ଜଟଣୀ : ଜଟଣୀ ସ୍ଥିତ ଭାରତୀୟ ତୈଳ ନିଗମ ଡ଼ିପୋ ମ୍ୟାନେଜରଙ୍କ କାର ଉପରକୁ ଗୁରୁବାର ସନ୍ଧ୍ୟାରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ଗୁରୁବାର ସନ୍ଧ୍ୟାରେ ଡ଼ିପୋ ମ୍ୟାନେଜର ନୃସିଂହ ଚରଣ ସେଠୀ କାମସାରି କାର ଯୋଗେ ଭୁବନେଶ୍ୱର ଫେରୁଥିଲେ। ମଜୁରୀକୁଣ୍ଡ ମୁଖ୍ୟ ରାସ୍ତାରେ ଅନ୍ଧାରିଆ ସ୍ଥାନରେ ମୁହଁରେ ଗାମୁଛା ବାନ୍ଧି ଲୁଚି ରହିଥିବା ଜଣେ ଦୁର୍ବୃତ୍ତ କାର ଉପରକୁ ଏକ ହାତବୋମା ଫିଙ୍ଗି ଦୌଡ଼ି ପଳାଇଥିଲା। ଏ ସମ୍ପର୍କରେ ସେ ଜଟଣୀ ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବୋମାମାଡ଼ରେ କାର ସମ୍ମୁଖ ଭାଗ କାଚ ଭାଙ୍ଗିଯାଇଛି। ମାତ୍ର ମ୍ୟାନେଜର ଶ୍ରୀ ସେଠୀ ଅଳ୍ପକେ ବର୍ତ୍ତି ଯାଇଥିବା ପୁଲିସ ସୂଚନା ଦେଇଛି। ଡ଼ିପୋ ମ୍ୟାନେଜରଙ୍କୁ ଅନ୍ୟ ଏକ ଗାଡ଼ିରେ ଭୁବନେଶ୍ୱରକୁ ପଠାଯାଇଛି। ଚୋରା ତେଲ କାରବାର ଓ ବେପାର ବିରୋଧରେ କାର୍ଯ୍ୟାନୁଷ୍ଠାନ କିମ୍ବା ଠିକା କାମ ବିବାଦକୁ ନେଇ ତାଙ୍କ ଉପରେ ଆକ୍ରମଣ ହୋଇଥିବା ପୁଲିସ ଅନୁମାନ କରୁଛି। ଶୀଘ୍ର ଅଭିଯୁକ୍ତ ଧରାପଡ଼ିବ ବୋଲି ପୁଲିସ କହିଛି।
Popular Categories



