ଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ମୁକାବିଲା

ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ବକପ୍‌ ଫାଇନାଲରେ ଅଷ୍ଟ୍ରେଲିଆ: ସ୍କୋର ଦକ୍ଷିଣ ଆଫ୍ରିକା ୨୧୨, ଅଷ୍ଟ୍ରେଲିଆ ୨୧୫/୭(୪୭.୨) ଓଭର

କଲକତା: ଆଜି ବିଶ୍ବକପ-୨୦୨୩ ଦ୍ବିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ଦକ୍ଷିଣ ଆଫ୍ରିକାକୁ ୪ ୱିକେଟରେ ପରାସ୍ତ କରି ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି। ପୂର୍ବରୁ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଫାଇନାଲରେ ପହଞ୍ଚିଥିଲା। ଫଳରେ ଫାଇନାଲ ମ୍ୟାଚ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ। ଆସନ୍ତା ୧୯ ତାରିଖ (ରବିବାର)ରେ ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପୂର୍ବରୁ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଫାଇନାଲରେ ପହଞ୍ଚି ସାରିଥିବା ଶକ୍ତିଶାଳୀ ଭାରତୀୟ ଟିମ୍‌କୁ ମୁକାବିଲା କରିବ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍‌ ରୋମାଞ୍ଚକର ହେବ। ଦୁଇ ଶକ୍ତିଶାଳୀ ଦଳ ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବାକୁ ଥିବାରେୁ ବିଶ୍ବକପ ଫାଇନାଲ ବେଶ ଜମିବ ବୋଲି ଖେଳପ୍ରେମୀ ଆଶା ରଖିଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍‌ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଭାରତ ତୃତୀୟ ଥର ବିଶ୍ବକପ୍‌ ଚାମ୍ପିଅନ ହେବା ପାଇଁ ଆଶା ରଖିଥିବା ବେଳେ ୫ ଥର ବିଜେତା ଅଷ୍ଟ୍ରେଲିଆ (୧୯୮୭, ୧୯୯୯, ୨୦୦୩, ୨୦୦୭ ଓ ୨୦୧୫) ଷଷ୍ଠ ଥର ପାଇଁ ବିଜୟୀ ହୋଇ ଇତିହାସ ରଚିବା ଲକ୍ଷ୍ୟ ରଖିଛି।

ସେମିଫାଇନାଲ ମୁକାବିଲାରେ ଦକ୍ଷିଣ ଆଫ୍ରିକା ରଖିଥିବା ୨୧୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଅଷ୍ଟ୍ରେଲିଆ ୪୭.୨ ଓଭରରେ ୭ଟି ୱିକେଟ୍‌ ହରାଇ ୨୧୫ ରନ୍‌ ସଂଗ୍ରହ କରିଥିଲା। ଟ୍ରେଭିସ୍‌ ହେଡ୍‌ ଓ ଡେଭିଡ ୱାର୍ଣ୍ଣର ପ୍ରଥମ ୱିକେଟ୍‌ରେ ୬୦ ରନ୍‌ ଭାଗିଦାରୀ କରିଥିଲେ। ଅଷ୍ଟ୍ରେଲିଆ ଦଳର ସ୍କୋର ୧୩୫ ବେଳକୁ ଦକ୍ଷିଣ ଆଫ୍ରିକାର ଆଗଧାଡ଼ିର ୫ ଜଣ ଖେଳାଳି ଆଉଟ ହୋଇଥିଲେ। ଟ୍ରେଭିସ୍‌ ହେଡ ୬୨ ରନ୍‌, ୱାର୍ଣ୍ଣର ୨୯ ରନ୍‌, ମିଚେଲ ମାର୍ସ ଶୂନ୍ୟ, ମାର୍ନସ ଲବୁସାନ ୧୮ ରନ୍‌ ଓ ଗ୍ଲେନ ମେକ୍ସୱେଲ ୧ ରନ୍‌ରେ ଆଉଟ୍‌ ହୋଇଥିଲେ।

ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ବିଶ୍ବକପ୍‌-୨୦୨୩ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା। କଲକାତାର ଇର୍ଡେନ୍‌ ଗାର୍ଡେନ୍‌ରେ ଚାଲିଥିବା ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଦକ୍ଷିଣ ଆଫ୍ରିକା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୪୯.୪ ଓଭରରେ ସମସ୍ତ ୱିକେଟ ହରାଇ ୨୧୨ ରନ୍‌ ସଂଗ୍ରହ କରିଛି। ଫଳରେ ଅଷ୍ଟ୍ରେଲିଆକୁ ଏହି ମ୍ୟାଚ ଜିତି ଫାଇନାଲରେ ପହଞ୍ଚିବା ପାଇଁ ୨୧୩ ରନ୍‌ର ଲକ୍ଷ୍ୟ ମିଳିଛି। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଡେଭିଡ ମିଲରଙ୍କ ଶତକ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ୧୪ ଓଭରରେ ୪ଟି ୱିକେଟ୍‌ ହରାଇ ୪୪ ରନ୍‌ ସ୍କୋର କରିଥିଲା। ୪ ଜଣ ତାରକା ଖେଳାଳିଙ୍କୁ ହରାଇ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା। ଏହି ସମୟରେ ବର୍ଷା ଯୋଗୁଁ କିଛି ସମୟ ପାଇଁ ମ୍ୟାଚ୍‌ ଅଟକି ଯାଇଥିଲା। ତେବେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ମିଲର ଧୈର୍ଯ୍ୟର ସହିତ ବ୍ୟାଟିଂ କରିବା ସହ ୧୦୧ ରନ ସ୍କୋର କରିଥିଲେ। ବର୍ଷା ବାଧିତ ସେମିଫାଇନାଲ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପାଇଁ ହେନିରିକ୍‌ କ୍ଲାଁସେ ଓ ଡେଭିଡ ମିଲର ଆଶା ସଂଚାର କରିଥିଲେ। ଉଭୟ ଖେଳାଳି ୫ମ ୱିକେଟ୍‌ ପାଇଁ ୯୫ ରନ୍‌ର ଭାଗିଦାରୀ କରିପାରିଥିଲେ। ଫଳରେ ଦଳର ସ୍କୋର ୨୧୨ ରନ ସ୍କୋର ହୋଇପାରିଥିଲା।

ଦଳୀୟ ସ୍କୋର ମାତ୍ର ଗୋଟିଏ ରନ୍‌ ଥିବାବେଳେ ଅଧିନାୟକ ବଭୁମା କୌଣସି ରନ ସ୍କୋର ନ କରି ଆଉଟ୍‌ ହୋଇଥିଲେ। ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ବିଣ୍ଟନ୍‌ ୩ ରନ୍‌ରେ ଆଉଟ୍‌ ହୋଇଥିଲେ। ଏହାପରେ ଐଦେନ ମାର୍କରାମ ୧୦ ରନ୍‌, ରାସି ଭାନ ଡର ଡୁସେନ ୬ ରନ୍‌ କରି ଆଉଟ୍‌ ହୋଇଥିଲେ। ଗେର୍ଲାଡ କଟ୍‌ଜି ୧୯ ରନ୍‌, କେଶବ ମହାରାଜ ୪ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ କାଗିସୋ ରବାଡ଼ା ୧୦ ରନ୍‌ କରିଥିଲେ।

Comments are closed.