‘ଆୟୁଷ୍ମାନ’ରେ ଫାଇଦା କ’ଣ? ଏହା ବିଏସକେଓ୍ବାଇ ଠାରୁ କେତେ ଲାଭ
ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାକୁ ଓଡ଼ିଶାରେ ଲାଗୁ କରିବା ପାଇଁ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହି ଯୋଜନା ଲାଗୁ ହେଲେ କ’ଣ ଫାଇଦା ମିଳିବ, ସେ ସଂକ୍ରାନ୍ତରେ ଅଧିକାଂଶ ଲୋକ ଜାଣିବାକୁ ଆଗ୍ରହୀ। ସୂଚନା ମୁତାବକ, ରାଜ୍ୟର ପ୍ରାୟ ୧ କୋଟି ପରିବାରର ସାଢ଼େ ୩ କୋଟି ଲୋକ ଏହି ଯୋଜନାରେ ଉପକୃତ ହେବେ। ରାଜ୍ୟ ଯୋଜନା ଗୋପବନ୍ଧୁ ଜନଆରୋଗ୍ୟ ଏବଂ କେନ୍ଦ୍ରର ଆୟୁଷ୍ମାନ ଭାରତ ମିଶି ଗୋଟିଏ କାର୍ଡ ଦିଆଯିବ। ଆୟୁଷ୍ମାନ ଭାରତ ଯୋଜନାରେ ଜଣେ ହିତାଧିକାରୀ ସାରା ଦେଶରେ ପ୍ରାୟ ୩୦ ହଜାର ମେଡିକାଲରୁ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ)ରେ ୯୦୦ରୁ ଅଧିକ ହସ୍ପିଟାଲରେ ସ୍ବାସ୍ଥ୍ୟସେବା ମିଳୁଥିଲା। ବିଏସ୍କେୱାଇ କାର୍ଡ ମାଧ୍ୟମରେ ୯୬.୫ ଲକ୍ଷ ପରିବାରର ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ବହନ କରୁଥିଲେ। ଆୟୁଷ୍ମାନରେ ୧.୩ କୋଟି ପରିବାରର ସାଢ଼େ ୩ କୋଟି ଲୋକ ଉପକୃତ ହେବେ। ‘ଆୟୁଷ୍ମାନ’ରେ ପୁରୁଷଙ୍କ ପାଇଁ ବାର୍ଷିକ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ରହିଛି। ବିଏସ୍କେୱାଇରେ ଏହି ସମାନ ସୁବିଧା ମିଳୁଥିଲା। ଆୟୁଷ୍ମାନ ଯୋଜନାରେ ୧୯୪୯ଟି ପ୍ୟାକେଜ ସହ ମେଡିକାଲରୁ ଡିସଚାର୍ଜ ହେବା ପରର ୧୫ ଦିନ ପର୍ଯ୍ୟନ୍ତ ମେଡିସିନ ସୁବିଧା ରହିଛି। ଡାକ୍ତରୀ ପରୀକ୍ଷା, ଚିକିତ୍ସା ଏବଂ ପରାମର୍ଶ ସବୁ ମାଗଣା। କ୍ଲିନିକାଲ ଏବଂ ଲାବୋରେଟୋରୀ ଇନଭେଷ୍ଟିଗେସନ ମଧ୍ୟ ମାଗଣା। ଏଥିରେ ଗୁରୁତର ରୋଗୀଙ୍କୁ ସାମିଲ କରାଯାଇଛି।
କେଉଁମାନେ ହେବେ ଯୋଗ୍ୟ?
ଆୟୁଷ୍ମାନ ଭାରତ ଯୋଜନାରେ ୭୦ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବୟସ୍କ ବ୍ୟକ୍ତି ହିତାଧିକାରୀ ହୋଇପାରିବେ। ସେମାନଙ୍କର ସାମାଜିକ-ଅର୍ଥନୈତିକ ସ୍ଥିତି ନିର୍ବିଶେଷରେ ଏହି ଯୋଜନାର ଲାଭ ପାଇବାକୁ ଯୋଗ୍ୟ ହେବେ। ଯୋଗ୍ୟ ବରିଷ୍ଠ ନାଗରିକଙ୍କୁ ଆୟୁଷ୍ମାନ ଯୋଜନା ଅଧୀନରେ ଏକ ନୂଆ କାର୍ଡ ପ୍ରଦାନ କରାଯିବ। ୭୦ ବର୍ଷରୁ ଅଧିକ ବୟସର ଯେକୌଣସି ବ୍ୟକ୍ତିଙ୍କର ଆଧାର ନମ୍ବର ଅଛି, ସେମାନେ ଏହି ଯୋଜନାରେ ଆବେଦନ କରିପାରିବେ। ସେହିପରି ବାହାରେ ରହୁଥିବା ଲୋକ ବି ସୁବିଧା ପାଇବେ। ଇ-କେୱାଇସି ଡାଟା ବେସ୍ ଆଧାରରେ କାର୍ଡ ମିଳିବ। ବିଏସ୍କେୱାଇ ହିତାଧିକାରୀଙ୍କୁ ବି ମିଳିବ ସୁବିଧା।
କିପରି କରିବେ ଆବେଦନ?
ପ୍ରଥମେ ଆୟୁଷ୍ମାନ ଭାରତ ପିଏମ୍-ଜେଏୱାଇର ଅଫିସିଆଲ ୱେବ୍ସାଇଟକୁ ଯାଆନ୍ତୁ। ଏହାପରେ ଆପଣଙ୍କର ଆଧାର କିମ୍ବା ରେସନ କାର୍ଡ ଭେରିଫାଏ କରନ୍ତୁ। ପାରିବାରିକ ପରିଚୟ ପ୍ରମାଣ ପ୍ରଦାନ କରନ୍ତୁ। ଏହାପରେ ଏକ ସ୍ବତନ୍ତ୍ର ଆୟୁଷ୍ମାନ ଯୋଜନା ଆଇଡି ସହିତ ଆପଣଙ୍କର ଇ-କାର୍ଡ ପ୍ରିଣ୍ଟ କରନ୍ତୁ। ଏହା ଏକ ଆପ୍ଲିକେସନ ଭିତ୍ତିକ ସ୍କିମ। ଯେଉଁଥିପାଇଁ ଲୋକଙ୍କୁ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡ଼ିବ। ୭୦ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କ ପାଇଁ ଏକ ନିର୍ଦିଷ୍ଟ ଲିଙ୍କ ରହିବ।
Comments are closed.