ବଡ଼ମ୍ବା : ଲକ୍ଷଲକ୍ଷ ଟଙ୍କା ବିକାଶମୁଳକ କାର୍ଯ୍ୟରେ ବିନିଯୋଗ କରାଯାଉଥିବା ବେଳେ କ୍ଷୋଭର ବିଷୟ ବଡ଼ମ୍ବାସହର ମୁଖ୍ୟ ସଡ଼କପଥର ଆଲୋକକରଣ ପ୍ରତି ବର୍ଷବର୍ଷଧରି ଦୃଷ୍ଟି ଦିଆଯାଉନି। ବିଶେଷକରି ସହରର ପ୍ରମୁଖ ଅଞ୍ଚଳ ଗାନ୍ଧିଛକଠାରୁ ଇଲେକ୍ଟ୍ରି ଅଫିସ ଏବଂ ତେଲିସାହି ପର୍ଯ୍ୟନ୍ତ ସଡ଼କପଥ ଏହି କାରଣରୁ ସଂଧ୍ୟାପରଠୁ ରାତ୍ରବେଳା ଅନ୍ଧାରିଆ ରହୁଛି। ସ୍କୁଲ,ବ୍ୟାଙ୍କ,ତହସିଲ ଏବଂ ବ୍ଲକ କାର୍ଯ୍ୟାଳୟ ସମେତ କୋର୍ଟ ଆଦି ପ୍ରମୁଖ ସରକାରୀ କାର୍ଯ୍ୟାଳୟ ଏହି ଇଲାକାରେ ରହୁଥିବା ବେଳେ ଏହି ଅଞ୍ଚଳ ରାସ୍ତାପାଶ୍ୱର୍ ଆଲୋକ ଅଭାବରୁ ନିକାଞ୍ଚନ ରହୁଥିବା ଏବଂ ଚଳପ୍ରଚଳ ଦିଗରେ ସୁରକ୍ଷିତ ମନେହେନଥିବା ସାଧାରଣରେ ଅଭିଯୋଗ ହେଉଛି। ଏପରିକି ଏହାର ସୁଯୋଗ ନେଇ ବୁଲାଗାଈ ମାନେ ସେମାନଙ୍କ ମାଲିକଙ୍କ ଅବହେଳା ତଥା ପ୍ରଶାସନର ଅଙ୍କୁଶ ନଥିବାର ସୁଯୋଗନେଇ ଏହି ଅନ୍ଧାରିଆ ମୁଖ୍ୟରାସ୍ତାକୁ ସେମାନଙ୍କ ବିଶ୍ରାମସ୍ଥଳି କରୁଛନ୍ତି। ଫଳସ୍ୱରୁପ ଅନେକ ସମୟରେ ଏହି ଗାଈମାନଙ୍କ କାରଣରୁ ରାସ୍ତାରେ ଯାଉଥିବା ଗାଡ଼ିମଟର ଛୋଟବଡ଼ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଅନ୍ୟତମ ପ୍ରମୁଖ କାରଣ ଜଣାଯାଉଛି।
ନିକଟ ଅତିତରେ ବିଳମ୍ବିତ ରାତ୍ରିର ସୁଯୋଗନେଇ ଏକ ଦ୍ରୁତଗତି ସମ୍ପନ ଟ୍ରକ ରାସ୍ତା ଉପରେ ଶୋଇଥିବା ୪ଟି ଗାଈଙ୍କୁ ଚପାଇଦେଇ ଚାଲିଯାଇଥିବା ସତ୍ୱେ ଏଦିଗରେ ପ୍ରତିକାର ନେଇ ପୁଲିସପ୍ରଶାସନର ଦୃଷ୍ଟି ନରହିବା ସାଧାରଣରେ ଅନ୍ୟତନ ବିଡ଼ମ୍ବନା ମନେକରାଯାଉଛି। ସେହିଭଳି ଅନ୍ଧାର ରାସ୍ତାକୁ ଗାଈଙ୍କ ପ୍ରାଦୁର୍ଭାବ ଯେ ମଟରସାଇକେଲ ଆରୋହୀଙ୍କ ପ୍ରତି ବିପଦପୂର୍ଣ୍ଣ ନହେବ ସେକଥାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ। ଆଗକୁ ପାର୍ବଣର ସମୟ,ସୁତରାଂ ରାସ୍ତା ଆଲେକକରଣ ସହିତ ସୁରକ୍ଷିତ ସଡ଼କପଥ ସୃଷ୍ଟି ଦିଗରେ ପୁଲିସ ପ୍ରଶାସନ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି।



