ବଡ଼ମ୍ବା: ମାତ୍ର କିଛିଦିନର ବ୍ୟବଧାନରେ ବଡ଼ମ୍ବା ବ୍ଲକ ଅନ୍ତର୍ଗତ ପରାଜାପଡ଼ା ପଞ୍ଚାୟତରେ ୩ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ଗଲାଣି। ଏହାକୁ ଦୃଷ୍ଟିରେ ରଖି ଆଠଗଡ଼ ଉପଜିଲାପାଳ ଅଜାମ୍ବର ମହାନ୍ତି ଉକ୍ତ ପଞ୍ଚାୟତ ଅଧିନ ଦୁଇସଂଲଗ୍ନ ଗ୍ରାମ ଇଛାପୁର ଏବଂ ପରଜାପଡ଼ା ଗ୍ରାମକୁ ସପ୍ତାହକପାଇଁ ଆବଦ୍ଧାଞ୍ଚଳ ଘୋଷଣା କରିଛନ୍ତି। ରବିବାର ସଂଧ୍ୟା ୬ ଘଟିକାଠାରୁ ଆସନ୍ତା ୧୬ ତାରିଖ ସଂଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଏହି ପ୍ରଶାସନ ନିର୍ଦେଶନାମା କାର୍ଯ୍ୟକାରୀ ହେବ। ଅପରପକ୍ଷରେ ସ୍ଥାନୀୟ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ଏହି ସମୟରେ ଗ୍ରାମକୁ କରୋନାମୁକ୍ତ କରିବାରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ତଥା ଆବଶ୍ୟକ ହେଲେ ଅନ୍ୟ ଗୁରୁତର ପ୍ରଭାବିତ ଅଞ୍ଚଳରେ ତ୍ୱରିତ ପଦକ୍ଷେପ ନେବାକୁ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି।
ପ୍ରକାଶଥାଉକି ଗତ ବୁଧବାର ଗୃହ ସଙ୍ଗରୋଧରେ ଥାଇ ଚିକିତ୍ସାଧିନ ଥିବା ପଞ୍ଚାୟତ ଅଧିନ ଇଛାପୁର ଗ୍ରାମର ସୁକାନ୍ତି ସ୍ୱାଇଁ (୬୨), ଶନିବାର ଉକ୍ତଗ୍ରାମର ସୁବାଷଚନ୍ଦ୍ର ସାମଲ (୪୫) ଏବଂ ରବିବାର ନିକଟସ୍ଥ ପରଜାପଡ଼ା ଗ୍ରାମର ଆନନ୍ଦଚନ୍ଦ୍ର ମହାନ୍ତି (୬୮)ଙ୍କର କରୋନାରେ ଅକାଳ ବିୟୋଗ ଘଟିଥିବା ଜଣାଯାଇଛି। ପଞ୍ଚାୟତର ଏହି ତନିଜଣ ବ୍ୟକ୍ତିଙ୍କ ବିୟୋଗରେ ବିଧାୟକ ଶ୍ରୀ ମିଶ୍ର ଶୋକବ୍ୟକ୍ତ କରିବାସହ ଶୋକସନ୍ତପ୍ତ ପରିବାରଙ୍କୁ ନିଜର ସମବେଦନା ଜଣାଇଛନ୍ତି। ତେବେ ସୋମବାରଠାରୁ ଉକ୍ତ ପ୍ରଭାବିତ ଗ୍ରାମରେ ସେରୋ ସର୍ଭେଲାନ୍ସ ସହିତ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ତ୍ୱରାନିତ କରିବା ଦିଗରେ ବିଧାୟକ ଗୁରୁତ୍ୱରୋପ କରିଥିବା ଏବଂ ନିଜେ ଏହାର ସମୀକ୍ଷା କରିବେ ବୋଲି ଜଣାଇଛନ୍ତି।



