁବକ ଓ ମହିଳା ମାନେ ଦୌଡ଼ି ଆସି ସମସ୍ତଙ୍କୁ ଉଦ୍ଧାର କରିଥିଲେ।ଏହାପରେ ଏକ ଆମ୍ବୁଲାନ୍ସ ଯୋଗେ ଗୁରୁତର ଆହତମାନଙ୍କୁ ବଣାଇ ଡାକ୍ତରଖାନାକୁ ଆଣି ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ଆହତମାନେ ହେଲେ ଠାକୁରପାଲି ଗ୍ରାମର କୌଶଲ୍ୟା ଗଟଛାତ୍ରୀ, ବର୍ଷାରାଣୀ ଗଟଛାତ୍ରୀ ଓ ଯଶବାନ୍ତ କିଷାନ ବୋଲି ଜଣାପଡିଛି। ଖବର ପାଇ ଲହୁଣୀପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବତୀଙ୍କ ମୃତଦେହକୁ ଜବତ ପରେ ବ୍ୟବଛେଦ ନିମନ୍ତେ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।



