ଆରଡି : ବୈତରଣୀ ଉପର ମୁଣ୍ଡରେ ୪ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜଳ ସ୍ତର ବୃଦ୍ଧି ପାଇ ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆରଡି ନିକଟ ବୋଡକ ଅଞ୍ଚଳରେ ବୈତରଣୀ କୂଳ ଲଘିଂବାରୁ ଆଖଣ୍ଡଳମଣି-କୁଆଖିଆ ୨୦ ନମ୍ବର ଜାତୀୟ ରାଜପଥ ଉପରେ ୨ ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ନଦୀ, ପଥ ଓ କ୍ଷେତ ଏକାକାର ହୋଇଯାଇଛି। ଯାତାୟାତ ବାଧାପ୍ରାପ୍ତ ହୋଇଥିବାରୁ ଉଭୟ ପାର୍ଶ୍ବରେ ଗାଡି ଅଟକି ରହିଛି। ବିଶେଷ କରି ଆଗକୁ ପୂର୍ଣ୍ଣିମା ତିଥି ଥିବାରୁ ଧାମରାରେ ସମୁଦ୍ର ଅଶାନ୍ତ ହୋଇପଡ଼ିବା ସହ ଉଚ୍ଚ ଜୁଆର ଢେଉ ଆସୁଛି। ଏହାଦ୍ବାରା ବନ୍ୟା ପାଣି ନିଷ୍କାସନରେ ବାଧକ ସାଜୁଥିବାରୁ ପାଣି ଗାଁ ଦାଣ୍ଡ ଓ ଘରେ ପଶି ବିପନ୍ନଙ୍କ ଅବସ୍ଥା ଦୁର୍ବିସହ ହୋଇଛି। ୪ ପଞ୍ଚାୟତର ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇଥିବା ବେଳେ ଗୃହପାଳିତ ପଶୁ ଗାଁ ଦାଣ୍ଡ ସହ ନଦୀବନ୍ଧରେ ଆଶ୍ରୟ ନେଇଛନ୍ତି। ସେହିପରି ଅନେକ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ନଦୀ କୂଳିଆ ଲୋକେ ପାଳି କରି ଜଗିରହୁଛନ୍ତି। ତାହା ସହ ମୁଆ ଘୋଷରାରେ ବନ୍ୟା ପାଣି ଚାଲିବାରୁ ମୁଆଗାଁ ସହ ସନ୍ତରା, ସିଙ୍ଗିପୁର, ବାତୋଳ, ସାନଫଙ୍କି, ପାଲଟପୁର, ବାଙ୍କମୁଆ ଆଦି ୧୫ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି।
Popular Categories



