ଆରଡି: ପବିତ୍ର ଅକ୍ଷୟ ତୃତୀୟା ଠାରୁ ଉତ୍କଳ ଭଉଁରୀ ଯାଏଁ ୨୧ଦିନ ଧରି ଚାଲିଥିବା ବାବା ଆଖଣ୍ଡଳମଣିଙ୍କ ଚନ୍ଦନଯାତ୍ରା ମଙ୍ଗଳବାର ଉତ୍କଳ ଭଉଁରୀ ଖେଳରେ ସମ୍ପନ୍ନ ହୋଇଛି। ବାବାଙ୍କ ମନ୍ଦିର ଦକ୍ଷିଣଦ୍ବାର ସମ୍ମୁଖରେ ଥିବା ପୂଣ୍ୟତୋୟା ଶିବଗଙ୍ଗା ପୁଷ୍କରିଣୀ କୂଳରେ ପ୍ରତିଦିନ ରୀତିନୀତି ଅନୁଯାୟୀ ଚନ୍ଦନନୀତି ଅନୁଷ୍ଠିତ ହୋଇଥିଲା। ଏହାସହ ଶୋଡଷ ଉପଚାରରେ ପୂଜାର୍ଚ୍ଚନା ହେବା ପରେ ୨ଟି ଡଙ୍ଗାରେ ପ୍ରସ୍ତୁତ ଚାପଡଙ୍ଗାରେ ବାବାଙ୍କ ଚଳନ୍ତି ପ୍ରତିମା ହରଗୌରୀଙ୍କୁ ବିଜେ କରାଯାଇଥିଲା। ତା’ପରେ ବାବାଙ୍କ ଚଳନ୍ତି ପ୍ରତିମା ହରଗୌରୀଙ୍କ ଚାପଖେଳ କରାଯିବା ସହ ଚନ୍ଦନ ପୂର୍ଣ୍ଣିମା ଠାରୁ ଉତ୍କଳ ଭଉଁରୀ ଯାଏଁ ଭଉଁରୀ ଖେଳ ସମ୍ପନ୍ନ ହୋଇଥିଲା।
ଗ୍ରୀଷ୍ମର ଉତାପରୁ ବାବାଙ୍କ ଉପଶମ ନିମନ୍ତେ ମନ୍ଦିର ଭିତରେ ବାବାଙ୍କୁ ଏକମାସ ଜଳଛାୟା କରାଯିବା ସହ ବାହାରେ ଶିବଗଙ୍ଗା ପୁଷ୍କରିଣୀରେ ୨୧ଦିନ ଧରି ଜଳକ୍ରୀଡା(ଚାପଖେଳ) ଅନୁଷ୍ଠିତ ହୋଇଥାଏ ବୋଲି ସେବାୟତମାନେ କହିଛନ୍ତି। ଏହି ଚନ୍ଦନଯାତ୍ରା ଦେଖିବା ପାଇଁ ପ୍ରତିଦିନ ପୁଷ୍କରିଣୀକୂଳରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ବାବା ମାନବିୟ ଲିଳା ଭାବେ ସଂଧ୍ଯାରୁ ରାତ୍ର ୯ଟା ଯାଏଁ ପୁଷ୍କରିଣୀରେ ଚାପ ଖେଳିବା ପରେ ମନ୍ଦିରକୁ ପ୍ରତ୍ଯାବର୍ତ୍ତନ କରିଥାନ୍ତି। ପରେ ରାତ୍ର ନୀତି ସମ୍ପନ୍ନ କରାଯାଇ ପହୁଡ କରାଯାଇଥାଏ।



