ଆଠଗଡ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆଠଗଡ ସହରର ବୀରକିଶୋରପୁରଠାରେ ଶୁକ୍ରବାର ଅପରାହ୍ନ ୧ଟାରେ ଜଣେ ଯୁବକଙ୍କ କଟୁରୀ ଚୋଟରେ ଜଣେ ଔଷଧ ଦୋକାନୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ବୀରକିଶୋରପୁର ବଜାରରେ ଔଷଧ ଦୋକାନ କରିଥିବା ଅମୀୟ କୁମାର ମହାନ୍ତି ଦୋକାନରେ ବସିଥିବାବେଳେ ବୀରକିଶୋରପୁର ନିକଟ କଙ୍ଗଡାସାହିର ରଥ ସିଂହଙ୍କ ପୁଅ ବାବୁଲି ସିଂହ ପୂର୍ବ ରାଗ ସୁଝାଇବାକୁ ଯାଇ ଏକ କଟୁରୀରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଅଭିଯୁକ୍ତ ବାବୁଲା ପୂର୍ବରୁ ମଧ୍ୟ ଅନେକ ସ୍ଥାନରେ, ଏପରିକି ଆଠଗଡ ଥାନାରେ ପଶି ମଧ୍ୟ ଜଣେ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିବାର ନଜିର ରହିଛି। ବାବୁଲି ସିଂହଙ୍କର ମାନସିକ ବିକୃତି ରହିଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।
ଆକ୍ରମଣ ଘଟଣା ପରେ ଅମୀୟଙ୍କର ଦୁଇ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ତାଙ୍କୁ ତୁରନ୍ତ ଆଠଗଡ ଡାକ୍ତରଖାନା ନିଆଯାଇ ସେଠାରେ ଚିକିତ୍ସା କରାଯାଇଥିଲା। ଅନ୍ୟ ପକ୍ଷରେ ସ୍ଥାନୀୟ ଲୋକ ବାବୁଲି ସିଂହଙ୍କୁ କାବୁ କରି ପୁଲିସକୁ ହସ୍ତାନ୍ତର କରିଥିଲେ। ଅମୀୟଙ୍କ ଭାଇ ଆଇନଜୀବୀ ଅରୁଣ କୁମାର ମହାନ୍ତି ଏହି ଆକ୍ରମଣ ଘଟଣା ସଂପର୍କରେ ଆଠଗଡ ଥାନାରେ ଏତଲା ଦେଇଥିବା ଜଣାପଡିଛି।



