ଡେଙ୍ଗୁ ଜ୍ବରର ନିର୍ଦିଷ୍ଟ ଚିକିତ୍ସା ପଦ୍ଧତି ନଥିବାରୁ ସଚେତନତା ଜରୁରୀ

ଭୁବନେଶ୍ବର:  ପାଣିପାଗର ପରିବର୍ତ୍ତନ ସାଙ୍ଗକୁ ଡେଙ୍ଗୁ ଏବେ ସମସ୍ତଙ୍କୁ ଡରାଇବାରେ ଲାଗିଛି। ବର୍ଷା ଯୋଗୁଁ ଘର ଚାରିପଟେ ପଡ଼ିଥିବା ଡବା, ଟାୟାର, ପଇଡ଼ଖୋଳ କିମ୍ବା ଖାଲ, କୁଣ୍ଡରେ ପାଣି ଜମୁଛି। ଏହାଦ୍ବାରା ଡେଙ୍ଗୁ ମଶାଙ୍କ ବଂଶ ବୃଦ୍ଧି ପାଉଛି। ଡେଙ୍ଗୁ ଜ୍ବରର ନିର୍ଦିଷ୍ଟ ଚିକିତ୍ସା ପଦ୍ଧତି ନଥିବାରୁ ସଚେତନତା ଜରୁରୀ ହୋଇପଡ଼ିଛି। ଘର ଚାରିପାଖ, ଗାଁ, ସାହି ସଫାସୁତୁରା ରଖିବା ଦ୍ବାରା ହିଁ ଡେଙ୍ଗୁ ମଶାଙ୍କ ବଂଶ ଲୋପ କରାଯାଇପାରିବ। ଡେଙ୍ଗୁ ଥରେ ହୋଇ ପୁଣିଥରେ ହେଲେ ଏହା ଅଧିକ ବିପଦଜ୍ଜନକ ହୋଇଥାଏ। ଲକ୍ଷଣ ଦେଖାଦେଲେ ତୁରନ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

ଲକ୍ଷଣ
ଆଣ୍ଠୁଗଣ୍ଠି ବିନ୍ଧା। ଗଳା ଦରଜ। ପାଟି କିମ୍ବା ନାକରୁ ରକ୍ତ ବାହାରିବ। ଜ୍ବର ସହ ମୁଣ୍ଡ ବିନ୍ଧା ଓ ବାନ୍ତି ହେବ। ଭୋକ ମରିଯିବା। ପ୍ଲେଟଲେଟ କମିଯିବ। ଦୁର୍ବଳ, କ୍ଲାନ୍ତି ଅନୁଭବ କରିବ। ଇମ୍ୟୁନିଟି କମିଯିବ।

କେମିତି ବ୍ୟାପେ ?
ଡେଙ୍ଗୁ ଏଡିସ ମଶାଙ୍କ ଦ୍ବାରା ବ୍ୟାପିଥାଏ। ଏହି ମଶା ପାଣିରେ ବଂଶ ବୃଦ୍ଧି କରିଥାନ୍ତି। ପ୍ରାୟ ୭ଦିନ ମଧ୍ୟରେ ଏହି ମଶାଙ୍କ ବଂଶ ବିସ୍ତାର ହୋଇଥାଏ। ଏହି ମଶା କାମୁଡ଼ିଲେ ଡେଙ୍ଗୁ ରୋଗ ହୋଇଥାଏ। କେବଳ ଦିନରେ ହିଁ ଏହି ମଶା କାମୁଡ଼ିଥାନ୍ତି। ଡେଙ୍ଗୁର ପ୍ରଭାବ ୭ରୁ ୧୦ ଦିନ ପର୍ଯ୍ୟନ୍ତ ରହିଥାଏ। ଅବସ୍ଥା ଅନୁସାରେ ଅଧିକ ଦିନ ପର୍ଯ୍ୟନ୍ତ ମଧ୍ୟ ରହିପାରେ। ଏହାର ୩ଟି ପର୍ଯ୍ୟାୟ ରହିଛି। ଏହି ପର୍ଯ୍ୟାୟ ଅନୁସାରେ ଶରୀରରେ ଡେଙ୍ଗୁ ଜ୍ବର ରହିଥାଏ। ସାଧାରଣ ଜ୍ବର, ଅତ୍ୟଧିକ ଜ୍ବର ଓ କନଭାଲେଚେଣ୍ଟ ପର୍ଯ୍ୟାୟରେ ହୋଇଥାଏ। ମୁଖ୍ୟତଃ ଜ୍ବର ହେବାର ୩ରୁ ୭ଦିନ ମନୁଷ୍ୟ ପାଇଁ ଏହି ଜ୍ବର ବିପଦଜ୍ଜନକ ସାବ୍ୟସ୍ତ ହୋଇପାରେ। ଏହି ସମୟ ମଧ୍ୟରେ ଉପଯୁକ୍ତ ଚିକିତ୍ସା ପଦ୍ଧତି ଆପଣେଇବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି।

ଚିକିତ୍ସା ପଦ୍ଧତି
ଡେଙ୍ଗୁର ଏ ପର୍ଯ୍ୟନ୍ତ କୌଣସି ନିର୍ଦିଷ୍ଟ ଚିକିତ୍ସା ନାହିଁ। ଏହି ଜ୍ବର ପାଇଁ ଔଷଧ ବାହାରିନି। କିନ୍ତୁ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ରୋଗୀ ଶରୀରର ଅବସ୍ଥା ଦେଖି ଚିକିତ୍ସା କରାଯାଇଥାଏ। ରୋଗୀର ସିବିସି କରି ପ୍ରଥମେ ପ୍ଲେଟଲେଟ କାଉଣ୍ଟ କରାଯାଏ। ଜଣେ ସାଧାରଣ ଲୋକର ପ୍ଲେଟଲେଟ ୧.୫ରୁ ୪ ଲକ୍ଷ(ଟିପିସି) ପର୍ଯ୍ୟନ୍ତ ରହିଥାଏ। ୧ ଲକ୍ଷରୁ କମ୍ ପ୍ଲେଟଲେଟ ଥିଲେ ଜ୍ବର ଔଷଧ ଦିଆଯାଇଥାଏ। ୫୦ ହଜାରରୁ କମ୍ ଥିଲେ ଗୁରୁତର। ତେଣୁ ରୋଗୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ରଖି ଚିକିତ୍ସା କରାଯାଏ। ୧୦ ହଜାରରୁ କମ୍ ପ୍ଲେଟଲେଟ ଥିଲେ ସେ କ୍ଷେତ୍ରରେ ରୋଗୀଙ୍କୁ ବଞ୍ଚାଇବା ଟିକେ କଷ୍ଟକର ହୋଇଥାଏ। ସେଭଳି ରୋଗୀଙ୍କ କ୍ଷେତ୍ରରେ ପ୍ଲାଜମା ଦେବାକୁ ପଡ଼ିଥାଏ। ଏଥିସହ ସ୍ବାସ୍ଥ୍ୟ ବିଶେଷଜ୍ଞ ଡେଙ୍ଗୁ ଆକ୍ରାନ୍ତଙ୍କୁ ଅଧିକ ମାତ୍ରାରେ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି। ଏହାସହ ସେମାନଙ୍କୁ ସାଲାଇନ ଲାଗିଥାଏ। ପର୍ଯ୍ୟାପ୍ତ ପରିମାଣରେ ଓଆରଏସ୍‌ ପାଣି ଦିଆଯାଏ। ‌ପରବର୍ତ୍ତୀ ପର୍ଯ୍ୟାୟରେ ଆନାଲଜେଟିକ(ପାରାସିଟାମଲ) ଦିଆଯିବା ସହ ଆବଶ୍ୟକ ସ୍ଥଳେ ପ୍ଲେଟଲେଟ ଦିଆଯାଇଥାଏ।

ଛୋଟଛୁଆଙ୍କୁ ଡେଙ୍ଗୁ ହେଲେ
ଅଭିଭାବକମାନେ ବର୍ଷାଋତୁରେ ଅଧିକ ଯତ୍ନଶୀଳ ହେବା ଆବଶ୍ୟକ। ଡେଙ୍ଗୁରୁ ଛୋଟପିଲାଙ୍କୁ ଦୂରେଇ ରଖିବାକୁ ହେଲେ ସେମାନଙ୍କୁ ଫୁଲ୍ କପଡ଼ା ପିନ୍ଧାଇବା ଦରକାର। ଯଦି ପିଲାଙ୍କ ନିକଟରେ ଡେଙ୍ଗୁର ଲକ୍ଷଣ ଦେଖାଦିଏ, ତେବେ ଅଭିଭାବକମାନେ ହେଳା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ଘରେ କୌଣସି ପ୍ରକାର ଚିକିତ୍ସା ପଦ୍ଧତି ଆପଣାଇବେ ନାହିଁ। ଏହାଦ୍ବାରା ପିଲାର ଜୀବନ ପ୍ରତି ବିପଦ ଆସିପାରେ। ଡେଙ୍ଗୁ ଆକ୍ରାନ୍ତ ପିଲାଙ୍କୁ ଡାକ୍ତର ପର୍ଯ୍ୟବେକ୍ଷଣରେ ରଖିଥାନ୍ତି। ସେମାନଙ୍କୁ ପାରାସିଟାମଲ ଏବଂ ଓଆରଏସ ମଧ୍ୟ ଦିଆଯାଇଥାଏ।

Comments are closed.