ନୀରଜଙ୍କ ସମ୍ମାନାର୍ଥେ, ଅଗଷ୍ଟ ୭ ଜାତୀୟ ଜାଭେଲିନ୍ ଦିବସ ପାଳନ କରିବ ଏଏଫ୍ଆଇ
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇ ଭାରତୀୟ ଦୌଡ଼କୁଦ ଦୁନିଆରେ ନୂଆ ଇତିହାସ ରଚିଥିବା ଜାଭେଲିନ୍ ଫିଙ୍ଗାଳି ନୀରଜ ଚୋପ୍ରାଙ୍କୁ ପୁରସ୍କାର ଛୁଅ ଛୁଟିଛି। ଏଭଳି ସ୍ଥଳେ ଭାରତୀୟ ଦୌଡ଼କୁଦ ସଂଘ ନୀରଜଙ୍କ ସ୍ବର୍ଣ୍ଣ ପଦକ ସଫଳତାକୁ ସମ୍ମାନ ଦେବାକୁ ଯାଇ ବଡ ପଦକ୍ଷେପ ନେଇଛି। ଅଗଷ୍ଟ ୭କୁ ଏଏଫଆଇ ଜାତୀୟ ଜାଭେଲିନ୍ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଛି। ଜାତୀୟ ଜାଭେଲିନ୍ ଦିବସ ଅବସରରେ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତା ଆୟୋଜନ କରିବାକୁ ଏଏଫଆଇ ନିଷ୍ପତ୍ତି ନେଇଛି। ନୀରଜ ଅଗଷ୍ଟ ୭ରେ ଟୋକିଓରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିବାରୁ ଏଏଫ୍ଆଇ ଏଭଳି ନିଷ୍ପତ୍ତି ନେଇଛି। ନୀରଜ ଅଲିମ୍ପିକ୍ସରେ ଦ୍ବିତୀୟ ଓ ପ୍ରଥମ ଦୌଡ଼କୁଦ ଖେଳାଳି ଭାବେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇ ନୂଆ ଇତିହାସ ରଚିଛନ୍ତି।
ଜାଭେଲିନ୍ ଥ୍ରୋ ପ୍ରତି ଉତ୍ସାହ ଓ ଖେଳ ପ୍ରତି ଆକୃଷ୍ଟ କରିବା ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟସ୍ତରରେ ଏଏଫ୍ଆଇ ପକ୍ଷରୁ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତା ଆୟୋଜିତ ହେବ ବୋଲି ଏଏଫ୍ଆଇ ଯୋଜନା କମିଶନ ଲଳିତ ବାନୋଟ୍ କହିଛନ୍ତି। ଜାତୀୟସ୍ତରୀୟ ଜାଭେଲିନ୍ ପ୍ରତିଯୋଗିତା ଆୟୋଜନ ପୂର୍ବରୁ ଆନ୍ତଃଜିଲା ଓ ରାଜ୍ୟସ୍ତରୀୟ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତା ଆୟୋଜିତ ହେବ। ଏଏଫ୍ଆଇ ପକ୍ଷରୁ ଜାତୀୟ ଓପନ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତା ୨୦୧୮ରୁ ଆୟୋଜିତ ହେଉଛି। ଚଳିତ ବର୍ଷ ଉକ୍ତ ପ୍ରତିଯୋଗିତା ଅକ୍ଟୋବର ମାସରେ ଆୟୋଜିତ ହେବ। ଏଏଫଆଇର ଏଭଳି ନିଷ୍ପିତ୍ତିକୁ ନେଇ ମୁଁ ବହୁତ ଖୁସି। ଏହା ଦେଶର ଯୁବପିଢିଙ୍କୁ ଉତ୍ସାହିତ କରିବ ବୋଲି ନୀରଜ କହିଛନ୍ତି।
Comments are closed.