ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବ ସିଦ୍ଦିକିଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ଣୋଇକୁ ଆମେରିକାରୁ ଭାରତ ପ୍ରତ୍ୟର୍ପଣ କରାଯାଇଛି। ବୁଧବାର ସେ ଭାରତରେ ପହଞ୍ଚିବ। ମୁମ୍ବଇ ପୁଲିସର ଦୀର୍ଘ ଏକ ବର୍ଷର ପ୍ରୟାସ ପରେ ଏହି ସଫଳତା ମିଳିଛି। ଅନମୋଲ ହେଉଛି ଦୁର୍ଦ୍ଦାନ୍ତ ଅପରାଧୀ ଲରେନ୍ସ ବିଷ୍ଣୋଇର ଭାଇ। ବାବା ସିଦ୍ଦିକିଙ୍କୁ ହତ୍ୟା ସହିତ ଅଭିନେତା ସଲମାନ ଖାଁଙ୍କ ବାସଭବନ ଉପରକୁ ଗୁଳିମାଡ କରିବା ଓ ଅନ୍ୟ କେତେକ ହାଇପ୍ରୋଫାଇଲ ମାମଲାରେ ମଧ୍ୟ ଅନମୋଲ ଭାରତର ତଦନ୍ତକାରୀ ଏଜେନ୍ସି ପାଇଁ ମୋଷ୍ଟ ୱାଣ୍ଟେଡ୍ ରହିଛି।
ଅନମୋଲର ଭାରତ ପ୍ରତ୍ୟର୍ପଣ ଦ୍ବାରା ବିଷ୍ଣୋଇ ଗ୍ୟାଙ୍ଗର ଆନ୍ତର୍ଜାତିକ ନେଟୱର୍କକୁ ଠାବ କରିବାରେ ତଦନ୍ତକାରୀ ଏଜେନ୍ସି ପାଇଁ ସହାୟକ ହେବ। ଲରେନ୍ସ ବିଷ୍ଣୋଇ ଆମେରିକାରୁ ତା’ର ନେଟୱର୍କକୁ ପରିଚାଳନା କରିଆସୁଛି। ବାବା ସିଦ୍ଦିକି ହତ୍ୟା ମାମଲାରେ ଅଭିଯୁକ୍ତ ଦର୍ଶାଯିବା ପରେ ଅନମୋଲକୁ ଗତବର୍ଷ ନଭେମ୍ବରରେ ଆମେରିକା କର୍ତ୍ତୃପକ୍ଷ ଅଟକ ରଖିଥିଲେ। ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ସିଦ୍ଦିକି (୬୬)ଙ୍କୁ ୨୦୨୪ ଅକ୍ଟୋବର ୧୨ରେ ହତ୍ୟା କରାଯାଇଥିଲା। ତିନିଜଣ ମୋଟର ସାଇକଲ ଆରୋହୀ ତାଙ୍କୁ ଘର ବାହାରେ ହତ୍ୟା କରିଥିଲେ। ଏହି ଘଟଣାରେ ମୁମ୍ବଇ ପୁଲିସ ୨୬ଜଣଙ୍କୁ ଗିରଫ କରିଛି।



