୫ମ ବୃତ୍ତି ପରୀକ୍ଷାରେ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ଆଠଗଡ଼: ଆଠଗଡ଼ ବ୍ଲକରେ ଚଳିତ ବର୍ଷର ୫ମ ବୃତ୍ତି ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଟପ୍ପର ହୋଇଥିବା ରାସରସିକପୁର ୟୁଜିୟୁପି ସ୍କୁଲର ଦୃଷ୍ଟିବାଧିତ ଛାତ୍ର ସତ୍ୟପ୍ରକାଶ ମହାପାତ୍ରଙ୍କୁ ତାଙ୍କର ଏହି କୃତିତ୍ୱ ପାଇଁ ଆଠଗଡ଼ ବିକାଶ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଆଠଗଡ଼ ବିକାଶ ମଞ୍ଚର ପ୍ରତିଷ୍ଠାତା ସଭାପତି ତଥା ସମାଜସେବୀ ମାନସ ରଞ୍ଜନ ବସ୍ତିଆ ଲକ୍ଷ୍ମୀବଜାରସ୍ଥିତ ସତ୍ୟପ୍ରକାଶଙ୍କ ବାସଭବନକୁ ଯାଇ ତାଙ୍କୁ ତାଙ୍କର ଏହି କୃତିତ୍ୱ ପାଇଁ ପୁଷ୍ପଗୁଚ୍ଛ ଓ ଉପଢୌକଣ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଜଣେ ସଂପୂର୍ଣ୍ଣ ଦୃଷ୍ଟିବାଧିତ ଛାତ୍ରଙ୍କର ଏଭଳି ବିରଳ କୃତିତ୍ୱ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ଶ୍ରୀ ବସ୍ତିଆ ପ୍ରକାଶ କରିବା ସହିତ ସତ୍ୟପ୍ରକାଶଙ୍କୁ ଉତ୍ସାହିତ କରି ତାଙ୍କର ଭବିଷ୍ୟତ ଉଜ୍ଜଳମୟ ହେଉ ବୋଲି କାମନା କରିଥିଲେ। ସତ୍ୟପ୍ରକାଶଙ୍କର ଜେଜେବାପା ସୋମନାଥ ମହାପାତ୍ର ଓ ବାପା ନିର୍ମଳ କୁମାର ମହାପାତ୍ର ଏହି ସମ୍ବର୍ଦ୍ଧନା ବେଳେ ଉପସ୍ଥିତ ଥିଲେ ଓ ଆଠଗଡ଼ ବିକାଶ ମଞ୍ଚର ସଭାପତିଙ୍କୁ କୃତଜ୍ଞତା ଜଣାଇଥିଲେ।

Comments are closed.