www.samajalive.in
Wednesday, December 10, 2025
15.1 C
Bhubaneswar

ବିଜେପି ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଗାଡ଼ି ଉପରେ ବୋମାମାଡ଼ ; ବର୍ତ୍ତିଲେ ବିଧାୟକ

କେନ୍ଦୁଝରଗଡ/କେନ୍ଦୁଝର : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ସଂରକ୍ଷଣ ତାଲିକା ପ୍ରକାଶ ପାଇବାର ୨୪ ଘଣ୍ଟା ନପୁରୁଣୁ ରବିବାର ଜିଲାରେ ପ୍ରାକ୍‍ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ସହର ଉପକଣ୍ଠ ହଳଦିଆଟାଙ୍ଗିରୀସ୍ଥିତ ଶିକ୍ଷା ବିକାଶ ସମିତି କାର୍ଯ୍ୟାଳୟ ପରିସରରେ ଭାରତୀୟ ମଜଦୁର ସଭା ପକ୍ଷରୁ ଆୟୋଜିତ ବୈଠକରେ ସଦର ବିଧାୟକ ତଥା ବିଜେପିର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ରବିବାର ଯୋଗଦେଇ ଘରକୁ ଫେରିବା ସମୟରେ ତାଙ୍କ ଗାଡି ଉପରକୁ ଦୁର୍ବୃତ୍ତ ବୋମା ଫିଙ୍ଗିଥିଲେ। ମାଡ଼ରେ ବିଧାୟକ ଶ୍ରୀ ମାଝୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ଗାଡି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ବିଧାୟକ ଶ୍ରୀ ମାଝୀ ମଧ୍ୟାହ୍ନ ୧୨ଟାରେ ମଣ୍ଡୁଆସ୍ଥିତ ତାଙ୍କ ବାସଭବନକୁ ଫେରିବା ବେଳେ ତାଙ୍କ ଗାଡି ମୁଖ୍ୟ ରାସ୍ତା ଉପରକୁ ଯିବା ପୂର୍ବରୁ ଏକ ବାଇକ ଯୋଗେ ପୂର୍ବରୁ ପ୍ରସ୍ତୁତ ଥିବା ଦୁଇଜଣ ଦୁର୍ବୃତ୍ତ ତାଙ୍କ ଗାଡି ଉପରକୁ ଦୁଇଟି ବୋମା ମାଡ କରିଥିଲେ। ବୋମାମାଡ ଦେଖି ଗାଡିରେ ଥିବା ବିଧାୟକଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ବିଦ୍ୟାଧର ମହାନ୍ତ ତତ୍କାଳ ଗାଡିରୁ ଓହ୍ଲାଇ ଦୁର୍ବୃତ୍ତଙ୍କ ପିଛା କରିଥିଲେ। ଦୁର୍ବୃତ୍ତଦ୍ୱୟ ବ୍ୟାଗରେ ଧରିଥିବା ବୋମା ଓ ମାରଣାସ୍ତ୍ର ଧରି ନରଣପୁର ଆଡକୁ ପଳାଇ ଯାଇଥିଲେ। ଏହାପରେ ବିଧାୟକ ନିଜେ ସୁରକ୍ଷା କର୍ମୀଙ୍କ ସହାୟତାରେ ଦୁର୍ବୃତ୍ତଙ୍କ ପିଛା କରିଥିଲେ ହେଁ ସେମାନେ ନରଣପୁର ରେଳ ରହଣିସ୍ଥଳ ହୋଇ କେନ୍ଦୁଝର ଆଡକୁ ଫେରାର ହୋଇ ଯାଇଥିଲେ।
ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି ଯେ ଓଡିଶା ଖଣି ନିଗମ ପରିଚାଳିତ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୌହଖଣିର ବିଭିନ୍ନ ସମସ୍ୟା ନେଇ ବିଧାୟକ ଶ୍ରୀ ମାଝୀ ଗତ କିଛି ଦିନ ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ଶାସକ ବିଜେଡି ଦଳର କେତେକ ନେତା ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଏହି ଘଟଣାର କିଛିଦିନ ପରେ ବିଜେଡି ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ସୌମ୍ୟଶଙ୍କର ଚକ୍ର ସଦର ବ୍ଲକର ଏକ କର୍ମୀ ସମ୍ମିଳନୀରେ ଯୋଗଦେଇ ବିଧାୟକ ଶ୍ରୀ ମାଝୀଙ୍କ ଅଣ୍ଟା ଭାଙ୍ଗି ଦେବାସହ ସଦର ନିର୍ବାଚନମଣ୍ଡଳୀରେ ବିଧାୟକଙ୍କୁ ପୁରାଇ ନଦେବାକୁ ବୈଠକରେ ଉପସ୍ଥିତ ନେତା ଓ କର୍ମୀଙ୍କୁ ଉଦ୍‍ବୋଧନ ଦେଇଥିବାରୁ ବିଜେଡି ଯୁବନେତା ଶ୍ରୀ ଚକ୍ର ଓ ତାଙ୍କ ଅନୁଗତ ତାଙ୍କୁ ଜୀବନରୁ ମାରିଦେବାକୁ ଏଭଳି ପୂର୍ବ ପ୍ରସ୍ତୁତ ଷଡଯନ୍ତ୍ର କରିଥିବା ବିଧାୟକ ଶ୍ରୀ ମାଝୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଜିଲା ଖଣିଜ ପାଣ୍ଠି (ଡିଏମଏଫ୍‍) ଏବଂ ଓଡିଶା ଖଣିଜ ଅଞ୍ଚଳ ଉନ୍ନୟନ ପରିଷଦ (ଓମ୍‍ବାଡସି) ଅର୍ଥର ବ୍ୟାପକ ଦୁରୁପଯୋଗ ନେଇ ବିଧାୟକ ଶ୍ରୀ ମାଝୀ ଜିଲା ପ୍ରଶାସନ ଠାରୁ ବିଧାନସଭା ପର୍ଯ୍ୟନ୍ତ ସବୁଠି ବିରୋଧ କରିବାରୁ ତାଙ୍କ ବିରୋଧରେ ଶାସକ ବିଜେଡି ପକ୍ଷରୁ ଏଭଳି ହୀନ ଷଡଯନ୍ତ୍ର ଆରମ୍ଭ ହୋଇଥିବା ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି।
ଏହି ଘଟଣା ପରେ ଜିଲା ବିଜେପି ନେତା ଓ କର୍ମୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ଅପରାହ୍ନ ୧ଟାରୁ ସହରର କେନ୍ଦ୍ରସ୍ଥଳ ଗାନ୍ଧୀଛକ ଠାରେ ବିଜେପି ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତବର୍ମାଙ୍କ ନେତୃତ୍ୱରେ ବିଜେପି ନେତା ଭବାନୀଶଙ୍କର ନାଏକ, କୈଳାଶ ନାୟକ, ସତ୍ୟବ୍ରତ ନାଏକ, ଅନୁବ୍ରତ ବେହେରା, ଗଣେଶ୍ୱର ମହାନ୍ତ, ଦିଲ୍ଲୀପ ପଣ୍ଡା, ଅଗନୁଚରଣ ମହାନ୍ତ, କଳ୍ପନା ରାଉତ, ଲୀଳାବତୀ ଫୁତକାର, ଦୀପକ ଜେନା, ହେମରଞ୍ଜନ ବାରିକ, ମମତା ସିଂହ, ସବୀର ଦାଶ, ମୁନା ମହାରଣା, ବିଶ୍ୱଜିତ ତ୍ରିପାଠୀ, ଗୋପୀନାଥ ରାମ, ପ୍ରିୟବ୍ରତ ଜେନା, ପ୍ରକାଶ ଚନ୍ଦ୍ର ମଲ୍ଲିକଙ୍କ ସମେତ ବହୁ ନେତା ଓ କର୍ମୀ ଆକ୍ରମଣକାରୀ ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ରାସ୍ତା ଅବରୋଧ କରି ଆନ୍ଦୋଳନରେ ସାମିଲ ହୋଇଥିଲେ। ଆରକ୍ଷୀ ଅଧୀକ୍ଷକ ମିତ୍ରଭାନୁ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ଆଲୋଚନା କରି ୨୪ଘଣ୍ଟା ମଧ୍ୟରେ ଅପରାଧୀଙ୍କୁ ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେବାପରେ ଅପରାହ୍ନ ସାଢ଼େ ୫ଟାରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା।
ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝିଙ୍କ ଉପରେ ବୋମାମାଡ଼ ଘଟଣାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୃଢ଼ ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ, କେଉଁ ପରିପ୍ରେକ୍ଷୀରେ ଜଣେ ଜନପ୍ରତିନିଧିଙ୍କୁ ଦିନ ଦ୍ବିପ୍ରହରରେ ବୋମାମାଡ଼ ହେଲା ତାହାର ଉଚ୍ଚସ୍ତରୀୟ ତଦନ୍ତ ହେବା ସହିତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମରେ କହିଛନ୍ତି ଯେ, ସାମାଜିକ ରାଜନୈତିକ ଜୀବନରେ ଥିବା ଜଣେ ଜନପ୍ରତିନିଧିଙ୍କ ଉପରେ ସର୍ବସାଧାରଣରେ ଆକ୍ରମଣ କରାଯିବା ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି କେଉଁ ଅବସ୍ଥାରେ ଅଛି ଏହି ଘଟଣାରୁ ଅନୁମେୟ ହେଉଛି। ଅନେକ ସମୟରେ ଗଣତାନ୍ତ୍ରିକ ପଦ୍ଧତିରେ କଟୁ ସମାଲୋଚନା ହେବାକୁ ପଡେ। ଗଣତନ୍ତ୍ରରେ ବାଦ-ବିବାଦ ରହିବ; କିନ୍ତୁ ଜଣେ ଜନପ୍ରତିନିଧିଙ୍କୁ ରାଜରାସ୍ତାରେ ଆକ୍ରମଣ କରାଯିବା ଚିନ୍ତାର ବିଷୟ। ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପ୍ରଧାନ ଦାବି କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories