ଆରଡି: ମହାମାରୀ କରୋନାର ଭୟଭୟତାକୁ ନେଇ ଦୀର୍ଘ ୪ମାସ ହେବ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ ରହିଛି। ଏବେ ସଂକ୍ରମଣ ହ୍ରାସ ପାଉଥିବାରୁ ସାରା ରାଜ୍ଯରେ ଧିରେଧିରେ ପ୍ରମୁଖ ପ୍ରଯ୍ଯଟନସ୍ଥଳୀ ସହ ଧାର୍ମିକ ଅନୁଷ୍ଠାନ ଓ ମନ୍ଦିର ଖୋଲୁଥିବା ବେଳେ ଆରଡି ପୀଠର ଆଖଣ୍ଡଳମଣିଙ୍କ ମନ୍ଦିର କେବେ ଖୋଲିବ ସେଥିନେଇ ପ୍ରଶାସନ ପକ୍ଷରୁ କୌଣସି ସୂଚନା ପ୍ରକାଶ ପାଉନଥିବାରୁ ସେବାୟତ ଓ ଭକ୍ତଙ୍କ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି। ଗତ ଶ୍ରାବଣୀ ସୋମବାରରେ ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆନଯାଇ ପୀଠର ଚର୍ତୁପାର୍ଶ୍ବକୁ ଆବଧ କରିବା ଫଳରେ ସ୍ଥାନୀୟ ଜନସାଧାରଣଙ୍କ ସହ ଦୂରଦୂରାନ୍ତରରୁ ଆସୁଥିବା ଶ୍ରଦ୍ଧାଳୁମାନେ ନାନା ଅସୁବିଧାରେ ସମୁଖିନ ହୋଇଥିଲେ। ଆଗନ୍ତୁକ ଭକ୍ତ ଓ ସେବାୟତଙ୍କ କହିବା ଅନୁଯାୟୀ ରାଜ୍ଯର କେତେକ ପ୍ରମୁଖ ମନ୍ଦିର କୋଭିଡ କଟକଣା ମଧ୍ଯରେ ଖୋଲାଯାଇଛି।
ସେହିପରି ଭାବେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ତୁରନ୍ତ ଖୋଲାଯାଉ। ଦୀର୍ଘମାସ ହେବ ସେବାୟତମାନେ ବିନା ସହାୟତା ଓ ଦାନଦକ୍ଷିଣା ବିନା ମଣିବାବାଙ୍କର ଦୈନନ୍ଦିନ ନୀତିକାନ୍ତି ସହ ପାଳି କରି ଆସୁଛନ୍ତି। ଯାହାର ଦୈନିକ ଖର୍ଚ୍ଚ ୧୦ହଜାରରୁ ଉର୍ଦ୍ଧ ସେବାୟତମାନେ ବହନ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି କୋଭିଡ କଟକଣା ଅନୁଯାୟୀ ମନ୍ଦିର ଖୋଲାଯାଉ ବୋଲି ସେବାୟତମାନେ ପ୍ରଶାସନକୁ ଜଣାଇଛନ୍ତି। ମନ୍ଦିର ଖୋଲିବା ବାବଦରେ ପରିଚାଳକ ବିଦ୍ଯାଧର ପଲାଇଙ୍କୁ ପଚାରିବାରୁ ମନ୍ଦିର ଖୋଲିବା ପାଇଁ କୌଣସି ନିଷ୍ପତି ନିଆଯାଇ ନାହିଁ। ଅନ୍ଯପଟେ ମନ୍ଦିରର ଚତୁପାର୍ଶ୍ବରେ ଏବେ ଉନ୍ନତି ମୂଳକ କାର୍ଯ୍ଯ ଚାଲୁଥିବାରୁ ଭକ୍ତମାନେ ଗୋଟିଏ ସ୍ଥାନରେ ଭିଡ ଜମାଉଛନ୍ତି। କୋଭିଡ ନିୟମକୁ ଦୃଷ୍ଟିରେ ରଖି କଟକଣା ବଢାଯାଇଛି।



