ଆଇସିଡିଏସ୍‌ରେ କେନ୍ଦ୍ର ବଜେଟ୍ ହ୍ରାସ ବିରୋଧରେ ରାଜଭବନ ସମ୍ମୁଖରେ ଧାରଣା ଦେବେ ଅଙ୍ଗନବାଡ଼ି କର୍ମୀ

ଭୁବନେଶ୍ୱର: ଦେଶର ସର୍ବ ପ୍ରଥମ ସର୍ବବୃହତ୍ ଯୋଜନା ଆଇ.ସି.ଡି.ଏସ୍.କୁ ଚଳିତ ବଜେଟ୍‌ରେ କେନ୍ଦ୍ର ସରକାର ଆଠ ହଜାର କୋଟି ଟଙ୍କା ବଜେଟ୍ ହ୍ରାସ ବିରୋଧରେ ଆସନ୍ତା ମାର୍ଚ୍ଚ ପହିଲାରେ ରାଜଭବନ ସମ୍ମୁଖରେ ବିକ୍ଷୋଭ ନିମନ୍ତେ ଆଜି ନିଖିଳ ଓଡ଼ିଶା ଅଙ୍ଗନବାଡ଼ିକର୍ମୀ ସଂଘ ରାଜ୍ୟ କମିଟି ବୈଠକରେ ଆହ୍ୱାନ ଦିଆଯାଇଛି। ସଂଘର ସଭାପତି ଅଶୋକ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସାଧାରଣ ସମ୍ପାଦିକା ହରପ୍ରିୟା ସ୍ୱାଇଁ ବକ୍ତବ୍ୟ ଦେଇ କେନ୍ଦ୍ର ସରକାର ଜାତୀୟ ଶିକ୍ଷାନୀତି-୨୦୧୯ରେ ଅଙ୍ଗନବାଡ଼ି କେନ୍ଦ୍ରକୁ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ ନିଷ୍ପତ୍ତିକୁ ସଫଳ କରିବା ନିମନ୍ତେ ଚଳିତ ବଜେଟ୍ରେ ବଜେଟ୍ ହ୍ରାସ କରି ଯୋଜନାକୁ ପଙ୍ଗୁ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏହା ବିରୋଧରେ ବ୍ୟାପକ ସଂଗ୍ରାମ ନିମନ୍ତେ ଆହ୍ୱାନ ଦେଇଥିଲେ।

 

prayash

ଅନୁରୂପ ଭାବେ ଅଙ୍ଗନୱାଡ଼ି କର୍ମୀ ସହାୟିକାଙ୍କ ଦୀର୍ଘ ଦିନର ନ୍ୟାୟସଙ୍ଗତ ଦାବି ଜାତୀୟ ଶ୍ରମ ସମ୍ମିଳନୀ ନିଷ୍ପତ୍ତିମତେ ୱାର୍କର ମାନ୍ୟତା ସର୍ବନିମ୍ନ ଭତ୍ତା ୨୧ ହଜାର ଟଙ୍କା, ପେନସନ୍ ୩ ହଜାର ଟଙ୍କା, ଅଙ୍ଗନୱାଡ଼ି କେନ୍ଦ୍ରର ପ୍ରାକ୍ ବିଦ୍ୟାଳୟ ଶିଶୁଙ୍କୁ ପୋଷାକ ଓ ସ୍ୱେଟର ବଣ୍ଟନରେ ସ୍ୱୟଂ ସହାୟିକା ଗୋଷ୍ଠୀ ନାମରେ ସକ୍ରିୟ ଥିବା ଛତୁଆ ବେପାରୀମାନେ ନିମ୍ନମାନର ପୋଷାକ ବଣ୍ଟନ କରି ଲକ୍ଷଲକ୍ଷ ଟଙ୍କା ହଡ଼ପ କରିବା, ଅଙ୍ଗନୱାଡ଼ି କେନ୍ଦ୍ରକୁ ଗ୍ୟାସ୍ ସଂଯୋଗ ନିମନ୍ତେ କେନ୍ଦ୍ର ପିଛା ୫ ହଜାର ଟଙ୍କା ଅନୁଦାନ ପଠାଯାଇଥିଲେ ମଧ୍ୟ ଜିଲ୍ଲାସ୍ତରରେ ବ୍ୟବସାୟ ଆରମ୍ଭ କରିଦେଇଛନ୍ତି। ତେଣୁ ଧାର୍ଯ୍ୟ ଦରରେ ଅଙ୍ଗନୱାଡ଼ି କେନ୍ଦ୍ର ନାମରେ ଗ୍ୟାସ୍ର ସ୍ଥାୟୀ ସଂଯୋଗ ଓ ୨ଟି ଚୂଲା ସହ ୧୪.୫ ଲିଟର ଗ୍ୟାସ୍ ପ୍ରଦାନ କରାଯାଉ। ସରକାରୀ ନିର୍ଦ୍ଦେଶମତେ ଅଙ୍ଗନୱାଡ଼ି କେନ୍ଦ୍ରରେ ବିଦ୍ୟୁତ୍ ସଂଯୋଗ ଓ ବିଦ୍ୟୁତ୍ ଦେୟ ପ୍ରଦାନ, କରୋନା କାର୍ଯ୍ୟରେ ନିୟୋଜିତ ହୋଇ ମୃତ୍ୟୁବରଣ କରିଥିବା କର୍ମୀ ଓ ସହାୟିକାଙ୍କୁ କରୋନା ସହାୟତା ରାଶି ପ୍ରଦାନ ଓ ତାଙ୍କ ପରିବାରରୁ ଜଣଙ୍କୁ ନିଯୁକ୍ତି, ବୀମା ଯୋଜନାରେ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ, ବଜାର ଦର ଅନୁସାରେ ଏସ୍.ଏନ୍.ପି.ର ଦରଧାର୍ଯ୍ୟ ଆଦି ଦାବି ଉପରେ ବ୍ୟାପକ ସଂଗ୍ରାମ ନିମନ୍ତେ ନିଷ୍ପତ୍ତି ନିଆଯାଇଛି।
ଏହି ବୈଠକରେ ବିଜୟ ଜେନା, ବିଷ୍ଣୁପ୍ରିୟା ଜେନା, ମମତାଜ୍ ଖୁଣ୍ଟିଆ, ସୁର ଜେନା, ମଳୟ ମଞ୍ଜରୀ ଜେନା, ସ୍ୱର୍ଣ୍ଣଲତା ପ୍ରଧାନ, ବୀଣାପାଣି ବେହେରା, ପଙ୍କଜିତା ଶବର, ସୌଦାମିନୀ ଦାସ, ପ୍ରତିମା ଦାସ, ସାବିତ୍ରୀ ପଣ୍ଡା, କଳ୍ପନା ଦଳାଇ, ନର୍ମଦା ନାହାକ, ବାସନ୍ତି ସାହୁ, ସୁଲୋଚନା ରଥ, ଦମୟନ୍ତୀ ଦୋରା, ସୁଜାତା ନାୟକ, ଉର୍ମିଳା ଜେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

kalyan agarbati

Comments are closed.