ଗୁଡ଼ଗାଓଁ: ହରିୟାଣାର ଗୁଡ଼ଗାଓଁ ଅନ୍ତର୍ଗତ ଭୋଣ୍ଡସି ଅଞ୍ଚଳରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ କିଛି ଅସାମାଜିକ ଅତି ନିର୍ଦୟ ଭାବେ ଲାଠି, ଲୁହାଛଡ଼ ଓ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ହୋଲି ଦିନ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଆକ୍ରମଣର ଶିକାର ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ଅଭିଯୋଗ ଅନୁଯାୟୀ, ଆକ୍ରମଣକାରୀମାନେ ତାଙ୍କ ଧର୍ମକୁ ନେଇ ଗାଳିଗୁଲଜ କରିବା ସହ ‘ପାକିସ୍ତାନକୁ ପଳାଅ’ ବୋଲି ଧମକ ଦେଇଥିଲେ। ପୁଲିସ କହିବା ଅନୁସାରେ ଏହାକୁ ନେଇ କୌଣସି ସାମ୍ପ୍ରଦାୟିକ ବିବାଦ ସୃଷ୍ଟି ହୋଇ ନାହିଁ। ହୋଲି ପାଳନ ଅବସରରେ ଗୁରୁବାର ଅପରାହ୍ଣରେ ଭୂପ୍ ସିଂହ ନଗରରେ ରହୁଥିବା ମହମ୍ମଦ ଦିଲ୍ସାଦ(୨୮) ତାଙ୍କର କିଛି ସାଙ୍ଗଙ୍କ ସହିତ ସ୍ଥାନୀୟ ପଡ଼ିଆରେ କ୍ରିକେଟ ଖେଳୁଥିଲେ। କିଛି ଯୁବକ ମୋଟର ସାଇକଲରେ ସେଠାରେ ପହଞ୍ଚି ସେମାନଙ୍କ ଧର୍ମ ଓ ସମ୍ପ୍ରଦାୟକୁ ନେଇ ଆକ୍ଷେପ କରିଥିଲେ। ପାକିସ୍ତାନ ଯାଇ ସେଠାରେ ଖେଳ ବୋଲି ସେମାନଙ୍କୁ କହିଥିଲେ। ଦିଲସାଦ୍ଙ୍କ କାକା ସାଜିଦ ଏହାର ପ୍ରତିବାଦ କରିବାରୁ ସମ୍ପୃକ୍ତ ଯୁବକମାନେ ତାଙ୍କୁ ଚାପୁଡ଼ା ମାରି ପଳାଇଥିଲେ। ପରେ ଅଧିକ ସଂଖ୍ୟକ ଯୁବକ ଆସି ଦିଲ୍ସାଦଙ୍କ ଘରେ ପଶି ପରିବାର ଲୋକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Popular Categories



